ଜାତୀୟ

ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ପୂର୍ବତନ ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମକୁ ଅନୁମୋଦନ କରିଛି। ମଙ୍ଗଳବାର ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡର ବୈଠକ ପରେ ତାଙ୍କ ନାମରେ ସହମତି ପ୍ରକାଶ ପାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ଦଳର ସମସ୍ତ ବଡ ନେତା ଯୋଗ ଦେଇଛନ୍ତି।
ବୈଠକ ପରେ ବିଜେପି ସଭାପତି ଜେପି ନାଡା କହିଛନ୍ତି ଯେ ଏହି ବୈଠକରେ 20ଜଣଙ୍କ ନାମ ଉପରେ ଆଲୋଚନା କରାଯାଇଛି। ଏହି ସମୟରେ ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ପୂର୍ବ ଭାରତର ଜଣେ ଦଳିତ ମହିଳାଙ୍କୁ ଚୟନ କରାଯିବା ଉଚିତ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହା ପରେ ମୁର୍ମୁଙ୍କ ନାମ ଅନୁମୋଦନ କରାଯାଇଛି ।
ଝାଡ଼ଖଣ୍ଡର ନବମ ରାଜ୍ୟପାଳ ଥିବା 64 ବର୍ଷର ଦ୍ରୌପଦୀ ମୁର୍ମୁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା । ୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ସେହି ସମାନ ବର୍ଷ ସେ ରାଜ୍ୟ ବିଜେପିର ଏସଟି ମୋର୍ଚ୍ଚାର ଉପ-ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ପରେ ୨୦୦୦ରୁ ୨୦୦୪ ଏବଂ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ବିଧାୟିକା ଭାବେ ନିର୍ବାଚନ ଜିତିଥିଲେ । ତେବେ ତାଙ୍କର ଏଭଳି କାମ ପରେ ତାଙ୍କୁ ବିଜେପି ଏସଟି ମୋର୍ଚ୍ଚାର ନ୍ୟାସନାଲ ଏକ୍ସକୁଟିଭ୍ ମେମ୍ବର ପଦ ମିଳିଥିଲା, ସେ ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର ସଭାପତି ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ ।
ସେ ହେଉଛନ୍ତି ପ୍ରଥମ ଓଡିଆ ନେତା ଯିଏକି ରାଜ୍ୟପାଳ ହୋଇଛନ୍ତି। ଏହାପୂର୍ବରୁ ସେ 2002 ରୁ 2004 ପର୍ଯ୍ୟନ୍ତ ବିଜେପି-ବିଜେଡି ମିଳିତ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ମୁର୍ମୁ ମଧ୍ୟ ଝାଡ଼ଖଣ୍ଡର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ହୋଇଛନ୍ତି।
ସୂଚନା ଯୋଗ୍ୟ ଯେ, ବିରୋଧୀ ୟୁପିଏ ପକ୍ଷରୁ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିଲା । ଏଣୁ ଏଥର ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ଓ ଯଶବନ୍ତ ସିହ୍ନାଙ୍କ ମଧ୍ୟରେ ଲଢେଇ ହେବ ।