ଲିଜ୍ ଟ୍ରସଙ୍କ ଇସ୍ତଫା ପରେ ବ୍ରିଟେନରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଶେଷ ହୋଇଛି । ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିଛି ଦିନ ତଳେ ଦ ଗାର୍ଡିୟନ ନିଜର ରିପୋର୍ଟରେ କହିଥିଲା ଯେ, ବ୍ରିଟେନର ଅଧିକାଂଶ ଲୋକେ ଏବଂ କନଜରଭେଟିଭ ପାର୍ଟିର ଅନେକ ନେତା ସେପ୍ଟେମ୍ୱରରେ ହିଁ ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଥିଲେ। ଲିଜ୍ ଟ୍ରସଙ୍କ ଚୟନ ଭୁଲ ପ୍ରମାଣିତ ହେଲା। ଋଷି ସୁନକ ବିତର୍କ ସମୟରେ ଲିଜ୍ ଟ୍ରସଙ୍କ ଟ୍ୟାସ ହ୍ରାସ ବ୍ରିଟେନ ଅର୍ଥ ବ୍ୟବସ୍ଥା ଉପରେ ଘାତକ ପ୍ରମାଣିତ ହେବ ବୋଲି କହିଥିଲେ।
ଋଷି ସୁନକଙ୍କ ବାପା-ମାଆ ଭାରତୀୟ। ୧୯୮୦ ମସିହା ମେ ୧୨ରେ ଇଂଲଣ୍ଡର ସାଉଥମ୍ପଟନ୍ ଋଷି ସୁନକଙ୍କ ଜନ୍ମ ହୋଇଥିଲା । ଋଷି ସୁନକଙ୍କ ଜେଜେ ବାପା-ଜେଜେ ମାଆ ଭାରତରୁ ଯାଇ ଆଫ୍ରିକାରେ ବାସ କରିଥିଲେ । ଏହାପରେ ତାଙ୍କ ବାପା ଆଫ୍ରିକାରୁ ଯାଇ ବ୍ରିଟେନରେ ରହିଥିଲେ । ବ୍ରିଟେନରେ ହିଁ ତାଙ୍କ ବାପା-ମାଆଙ୍କ ବିବାହ ହୋଇଥିଲା।
୪୨ ବର୍ଷୀୟ ଋଷି ସୁନକ ଭାରତର ବିଶିଷ୍ଟ ବ୍ୟବସାୟୀ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି । ଋଷି ଏବଂ ଅକ୍ଷତାଙ୍କ ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା । ବ୍ରିଟେନରେ ଋଷି ସୁନକଙ୍କ ବେଶ ଖାତିର । ସେ ଜଣେ ଧନୀ ସାଂସଦ ରୂପେ ପରିଚିତ । ତାଙ୍କର ସମ୍ପତ୍ତି ୭୩୦୦ କୋଟି ଟଙ୍କାରୁ ଅଧିକ । ପତ୍ନୀ ଅକ୍ଷତା ତାଙ୍କ ଠାରୁ ବି ବହୁ ଅଧିକ ଧନୀ।