ଆଗାମୀ ଦିନରେ ଆହୁରି ତୀବ୍ର ହେବ ଆନ୍ଦୋଳନ, କେନ୍ଦ୍ର ପ୍ରସ୍ତାବକୁ ଖାରଜ କଲେ କୃଷକ ସଂଗଠନ

0
(0)

ନୂଆଦିଲ୍ଲୀ, ୯/୧୨: ଚାଷୀ ସଂଗଠନଗୁଡିକ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ୩ଟି ଯାକ କୃଷି ଆଇନ ରଦ୍ଦ ନହେଲେ ଚାଷୀ ନେତାମାନେ ଆଗାମୀ ଦିନରେ ଦିଲ୍ଲୀର ସବୁ ରାସ୍ତା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହାସହ ଦିଲ୍ଲୀ-ଜୟପୁର ରାଜମାର୍ଗ ଡିସେମ୍ବର ୧୨ ଯାଏଁ ବନ୍ଦ କରାଯିବ ବୋଲି ଚାଷୀ ନେତା ସୂଚନା ଦେଇଛନ୍ତି । ଏପରିକି ସେହିଦିନ ସମସ୍ତ ଟୋଲ ପ୍ଲାଜା ଫ୍ରି କରାଯିବ ବୋଲି ଚେତାବନୀ ଦିଆଯାଇଛି । ଦେଶର କୋଣ ଅନୁକୋଣରୁ ଚାଷୀମାନଙ୍କୁ ଦିଲ୍ଲୀ ଡକାଯାଉଛି । ତେବେ ଏହା ମଧ୍ୟ ସ୍ପଷ୍ଟ ହେଉଛି କି ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ।

ବିରୋଧ ପ୍ରଦର୍ଶନ ବେଳେ ସରକାର ବୁଧବାର କୃଷକମାନଙ୍କୁ ଲିଖିତ ଭାବେ ସମସ୍ୟାର ସମାଧାନ ହେବ ବୋଲି ଆଶ୍ବାସନା ଦେଇଥିଲେ ମଧ୍ୟ ଏହାକୁ ଚାଷୀମାନେ ଖାରଜ କରିଦେଇଛନ୍ତି। ସରକାର ୭ଟି ମୁଦ୍ଦାକୁ ନେଇ ଆବଶ୍ୟକ ସଂଶୋଧନ କରିବା ନେଇ ପ୍ରସ୍ତାବ ଦେଇଛନ୍ତି ଯେଉଁଥିରେ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବା ଭଳି ମୁଦ୍ଦା ସାମିଲ ଅଛି । ଚାଷୀମାନଙ୍କର ଯେ କୌଣସି ପ୍ରଶ୍ନର ସ୍ପଷ୍ଟୀକରଣ ରଖିବାକୁ ପ୍ରସ୍ତୁତ ଥିବା ସରକାର କହିଛନ୍ତି । କିନ୍ତୁ କେନ୍ଦ୍ର ସରକାର କୃଷକମାନଙ୍କ କୃଷି ଆଇନକୁ ଫେରାଇନେବା ପ୍ରସ୍ତାବକୁ ଗ୍ରହଣ କରିନାହଁନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ଏବଂ ଚାଷୀଙ୍କ ମଧ୍ୟରେ ୬ ଥର ଆଲୋଚନା ହୋଇସାରିଥିବା ବେଳେ ଏଯାଏଁ କୌଣସି ରାସ୍ତା ବାହାରି ପାରିନାହିଁ । ଗୃହ ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଜୃଷକ ସଂଗଠନର ୧୩ ଜଣ ନେତାଙ୍କୁ ଭେଟିଛନ୍ତି । ବୈଠକ ପରେ ଶାହା କହିଛନ୍ତି ଯେ, ସରକାର ୩ଟି ଯାକ କୃଷି ବିଲକୁ ନେଇ ଚାଷୀମାନଙ୍କ ଦ୍ବାରା ଉଠାଯାଇଥିବା ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉପରେ ଏକ ଡ୍ରାଫ୍ଟ ପ୍ରସ୍ତାବ ପଠାଯିବ । ଚାଷୀ ନେତାଙ୍କ ସହିତ ଆଲୋଚନା ବେଳେ କୌଣସି ନିଷ୍କର୍ସ ବାହାରିପାରି ନଥିଲା ।

ଚାଷୀ ନେତା ଶିବ କୁମାର କକ୍କା ଚେତାବନୀ ଦେଇଛନ୍ତି ଯେ, ଆଗାମୀ ଡିସେମ୍ବର ୧୪ରେ ରାଜ୍ୟମାନଙ୍କରେ ସବୁ ଜିଲ୍ଲା ମୁଖ୍ୟାଳୟ ଘେରାଉ କରିଯିବ ଏବଂ ବିଜେପି କାର୍ଯ୍ୟାଳୟଗୁଡ଼ିକରେ ଆନ୍ଦୋଳନ ତୀବ୍ର କରାଯିବ।କ୍ରାନ୍ତିକାରୀ କିଷାନ ୟୁନିଅନର ଅଧ୍ୟକ୍ଷ ଦର୍ଶନ ପାଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସେମାନେ ଦେଶରେ ରିଲାଏନ୍ସ ଏବଂ ଆଦାନୀର ସମସ୍ତ ଉତ୍ପାଦକୁ ବହିଷ୍କାର କରିବେ । ଏହା ସହିତ ପ୍ରତିଦିନ ବିଜେପି ମନ୍ତ୍ରୀମାନଙ୍କୁ ଘେରାଉ କରାଯିବ । ଚାଷୀ ସଂଗଠନମାନେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

Subscribe to our Newsletter

Leave a Comment