ଭୁବନେଶ୍ୱର ଦକ୍ଷତା ବିକାଶ ପ୍ରତିଷ୍ଠାନ(ଏସଡିଆଇ) କ୍ୟାମ୍ପସ ଠାରେ ଶନିବାର ଭାରତ ସରକାରଙ୍କ ଜାତୀୟ ଦକ୍ଷତା ବିକାଶ ଉଦ୍ୟୋଗ(ଏନଏସଡିସି) ଇଣ୍ଟରନ୍ୟାସନାଲ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷର ହୋଇ ଦକ୍ଷତା ବିକାଶ ସହ ଜଡିତ ତିନୋଟି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଓଡ଼ିଶାର ୧୫ ବର୍ଷରୁ ୨୫ ବର୍ଷ ବୟସର ପ୍ରାୟ ୭୫ ଲକ୍ଷ ପିଲାମାନଙ୍କର ଦକ୍ଷତା ବିକାଶ କରାଯାଇ ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଯୋଜନା କରାଯିବ ବୋଲି କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରୁ ଅନେକ ପିଲା ବାହାର ଦେଶକୁ କାମ କରିବାକୁ ଯାଉଛନ୍ତି । ମାତ୍ର ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ସେମାନେ ବାହାରେ ସାମାଜିକ ସୁରକ୍ଷା ପାଉ ନାହାନ୍ତି ଏବଂ ଅନେକ କଷ୍ଟର ସମ୍ମୁଖୀନ ହେଉଛି । ଭାରତବର୍ଷରେ ଏହି ବର୍ଗର ପିଲାଙ୍କ ବୟସ ୧୫ ବର୍ଷରୁ ୨୫ ବର୍ଷ । ଦେଶରେ ଏହି ବର୍ଗର ପିଲାଙ୍କ ସଂଖ୍ୟା ୨୫ କୋଟି ଓ ଓଡ଼ିଶାରେ ୭୫ ଲକ୍ଷ । ଏହି ଯୁବବର୍ଗର ପିଲାଙ୍କୁ ଦକ୍ଷତା, ଜ୍ଞାନ ଏବଂ ରୋଜଗାର ସହ ଯୋଡ଼ିବାକୁ ପଡ଼ିବ । ଯାହା ଦ୍ୱାରା ଓଡ଼ିଶା ଏବଂ ଭାରତ ବିକାଶର ଅଗ୍ରଭାଗରେ ରହିବ । ଏହି କ୍ରମରେ ଓଡ଼ିଆ ପିଲାମାନଙ୍କ ଦକ୍ଷତା ବିକାଶ କରିବା ଓ ବିଦେଶରେ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର, ୱାର୍ଲଡ ସ୍କିଲ୍ ଏକାଡ଼େମୀ, ନ୍ୟାସନାଲ ଏକାଡ଼େମୀ ଫର୍ ସ୍କିଲ୍ ଟିଚର୍ର ଶୁଭାରମ୍ଭ ହୋଇଯାଇଛି । ଏହାସହ ଏନଏସଡିସି ଇଣ୍ଟରନ୍ୟାସନାଲ ସହ ରାଜ୍ୟ ସରକାର ଏବଂ ଓଭରସିଜ୍ ଏମ୍ପଲୟରଙ୍କ ମଧ୍ୟରେ ପୃଥକ୍ ପୃଥକ୍ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏ ଦିଗରେ ଏନଏସଡିସି ୟୁଏଇ, ସାଉଦି ଆରବ, ବାହାରିନ ଭଳି ଉପସାଗରୀୟ ଦେଶ ସମେତ ବିଭିନ୍ନ ଦେଶର ସରକାରଙ୍କ ସହ ସମନ୍ୱୟ ରକ୍ଷା କରିବ । ବିଦେଶରେ ଥିବା ବ୍ୟବସାୟିକ ହାଉସ ଏବଂ ଅନ୍ୟ କମ୍ପାନୀଙ୍କ ସହ ମିଶି ଦକ୍ଷ ମାନବ ସମ୍ବଳ ପଠାଯିବ । ବିଦେଶ ମନ୍ତ୍ରଣାଳୟର ମଧ୍ୟ ଏଥିପାଇଁ ଦାୟିତ୍ୱ ରହିଛି । ଏ ଦୃଷ୍ଟିରୁ ଓଡ଼ିଆ ପିଲାମାନେ ଆବଶ୍ୟକତା ଅନୁସାରେ ଦକ୍ଷ ହୋଇଗଲେ ତାଙ୍କର ରୋଜଗାର ଓ ସାମାଜିକ ସୁରକ୍ଷା ବଢ଼ିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଚେୟାରମ୍ୟାନ ସୁବ୍ରତ ବାଗଚି, ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଏସଡିଆଇ ଭୁବନେଶ୍ୱରର ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ର, ଏନଏସଡିସିର ସିଇଓ ବେଦମଣି ତିୱାରୀ ଓ ଏସଡିଆଇ, ଭୁବନେଶ୍ୱରର ସିଇଓ ସଞ୍ଜୟ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ ।