ମନୋରଞ୍ଜନ

ଲୋକପ୍ରିୟ ମାଲାୟାଲାମ୍ ଅଭିନେତା ଏନଡି ପ୍ରସାଦ(୪୩)ଙ୍କ ଝୁଲନ୍ତା ମୃତଦେହ କୋଚିର କାଲାମେସରିରେ ଥିବା ତାଙ୍କ ଘର ବାହାରେ ଏକ ଗଛରେ ଦେଖିବାକୁ ମିଳିଛି। ଜୁନ୍୨୫ ସନ୍ଧ୍ୟା ୬:୩୦ ସମୟରେ ସେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ସେ ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହିତ ରହୁଥିଲେ। ତାଙ୍କ ପିଲାମାନେ ତାଙ୍କୁ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିଥିଲେ। ପରେ ସେମାନେ ତାଙ୍କ ପଡ଼ୋଶୀଙ୍କୁ ପ୍ରସାଦଙ୍କ ଆତ୍ମହତ୍ୟା ବିଷୟରେ ଜଣାଇଥିଲେ। ପଡୋଶୀ ଏ ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।
ଏନଡି ପ୍ରସାଦ ଅନେକ ମାଲାୟାଲାମ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ଫିଲ୍ମ ‘ଆକ୍ସନ ହିରୋ ବିଜୁ’ରେ ସିନେମାରେ ଅଭିନୟ କରି ସେ ଦର୍ଶକଙ୍କ ମହଲରେ ପରିଚିତ ହୋଇଥିଲେ।ସେ ‘ଇବା’ ଓ ‘କର୍ମାନୀ’ ଭଳି ସିନେମାରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ସେ ଆକ୍ସନ ହିରୋ ବିଜୁ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିଛନ୍ତି।
ପାରିବାରିକ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ‘ନିଉ ଇଣ୍ଡିଆନ ଏକ୍ସପ୍ରେସ’ର ରିପୋର୍ଟରେ କୁହାଯାଇଛି। ‘’ତାଙ୍କର କିଛି ମାନସିକ ଓ ଘରୋଇ ସମସ୍ୟା ଥିଲା। କିଛି ମାସ ହେଲା ତାଙ୍କ ସ୍ତ୍ରୀ ତାଙ୍କ ଠାରୁ ଦୂରରେ ରହୁଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ସେ ମାନସିକ ଚାପରେ ଥିଲେ’’ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।
ପ୍ରସାଦଙ୍କ ନାଁରେ ପୂର୍ବରୁ ନିଶା ସେବନ ସହିତ ଅନେକ ମାମଲା ରହିଛି। ୨୦୨୧ ରେ ନିଶା ଦ୍ରବ୍ୟ ରଖିବା କାରଣରୁ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା। ତାଙ୍କ ପାଖରୁ ମଧ୍ୟ ମାରଣାସ୍ତ୍ର ଜବତ ହୋଇଥିଲା।
ଏନଡି ପ୍ରସାଦଙ୍କ ମୃତଦେହକୁ ଡାକ୍ତର ବ୍ୟବଚ୍ଛେଦ କରିବା ପରେ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।