() ଭାଙ୍ଗିଗଲା ଭାରତର ସ୍ବପ୍ନ । ଅଷ୍ଟ୍ରେଲିଆ ହେଲା ବିଶ୍ବ ଚାମ୍ପିଅନ । ୨୦୨୩ ବିଶ୍ବକପ ଟାଇଟଲ ଜିତିଲା ଟିମ୍ କଙ୍ଗାରୁ । ଏହା ସହିତ ଦଳ ଷଷ୍ଠ ଥର ପାଇଁ ବିଶ୍ବକପ ଜିତି ରେକର୍ଡ କରିଛି । ଅହମ୍ମଦାବାଦରେ ବିଶ୍ବକପ ଫାଇନାଲରେ ୬ଓ୍ବିକେଟରେ ମ୍ୟାଚ ଜିତିଲା ଅଷ୍ଟ୍ରେଲିଆ । ଭାରତ ଦେଇଥିବା ୨୪୧ ରନର ଟାର୍ଗେଟକୁ ୪୩ ଓଭରରେ ଜିତିନେଇଥିଲା କଙ୍ଗାରୁ ଦଳ । ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଲଢୁଆ ବ୍ୟାଟିଂ ଦଳକୁ ବିଜୟ ଭେଟି ଦେଇଛି । ଉଭୟ ବୋଲିଂ ଓ ବ୍ୟାଟିଂରେ ଭାରତ ଶୋଚନୀୟ ପ୍ରଦର୍ଶନ କରି ୨୦୧୧ ପରେ ବିଶ୍ବକପ ଜିତିବାର ସ୍ବପ୍ନକୁ ଭାଙ୍ଗିଦେଇଛି ।
ପ୍ରଥମେ ଟସ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଗିଲ ମାତ୍ର ୪ ରନ କରି ଆଉଟ ହୋଇଥିବାବେଳେ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ । କିନ୍ତୁ ରୋହିତ ୪୭ ରନ କରି ଆଉଟ ହେବା ପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ବିରାଟ କୋହଲି ଓ କେ.ଏଲ ରାହୁଲ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ । କିନ୍ତୁ ବିରାଟ ଆଉଟ ହେବା ପରେ ଦଳ ସଂକଟରେ ପଡ଼ିଯାଇଥିଲା । ରାହୁଲ ୬୬ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର ଯାଦବ ୨୮ଟି ବଲରୁ ୧୮ ରନ କରିଥିଲେ । ଶ୍ରେୟସ ଆୟାର ଓ ଜାଡେଜା ଦଳକୁ ନିରାଶ କରିଥିଲେ । କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଦଳକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ୫୦ ଓଭରରେ ସମସ୍ତ ଓ୍ବିକେଟ ହରାଇ ଭାରତ ୨୪୦ ରନ କରିବାକୁ ସକ୍ଷମ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ୩ଟି ଓ୍ବିକେଟ ନେଇଥିବାବେଳେ ଜୋସ ହେଜଲଉଡ୍ ୨ଟି ଓ୍ବିକେଟ ନେଇଥିଲେ । ୨୪୧ ରନର ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ । ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା ।
ଦଳୀୟ ସ୍କୋର ୧୬ ରନ ଥିବାବେଳେ ଡେଭିଡ ଓ୍ବାର୍ଣ୍ଣର ଆଉଟ୍ ହୋଇଥିଲେ । ପରେ ପରେ ମିଚେଲ ମାର୍ସ ଓ ସ୍ଟିଭେନ ସ୍ମିଥ ମଧ୍ୟ ପାଭିଲିଅନ ଫେରିଥିଲେ । ପରେ ପରେ ଟ୍ରାଭିସ୍ ହେଡ୍ ଓ ମାର୍ନସ ଲାବୁସଚେନ ଦଳ ପାଇଁ ସଂକଟମୋଚକ ସାଜି ବିଜୟ ଭେଟିଦେଇଥିଲେ । ୧୨୦ ବଲ ଖେଳି ୧୩୭ ରନ କରିଥିଲେ ହେଡ୍ । ଲାବୁସଚେନ ୧୧୦ ବଲରେ ୫୮ ରନ କରିଥିଲେ । ମାକ୍ସଓ୍ବେଲ ଅପରାଜିତ ୨ରନ କରି ଦଳ ପାଇଁ ଓ୍ବିନିଂ ସଟ୍ ମାରିଥିଲେ । ଭାରତ ତରଫରୁ ବୁମରା ୨ଟି ଓ୍ବିକେଟ ନେଇଥିବାବେଳେ ସାମି ଓ ସିରାଜ ଗୋଟିଏ ଲେଖାଏ ଓ୍ବିକେଟ ନେବାରେ ସକ୍ଷମ ହୋଇଥିଲେ । ଏହା ସହି ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ବିଶ୍ବକପ ଜିତିଥିଲା । ପୂର୍ବରୁ 1987, 1999, 2003, 2007, 2015ରେ ବି ଓ୍ବାର୍ଲ୍ଡକପ ଜିତିଥିଲା କଙ୍ଗାରୁ ଦଳ ।