ଉଦ୍ଘାଟନ ହେଲା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଜଳସମ୍ପଦ ବିଭାଗରେ ଓଡ଼ିଶା ରାଜ୍ୟ ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ର ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜଳସମ୍ପଦର ସୁପରିଚାଳନା ପାଇଁ ପାଣିପାଗଜନିତ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ କରାଯିବ। ବର୍ଷା, ନଦୀଜଳ ଓ ଜଳାଶୟଗୁଡ଼ିକର ଜଳଧାରଣ କ୍ଷମତାର ଠିକ୍ ସମୟାନୁକ୍ରମିକ ତଥ୍ୟ ସଂଗ୍ରହ କରାଯାଇ ଏହାର ବୈଜ୍ଞାନିକ ବିଶ୍ଳେଷଣ କରାଯିବ। ରାଜ୍ୟ ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ଦ୍ବାରା ଜଳସମ୍ପଦ ବିଭାଗର ଦକ୍ଷତା ଯଥେଷ୍ଟ ପରିମାଣରେ ବୃଦ୍ଧିପାଇବ।
ବନ୍ୟା ବିପର୍ଯ୍ୟୟ ସମୟରେ ୨୪ ଘଣ୍ଟିଆ ତଦାରଖ ଓ ନିର୍ଦ୍ଦେଶନା କାର୍ଯ୍ୟ ନିର୍ବାହ କରିବା ପାଇଁ ଏକ ସମନ୍ବିତ ନିର୍ଦ୍ଦେଶ ନିୟନ୍ତ୍ରଣ କେନ୍ଦ୍ର ଇଣ୍ଟିଗ୍ରେଟେଡ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ମଧ୍ୟ ଗଠନ କରାଯାଇଛି। ଜଳସମ୍ପଦ ବିଭାଗର ସୂଚନା ଓ ଜଳବିଜ୍ଞାନରେ ବିଶେଷ ରୁଚି ରଖୁଥିବା ଯନ୍ତ୍ରୀମାନେ ଏଥରେ ନିୟୋଜିତ ହୋଇଛନ୍ତି। ଏହାଛଡ଼ା ଏଥିରେ କୃଷି ଓ କୃଷକ ସଶସ୍ତ୍ରୀକରଣ, ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆଦି ଆନ୍ତଃ ବିଭାଗୀୟ ବ୍ୟବହାର ଓ ବିଶ୍ଳେଷଣ ପାଇଁ ଜଳବିଜ୍ଞାନ କେନ୍ଦ୍ରରୁ ତଥ୍ୟ ଯୋଗାଇ ଦିଆଯିବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ତଥା ନବୀନ ଓଡ଼ିଶା ଅଧ୍ଯକ୍ଷ ଭି.କେ. ପାଣ୍ଡିଆନ ଉପସ୍ଥିତ ଥିଲେ ।