ରାଜନୀତି

ରବିବାର ଲୋକସେବା ଭବନର କନଭେନସନ୍ ହଲରେ ଆୟୋଜିତ ଭବ୍ୟ ସମାରୋହରେ ୨୧ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୋଟ ୨୧ଜଣ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏଥିରେ ୧୩ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ତେବେ ମନ୍ତ୍ରୀମଣ୍ଡଳରେ ନବୀନ ପଟ୍ଟନାୟକଙ୍କ ଏକଦା ଫେଭରାଇଟ ଓ ଖୋଦ୍ ପାଖ ଲୋକ କୁହାଯାଉଥିବା କିଛି ପାୱାରଫୁଲ ମନ୍ତ୍ରୀଙ୍କ ପତ୍ତା ସାଫ୍ ହୋଇଛି । ବିବାଦୀୟଙ୍କୁ ବାଦ୍ ଦେଇଛନ୍ତି ବିଜେଡି଼ ସୁପ୍ରିମୋ ।
ନୂଆ ଟିମରେ ପାୱାରଫୁଲ ନେତା ଅରୁଣ ସାହୁ, ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ସୁଦାମ ମାର୍ଣ୍ଡି, ପଦ୍ମନାଭ ବେହେରା, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପଦ୍ମିନୀ ଦିଆନଙ୍କ ଭଳି ନେତାଙ୍କୁ ବାଦ୍ ଦେଇଛନ୍ତି ନବୀନ । ତେବେ ଏମାନଙ୍କ ମଧ୍ୟରୁ ସବୁଠାରୁ ପାୱାରଫୁଲ ନେତା ଅରୁଣ କୁମାର ସାହୁ, ପ୍ରତାପ ଜେନା ଏବଂ ଦିବ୍ୟଶଙ୍କର ମିଶ୍ର ଓ ସୁଶାନ୍ତ ସିଂ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡି଼ଛନ୍ତି । ମନ୍ତ୍ରୀ ମଣ୍ଡଳରୁ ବାଦ ପଡି଼ଥିବା ଅନେକ ମନ୍ତ୍ରୀ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ କରିନାହାନ୍ତି । ମାତ୍ର ୪ ହେବିୱେଟ ମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରୁ ବାଦ ପଡି଼ବା ଚର୍ଚ୍ଚାରେ ରହିଛି ।
ବାଦ–ବିବାଦରେ ରହି ରାଜ୍ୟରେ କିଛି ମାସ ଧରି ଚର୍ଚ୍ଚାରେ ରହି ବିବାଦୀୟ ହୋଇଥିବା ଚେହେରାଙ୍କୁ ହଟାଇଛନ୍ତି ସିଏମ ନବୀନ । ଏହି ତାଲିକାରେ ବରିଷ୍ଠ ମନ୍ତ୍ରୀ ଅରୁଣ କୁମାର ସାହୁ, ପ୍ରତାପ ଜେନା ଏବଂ ଦିବ୍ୟଶଙ୍କର ମିଶ୍ର ଓ ସୁଶାନ୍ତ ସିଂ ମନ୍ତ୍ରୀ ରହିଛନ୍ତି । ଏହି ନେତା ମାନେ ଭିନ୍ନଭିନ୍ ଅପ୍ରିତୀକର ପ୍ରସଙ୍ଗକୁ ନେଇ ଦଳକୁ ଅଡୁଆ ପରିସ୍ଥିତିରେ ପକାଇବା ସହ ଦଳର ଭାବମୂର୍ତ୍ତି କ୍ଷୂର୍ଣ୍ଣ କରିଥିବା ଚର୍ଚ୍ଚା ହେଉଥିଲା । ମାହାଙ୍ଗା ଡବଲ ମର୍ଡର ପ୍ରସଙ୍ଗରେ ପ୍ରତାପ, ପରୀ ହତ୍ୟାକାଣ୍ଡକୁ ନେଇ ଅରୁଣ ଏବଂ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ବିବାଦୀୟ ହୋଇଥିଲେ।
ରାଜ୍ଯରେ ବହୁ ଚର୍ଚ୍ଚିତ ହତ୍ଯା ଘଟଣାରେ ଝଡ଼ ସୃଷ୍ଟି କରିଥିବା କଳାହାଣ୍ଡି ମମିତା ମେହେର ମୃତ୍ୟୁ ମାମଲାରେ ମନ୍ତ୍ରୀ କ୍ଯାପଟେନ ଦିବ୍ୟଶଙ୍କର ମିଶ୍ର ବିବାଦ ଘେରକୁ ଆସିଥିଲେ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ତାଙ୍କର ଘନିଷ୍ଠତାକୁ ନେଇ ଓଡିଶା ରାଜନୀତିରେ ତୁମ୍ବି ତୋଫାନ ଉଠିଥିଲା। ରାଜ୍ଯ ମିଡି଼ଆଠାରୁ ଆରମ୍ଭ କରି ଜାତୀୟ ସ୍ତର ଗଣମାଧ୍ୟମରେ ମଧ୍ୟ ଏହି ଘଟଣା ଚର୍ଚ୍ଚାର ପରିଧିରେ ରହିଥିଲା । ଏହାକୁ ନେଇ ବିଜେଡ଼ି ସରକାର ଓ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ ମାସାଧିକକାଳ ଦଳକୁ ନୂଆ ନୂଆ ସମସ୍ୟାର ସାମ୍ନା କରିବାକୁ ପଡି଼ଥିଲା । ମନ୍ତ୍ରୀଙ୍କୁ ବହିଷ୍କାର ଠାରୁ ଆରମ୍ଭ କରି ଗିରଫ ପର୍ଯ୍ୟନ୍ତ ଦାବି ଉଠିଥିଲା। ସେତେବେଳେ ଚୁପ ଥିଲେ ବିଜେଡ଼ି ସୁପ୍ରିମୋ ନବୀନ । ଏବେ ମନ୍ତ୍ରୀ ମଣ୍ଡଳରୁ ବାଦ୍ ପଡିଛନ୍ତି କ୍ୟାପଟେନ ।
ସେପଟେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିବାଦୀୟ ହୋଇପଡିଥିଲେ ପ୍ରତାପ ଜେନା । କୁଳମଣି ବରାଳ ହତ୍ୟାକାଣ୍ଡରେ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଏହାକୁ ନେଇ ବଡ ଧରଣର ବିବାଦ ସୃଷ୍ଟି ହୋଇଥିଲା । ଏଥିରେ ମନ୍ତ୍ରୀଙ୍କ ହାତ ଓ ଷଡ଼ଯନ୍ତ୍ର ଥିବା ମଧ୍ୟ ରାଜ୍ୟ ରାଜନୀତିକୁ ସରଗରମ କରଥିଲା । ବିରୋଧିଙ୍କ ବିରୋଧ ପ୍ରଦର୍ଶନ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ କାର୍ଯ୍ୟକଳାପ ଓ ହିଂସାତ୍ମକ ଘଟଣା ପାଇଁ ଦଳ ଜବାବ ଶୂନ୍ୟ ରହିଥିବା ଓ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସମାଲୋଚନାକ ଶରବ୍ୟ ହେବାକୁ ପଡି଼ଥିଲା । ଏବେ ନୂତନ ମନ୍ତ୍ରୀ ମଣ୍ଡଳ ଗଠନରେ ମନ୍ତ୍ରୀ ପ୍ରତାପଙ୍କୁ ପଦ ଶୂନ୍ୟ କରାଯାଇଛି ।
ଅନ୍ୟ ପଟେ ରାଜ୍ୟର ସର୍ବାଧିକ ଚର୍ଚ୍ଚିତ ହତ୍ୟାକାଣ୍ଡ ନୟାଗଡ଼ର ପରୀ ମୃତ୍ୟୁ ମାମଲାରେ ଅରୁଣ ସାହୁଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବିରୋଧୀ । ମନ୍ତ୍ରୀଙ୍କ ଧମକଚମକ ଅଡିଓ ଭାଇରାଲଠାରୁ ଆରମ୍ଭ କରି ପ୍ରତ୍ୟେକ୍ଷ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ଘଟଣାରେ ପ୍ରକୃତ ହତ୍ୟାକାରୀ ଧରାପଡିଥିଲା ଏବଂ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗର କୌଣସି ପ୍ରମାଣ ମିଳିନଥିଲା । ମାତ୍ର ଲଗାତାର ଭାବରେ ଏହି ଘଟଣାରେ ମନ୍ତ୍ରୀଙ୍କ କାର୍ଯ୍ୟକଳାପ ସନ୍ଦେହାତ୍ମ ରହିଥିବା ଚର୍ଚ୍ଚା ମିଡି଼ଆରେ ବାରମ୍ବାର ପ୍ରସାରିତ ହେବା ଦଳ ପାଇଁ ସେତେବେଳେ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ଫଳରେ ନବନଗଠିତ ମନ୍ତ୍ରୀମଣ୍ଡଳରେ ତାଙ୍କୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି ।
ମନ୍ତ୍ରୀମଣ୍ଡଳରୁ ବାଦ ପଡଥିବା ଆଉ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ ମନ୍ତ୍ରୀ ସୁଶାନ୍ତ ସିଂ। ତାଙ୍କୁ ନବଗଠିତ ମନ୍ତ୍ରୀମଣ୍ଡଳରେ ସ୍ଥାନ ନଯିବା ପଛରେ କୌଣସି ବିବାଦ ଥିବା ଜଣାଯାଇନାହିଁ । ଆଗାମୀ ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ସଜବାଜ ହେବା ସହ ପଶ୍ଚିମ ଓଡିଶାରେ ସଙ୍ଗଠନ ଦାୟିତ୍ୱ ଦେବା ପାଇଁ ସୁଶାନ୍ତଙ୍କୁ ବାଦ ଦିଆଯାଇଛି ବୋଲି ଚର୍ଚ୍ଚା ହେଉଛି