, , ,

ସୁଜାତା: ସେବାରେ ସମର୍ପିତା

5
(1)

ସେବା କରିବାର ପ୍ରତିବଦ୍ଧତା ମଣିଷକୁ ବ୍ରତୀ କରିଦିଏ । ଲୋକଙ୍କ ପାଇଁ ନିଜକୁ ଉତ୍ସଗୀକୃତ ହେବାର ସଂକଳ୍ପ ଜଣଙ୍କୁ ସମର୍ପିତ କରିଦିଏ । ଏ ଜାତିର ଶ୍ରେଷ୍ଠ ସେବା ଜନସେବା, ଏ ଜାତିର ଶ୍ରେଷ୍ଠ ନୀତି ରାଜନୀତି । ସେବା ଓ ରାଜନୀତିର ସମ୍ମିଶ୍ରଣରେ ଯେଉଁ ନୂତନ ସମିକରଣଟି ଜନ୍ମନିଏ ତାହା ହେଉଛି ସମର୍ପଣ । ମାନବ ସଭ୍ୟତାର ଏ ଦୁଇଟି ଉପାଦାନକୁ ଆଧାର କରି ଓଡିଶାର ଜନସେବାର ସୁଦୀର୍ଘ ପଥରେ ପାଦଦେଇଥିବା ଜଣେ ସମର୍ପିତା ହେଲେ ସୁଜାତା ପାଢୀ । ଛାତ୍ର ରାଜନୀତିରୁ ପ୍ରତ୍ୟକ୍ଷ ରାଜନୀତିର ରାସ୍ତାରେ କ୍ଳାନ୍ତିହୀନ ପଥିକ ହୋଇ ଆଗକୁ ପାଦ ବଢାଉଥିବା ଓଡିଶା ରାଜନୀତିର ସୁଜାତା ଜଣେ ସମ୍ଭାବନା । ସେବାରୁ ସାମ୍ବାଦିକତା ଓ ରାଜନୀତିର ଉପପାଦ୍ୟକୁ ଆୟତ୍ତ କରି ଭାରତୀୟ ଜନତା ପାର୍ଟିରେ ସକ୍ରିୟ ସଦସ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି ସୁଜାତା ପାଢୀ । ବର୍ତ୍ତମାନ ସେ ବିଜେପିର ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ସୋସିଆଲ ମିଡିଆ ଇନଚାର୍ଜ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଉଛନ୍ତି । ତାଙ୍କ ଛାତ୍ର ଜୀବନଠୁ ରାଜନୈତିକ ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଇଣ୍ଟରଭ୍ୟୁ ଟାଇମ୍ସ ତରଫରୁ ସ୍ୱତନ୍ତ୍ର ସାକ୍ଷାତାକାର…


ପ୍ରଶ୍ନ-ରାଜନୈତିକ ଇଚ୍ଛା କାହିଁକି ଜାଗ୍ରତ ହୋଇଥିଲା ?
-ଛାତ୍ର ଜୀବନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭଳି ସର୍ବବୃହତ ଛାତ୍ର ସଂଗଠନରେ ଯୋଗଦେଇଥିଲି । ବ୍ରହ୍ମପୁର ନଗର ସଂପାଦକ, ପ୍ରାନ୍ତର ସହସଂପାଦକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଉଛନ୍ତି । ଛାତ୍ର ଜୀବନରୁ ରାଜନୀତିରେ ପାଦଦେଇଥିଲି । ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲି । ଲୋକଙ୍କୁ ଭେଟି ତାଙ୍କ ସମସ୍ୟାର ମସାଧାନ କରିବା ମୋ ମନରେ ଜାଗରଣ ସୃଷ୍ଟି କରିଥିଲା । ପରେ କ୍ୟାରିଅର ଭାବେ ସାମ୍ବାଦିକତାକୁ ପ୍ରଥମେ ଆପଣାଇଥିଲି । ବିଭିନ୍ନ ସଂସ୍ଥାରେ କାମ କରିବା ପରେ ଲୋକଙ୍କ ସେବା କରିବାର ଇଚ୍ଛା ମୋତେ ରାଜନୀତିକୁ ଆସିବାକୁ ପ୍ରେରଣା ଦେଇଥିଲା ।

ପ୍ରଶ୍ନ- ରାଜନୀତି କରିବାକୁ ବିଜେପି କାହିଁକି ପସନ୍ଦ ପାଲଟିଲା ?
-ଆମେ ସ୍ବାମୀ ବିବେକାନନ୍ଦଙ୍କ ଚିନ୍ତାଧାରାରେ ବିଶ୍ୱାସ କରିଛୁ ଆଉ କାମ କରିଛୁ । ରାଷ୍ଟ୍ରୀୟ ସଦଭାବନା ହେଉଛି ଆମର ମୂଳମନ୍ତ୍ର । ରାଷ୍ଟ୍ର ହିତ ଆମ ନୀତି ଓ ଆଦର୍ଶ । ଦେଶରେ ରାଷ୍ଟ୍ରୀୟ ବିଚାରଧାରାରେ କାମ କରୁଥିବା ଦଳ ହେଉଛି ବିଜେପି । ବିଜେପିର ରାଷ୍ଟ୍ରୀୟ ଚିନ୍ତାଧାରା ରାଜନୀତିରେ ମୋ ପାଇଁ ପ୍ରେରଣା ସୃଷ୍ଟି କରିଥିଲା । ଏଣୁ ଜନସେବାରେ ନିଜକୁ ନିୟୋଜିତ କରିବାକୁ ବିଜେପି ହିଁ ମୋ ପାଇ ସର୍ବଶ୍ରେଷ୍ଠ ଚୟନ ।

ପ୍ରଶ୍ନ- ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ଇନଚାର୍ଜ ଭାବେ କାମ କରିବା କେତେ ଚ୍ୟାଲେଞ୍ଜିଂ ଆପଣଙ୍କ ପାଇଁ ?
-୨୦୧୪ ମସିହାରେ ସମ୍ମାନନୀୟ ନରେନ୍ଦ୍ର ମୋଦିଜୀ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ସମ୍ମାନନୀୟ ନରେନ୍ଦ୍ରଜୀଙ୍କ ପାଇଁ ଲୋକମାନେ ସେତେବେଳେ ସୋସିଆଲ ମିଡିଆରେ ସ୍ୱତଃପ୍ରବୃତ ଭାବେ କ୍ୟାମ୍ପେନ କରିଥିଲେ । ୨୦୧୪ ପରେ ସୋସିଆଲ ମିଡିଆରେ ଏକ ବଡ ଆନ୍ଦୋଳନ ସୃଷ୍ଟି ହୋଇଛି । ଏବେ ସୋସିଆଲ ମିଡିଆ ରାଜନୈତିକ ଦଳଙ୍କ ପାଇଁ ଗୋଟିଏ ବଡ ପ୍ଲାଟଫର୍ମ । ଭୋଟ ପ୍ରକ୍ରିୟାରେ ସୋସିଆଲ ମିଡିଆର ଗୁରୁତ୍ୱ ରହିଛି । ଏହାର ପରିଚାଳନା ପାଇଁ ଦଳ ମୋତେ ଗୁରୁଦାୟିତ୍ୱ ଦେଇଥିବାରୁ ମୁଁ କୃତଜ୍ଞ । ମହିଳାମାନଙ୍କୁ ଏକାଠି କରି ଆମ ସରକାରଙ୍କ ଜନହିତକାରୀ ଯୋଜନାକୁ ମହିଳାଙ୍କ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ମୁଁ ଗୁରୁତ୍ୱ ଦେଉଛି । ଦଳ ଦେଇଥିବାକୁ ଦାୟିତ୍ୱକୁ ତୁଲାଇ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଉଛି ।

ପ୍ରଶ୍ନ- ଓଡିଶାରେ ବିଜେପି ମହିଳା ମୋର୍ଚ୍ଚା ସୁପ୍ତ ଅବସ୍ଥାକୁ ଚାଲିଯାଉଛି କି ?
-ଓଡିଶାରେ ବିଜେପି ଜାଗ୍ରତ ଅବସ୍ଥାରେ ରହିଛି । ଆମେ ପ୍ରତିପକ୍ଷରେ ଅଛୁ, ପ୍ରତିବାଦ କରୁଛୁ ଆଉ କରୁଥିବୁ । ଓଡିଶାରେ ମହିଳା ଅସୁରକ୍ଷିତ । ଏନସିଆରବି ରିପୋର୍ଟରେ ଆସିଥିବା ତଥ୍ୟ ଚିନ୍ତାଜନକ । ଆମ ରାଜ୍ୟରେ ଶହଶହ ପିଲା ନିଖୋଜ ହୋଇଯାଉଛନ୍ତି । ସେମାନଙ୍କର ପତ୍ତା ମଧ୍ୟ ମିଳୁନି । ମହିଳା ନିର୍ଯାତନାରେ ଦେଶରେ ଓଡିଶା ଦ୍ୱିତୀୟ । ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ସବୁବେଳେ ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ନାରୀ ସୁରକ୍ଷା ଯାତ୍ରା ମାଧ୍ୟମରେ ଗାଁରେ ଗାଁରେ ଆମେ ସଚେତନତା ସୃଷ୍ଟି କରିଛୁ । ମହିଳା ହକ୍ ପାଇଁ ସବୁବେଳେ ବିଜେପି ପ୍ରତିବାଦ କରିଛି । କ୍ରିୟାର ପ୍ରତିକ୍ରିୟା ହେବା ଉଚିତ । ଗଣତନ୍ତ୍ରରେ ତାହା ହିଁ ହେଉଛି । ବିଜେପି ମହିଳା ମୋର୍ଚ୍ଚା ସବୁବେଳେ ମହିଳାଙ୍କ ସୁରକ୍ଷା ଓ ହକ୍ ପାଇଁ ଲଢେଇ କରୁଛି ଆଉ ଆଗକୁ ମଧ୍ୟ କରିବ ।

ପ୍ରଶ୍ନ- ମିଶନ ଶକ୍ତିକୁ ନେଇ ଆପଣ କଣ କହିବେ ?
-ମିଶନ ଶକ୍ତି ରାଜ୍ୟ ସରକାରଙ୍କ ପ୍ରଚାର ସର୍ବସ୍ୱ । ମିଶନ ଶକ୍ତି ମହିଳା ସଶକ୍ତିକରଣ ନୁହେଁ ବରଂ ଭୋଟ ବେଳେ ବିଜେଡି ସରକାରର ହାତବାରିସି ସାଜିଛି । ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ଯାହା ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ତାହାର ରୂପାୟନ କରିଥିଲେ ରାଜ୍ୟରେ ଆଜି ମହିଳା ଘରେ ବସିନଥାନ୍ତେ । ମିଶନ ଶକ୍ତି ନାଁରେ ଢୋଲ ବଜାଇ ମହିଳାଙ୍କୁ ରାଜନେତିକ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଓଡିଶାର ମହିଳା ମାନେ ଦକ୍ଷ । କିନ୍ତୁ ଆଜିଯାଏ ଆମ ରାଜ୍ୟରୁ ଆଖିଦୃଶିଆ ମହିଳା ଉଦ୍ୟୋଗୀ ବାହାରିନାହାନ୍ତି । ସରକାର ଖାଲି ମେଳା ଲଗାନ୍ତି ମାତ୍ର ମହିଳା ସଶକ୍ତିକରଣ ପ୍ରଚାର ଧୂଆଁବାଣ ।

ପ୍ରଶ୍ନ- କେନ୍ଦ୍ର ଓଡିଶାକୁ ଅବହେଳା କରୁଛି, ଏହା କେତେ ସତ ?
-ବିଜେପି ସରକାର ଓଡିଶାକୁ ଯାହା ଦେଉଛି ତାହା ଆଜିଯାଏ କେହି ଦେଇନଥିଲେ । କେନ୍ଦ୍ର ଦେଉଥିବା ଟଙ୍କାକୁ ଓଡିଶା ସରକାର ଖର୍ଚ୍ଚ କରିପାରୁନାହାନ୍ତି । ଅନେକ ଯୋଜନାରେ ଟଙ୍କା ପଡିରହି ଫେରିଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି କେଳେଙ୍କାରୀ କରୁଛି । ସବୁ ଗରିବଙ୍କ ମୁଣ୍ଡକୁ ପକ୍କା ଘର ଦେବାକୁ ମାନନୀୟ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ୱପ୍ନକୁ ଓଡିଶା ସରକାର ପୂରଣ ହେବାକୁ ଦେଉନାହାନ୍ତି । ପ୍ରକୃତ ଲାଭାର୍ଥୀକୁ ଆବାସ ନଦେଇ ଦଳୀୟ କର୍ମଚାରୀଙ୍କୁ ବାଣ୍ଟୁଛନ୍ତି । ରାସନଠୁ ଆରମ୍ଭ କରି ପ୍ରତି ଯୋଜନାରେ ଦୁର୍ନୀତି ହେଉଛି । ବିଜେଡି ସରକାର ସଂଘୀୟ ବ୍ୟବସ୍ଥାରେ କାମ କଲେ ଲୋକ ଫାଇଦା ପାଇପାରନ୍ତେ । ମାତ୍ର ବିଜେଡି ବାବୁ ବ୍ୟବସ୍ଥାରେ କାମ କରୁଛି ।

ପ୍ରଶ୍ନ-ଫାଇଭ-ଟିକୁ ନେଇ ଆପଣଙ୍କ ଆଭିମୁଖ୍ୟ କଣ ?
– ସ୍କୁଲରେ ଚୁନ ମାରି ସବୁଜ ରଙ୍ଗ ମାରିଦେଲେ ରୂପାନ୍ତରଣ ହୋଇଯାଏନି । ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନାରେ ଡାକ୍ତର ନାହାନ୍ତି । ଫାଇଭ-ଟି ଭଳି ଚିନ୍ତାଧାରାରେ ଆଜିଯାଏ କଣ ପରିବର୍ତ୍ତନ ହୋଇଛି ? ମୁଖ୍ୟମନ୍ତ୍ରୀ ଲୋକସେବା ଭବନ ଯାଉନାହାନ୍ତି, ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନାହାନ୍ତି । ଗତ ୨୩ ବର୍ଷ ଭିତରେ ସରକାର କେତେ ମନ୍ଦିରର ଉନ୍ନତିକରଣ କରିଛନ୍ତି । ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାର ଅର୍ଥ ଦେଉଛନ୍ତି । ଫାଇଭ-ଟିକୁ ନେଇ ରାଜ୍ୟରେ କେବଳ ପ୍ରହେଳିକା ସୃଷ୍ଟି କରାଯାଉଛି । ଫାଇଭ-ଟି ଏକ ଫମ୍ପା ମାଠିଆ ।

ପ୍ରଶ୍ନ- ଲୋକଙ୍କ ପାଖରେ ସତ ପହଞ୍ଚାଇବା ଆପଣଙ୍କ ଏଜେଣ୍ଡା କଣ ?
-ଯାହା ସତ ଆମେ ତାହା କହୁଛୁ । ଲୋକଙ୍କ ପାଖକୁ ସତ ନେଇଯାଉଛୁ । ବିଜେଡି କେବଳ ମିଛ ଡିଣ୍ଡିମ ପିଟୁଛି । ଲୋକମାନେ ସତକୁ ବୁଝିଲେଣି । ଆଗାମୀ ଦିନରେ ଜବାବ ଦେବେ ।

ପ୍ରଶ୍ନ-ଓଡିଶାରେ ବିଜେପି-ବିଜେଡି ଫ୍ରେଣ୍ଡଲି ମ୍ୟାଚ୍ ଚାଲିଛି ?
-ଇଏ ଶୁଣା କଥା ରାଜ୍ୟବାସୀ ଠିକ ଜାଣିଛନ୍ତି ତାଙ୍କ ପାଇଁ କିଏ ଲଢେଇ କରୁଛି । ଆମେ ବିଜେଡିର ସବୁ ଜନବିରୋଧୀ ନୀତିକୁ ବିରୋଧ କରୁଛୁ । ଆବାସ ଦୁର୍ନୀତି ବେଳେ ମୁହଁ ଖୋଲିଛୁ । ରାଜ୍ୟରେ ନାରୀ ନିର୍ଯାତନା ନେଇ ଆନ୍ଦୋଳନକୁ ଓହ୍ଲାଇଛୁ । ସଂଘୀୟ ଢାଞ୍ଚାରେ କେନ୍ଦ୍ର ସରକାର ଓଡିଶା ସରକାରଙ୍କ ସହ ଆଲୋଚନା କରନ୍ତି । ମାତ୍ର ଏଥିରେ ଦଳୀୟ ସମ୍ପର୍କ କିଛି ନାହିଁ । ଯାହା ଚର୍ଚ୍ଚା ହେଉଛି ତାହା ତୁଣ୍ଡବାଇଦ ସହସ୍ର କୋଶ ଭଳି । ଆଗାମୀ ଦିନରେ ଲଢେଇ ହେବ, ଜନତା ବିଚାର କରିବେ ।

ପ୍ରଶ୍ନ-ଦ୍ରୌପଦୀ ମୁର୍ମୁ ଆମ ଦେଶର ରାଷ୍ଟ୍ରପତି ହେଲେ ଏହା କେତେ ଗୌରବର ବିଷୟ ?
-ଯେତେବେଳେ ମହିଳା ମାନେ ପ୍ରାୟ ରାଜନୀତିରେ ନଥିଲେ ସେତେବେଳେ ମହିଳାଙ୍କ ଭିତରେ ଅଧିକାରକୁ ନେଇ ସଚେତନ କରିଥିଲେ ମାଡାମ ଦ୍ରୌପଦୀ । ତାଙ୍କ ଜୀବନ ପ୍ରତି ମହିଳାଙ୍କ ପାଇଁ ପ୍ରେରଣା । ଏଭଳି ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଦେଶର ରାଷ୍ଟ୍ରପତି କରି ଦେଶ ପାଇଁ ଗୌରବ ଆଣିଛନ୍ତି । ମାଡାମ ଦ୍ରୌପଦୀଙ୍କ ପାଇଁ ଖାଲି ମୁଁ ନୁହେଁ, ଆଜି ଦେଶର ସମସ୍ତ ମହିଳା ଗର୍ବିତ ।

ପ୍ରଶ୍ନ-ସୁଜାତା ମାଡାମ ଆଗାମୀ ଦିନରେ ନିର୍ବାଚନ ଲଢିବେ ?
-ମୁଁ ଦଳର ଜଣେ ସାଧାରଣ କର୍ମୀ । ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି ତାକୁ ସୂଚାରୁରୂପେ ପାଳନ କରିଛି । ମୁଁ ମୋ କର୍ତ୍ତବ୍ୟ କରୁଛି । ଦଳ ଆଗାମୀ ଦିନରେ ଯେଉଁ ଦାୟିତ୍ୱ ଦେବ ତାହା ତୁଲାଇବି ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

Subscribe to our Newsletter

Leave a Comment