DMF କେନ୍ଦୁଝର ଷ୍ଟଲ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କଲା ଏଣ୍ଟ୍ରି

5
(1)

ନୂଆଦିଲ୍ଲୀ ସ୍ଥିତ ପ୍ରଗତି ମଇଦାନ ଠାରେ ନଭେମ୍ବର 14 ତାରିଖରୁ ଆରମ୍ଭ ହୋଇଛି 42ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା (ଆଇଆଇଟିଏଫ୍) । ଏହା ଆସନ୍ତା ନଭେମ୍ବର 27 ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଡିଏମ୍ଏଫ୍ ଜିଲ୍ଲା ଭାବରେ ଷ୍ଟଲ୍ ଖୋଲିବା ପାଇଁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା କେନ୍ଦୁଝର ଜିଲ୍ଲାକୁ ଚୟନ କରାଯାଇଛି । ବିଧିବଦ୍ଧ ନିମନ୍ତ୍ରଣ ପାଇବା ପରେ ଆଇଆଇଟିଏଫର ମାଇନିଂ ପାଭିଲିୟନ ସ୍ଥିତ ହଲ୍ ନଂ 5ରେ ଡିଏମ୍ଏଫ୍ କେନ୍ଦୁଝରର ଷ୍ଟଲ ଖୋଲିଛି ।

ଏନେଇ ସ୍ଥାନୀୟ ଦରବାର ହଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ।ଏହି ଷ୍ଟଲରେ ଜିଲ୍ଲାରେ ଡିଏମ୍ଏଫ୍ ସହଯୋଗରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରଦର୍ଶିତ କରିବା ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଏଆର୍ ଭିଆର୍ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି । ଏହି ହେଡ୍ ସେଟକୁ ମୁଣ୍ଡରେ ପିନ୍ଧି ଷ୍ଟଲ୍ ବୁଲିବାକୁ ଆସୁଥିବା ଲୋକେ ବିଭିନ୍ନ ପ୍ରକଳ୍ପସ୍ଥଳୀର ଗତିଶୀଳ ଏବଂ ଉଜ୍ଜ୍ୱଳ ଥ୍ରୀଡି ଦୃଶ୍ୟ ଦେଖିବାକୁ ପାଉଛନ୍ତି । ଯାହା ସେମାନଙ୍କୁ ବେଶ୍ ଆମୋଦିତ କରୁଛି । ସେହିଭଳି ଏଲଇଡି ସ୍କ୍ରିନ୍ ମାଧ୍ୟମରେ ଡିଏମ୍ଏଫ୍ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଉପରେ ପ୍ରସ୍ତୁତ ହୋଇଥିବା ଭିଡିଓ ଡକ୍ୟୁମେଣ୍ଟାରୀକୁ ମଧ୍ୟ ଷ୍ଟଲରେ ପ୍ରଦର୍ଶିତ କରାଯାଉଛି ।

ଏହାସହ ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି, ଶିଶୁଯତ୍ନ, ଭିନ୍ନକ୍ଷମ ସଶକ୍ତିକରଣ ଆଦି କ୍ଷେତ୍ର ଉପରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ସବୁକୁ ପ୍ରଦର୍ଶିତ କରୁଥିବା ସ୍ୱତନ୍ତ୍ର ଲିଫଲେଟ୍ ମଧ୍ୟ ଷ୍ଟଲ ବୁଲିବାକୁ ଆସୁଥିବା ବ୍ୟକ୍ତିବିଶେଷ ଏବଂ ଅତିଥିମାନଙ୍କୁ ପ୍ରଦାନ କରାଯାଉଛି ।ଡିଏମ୍ଏଫ୍ କେନ୍ଦୁଝରର ବିଭିନ୍ନ କାର୍ଯ୍ୟକ୍ରମକୁ ଦର୍ଶାଇବା ସହ ଏହି ଷ୍ଟଲରେ କେନ୍ଦୁଝର ଜିଲ୍ଲାର ନିଜସ୍ୱ ଉତ୍ପାଦ ମଧ୍ୟ ସ୍ଥାନିତ ହୋଇଛି । ଭଗାମୁଣ୍ଡା ଟସର ସିଲ୍କ ପାର୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ରେସମ ସାମଗ୍ରୀ, ଟସର ଖୋସାରୁ ପ୍ରସ୍ତୁତ କାନଫୁଲ, କାଗଜ ପ୍ରସ୍ତୁତ ହସ୍ତଶିଳ୍ପ, କୁଲା ଏବଂ ମିଲେଟ୍ ପ୍ରସ୍ତୁତ ବିଭିନ୍ନ ବିସ୍କୁଟ, କେକ୍ ଇତ୍ୟାଦି ଷ୍ଟଲରେ ବିକ୍ରି ଉଦ୍ଦେଶ୍ୟରେ ରଖାଯାଇଛି ।

ବିଶେଷ କରି ମିଲେଟ୍ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ଅଧିକାଂଶ ଲୋକେ ପସନ୍ଦ କରୁଛନ୍ତି । ଚାହିଦାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ମିଲେଟ୍ ଖାଦ୍ୟସାମଗ୍ରୀ ଦିଲ୍ଲୀ ପଠାଯାଇଛି । ଏସବୁ ସାମଗ୍ରୀ ବିକ୍ରି କରିବା ଲାଗି ଜିଲ୍ଲାରୁ ଛଅ ଜଣ ମିଶନ ଶକ୍ତି ଏସଏଚଜି ମା’ଙ୍କୁ ଚୟନ କରାଯାଇଛି । ତିନୋଟି ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ତରଫରୁ ଦୁଇଜଣ ଲେଖାଏଁ ଅଧିକାରୀ ଏବଂ ମିଶନ ଶକ୍ତି ମାଆ ଦିଲ୍ଲୀ ଗସ୍ତ କରିବେ।ଉଦ୍‌ଘାଟନୀ ଦିବସରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟର ସଚିବ ଭି.ଏଲ୍ କାନ୍ତା ରାଓଙ୍କ ସମ୍ମାନଜନକ ଉପସ୍ଥିତି ଡିଏମ୍ଏଫ୍ କେନ୍ଦୁଝର ଷ୍ଟଲରେ ଦେଖିବାକୁ ମିଳିଥିଲା । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ପ୍ରଦର୍ଶନୀ ଦେଖି ଭରପୂର ପ୍ରଶଂସା କରିଥିଲେ । ଏଥିସହ ଷ୍ଟଲ ପରିଦର୍ଶନରେ ଆସୁଥିବା କେନ୍ଦ୍ର ସରକାରଙ୍କ ବହୁ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମାନେ ମଧ୍ୟ ଡିଏମ୍ଏଫ୍ କେନ୍ଦୁଝରର କାର୍ଯ୍ୟକ୍ରମକୁ ଭରପୂର ପ୍ରଶଂସା କରିଛନ୍ତି । l

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

Subscribe to our Newsletter

Leave a Comment