ବିଶ୍ୱରେ ଚିହ୍ନଟ ହେଉଥିବା କର୍କଟ ରୋଗୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ କର୍କଟର କାରଣ ତମାଖୁ ସେବନ ବୋଲି ଜଣାପଡିଛି । ତମାଖୁ ସେବନ ବା ଧୁମ୍ରପାନ ଆପଣଙ୍କ ହାର୍ଟ, ଗଳା, ମୁହଁ, ଖାଦ୍ୟନଳୀ ଓ ଗର୍ଭାଶୟକୁ ଆକ୍ରାନ୍ତ କରିଥାଏ । ମୁହଁ ଓ ପାନକ୍ରିଆଜକୁ ତମାଖୁ ଓ ଧୂଆଁ ସର୍ବାଧିକ ପ୍ରଭାବିତ କରିଥାଏ । କେବଳ ଆପଣ ତମାଖୁ ଖାଇଲେ ଯେ ଏଭଳି ହୋଇଥାଏ ତା ନୁହେଁ, ଯଦି ଆପଣ ଧୁମ୍ରପାନ କରୁଥିବା ଲୋକଙ୍କ ପାଖରେ ବସୁଛନ୍ତି ତ ତାହା ବି ଆପଣଙ୍କ ପାଇଁ ବିପଦର କାରଣ ହୋଇପାରେ ।
ଭାରତ ସମେତ ୭ ଦେଶରେ ଧୂମପାନଜନିତ କ୍ୟାନ୍ସରରେ ବର୍ଷକୁ ୧୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଲାନ୍ସେଟ୍ର ଇ-କ୍ଲିନିକାଲ ମେଡିସିନ୍ ପତ୍ରିକାରେ ଏହା ପ୍ରକାଶ ପାଇଛି। ବିଶ୍ୱରେ ପ୍ରତିବର୍ଷ କ୍ୟାନ୍ସରରେ ଯେତିକି ମୃତ୍ୟୁ ଘଟୁଛି, ତାହାର ଅଧାରୁ ଅଧିକ ଉପରୋକ୍ତ ୭ ଦେଶରେ ହେଉଛି। ଧୂମପାନ ସହିତ ମଦ୍ୟପାନ, ମେଦବହୁଳତା, ହ୍ୟୁମାନ୍ ପାପିଲୋମା ଭାଇରସ୍ସଂକ୍ରମଣ ଯୋଗୁ ମୋଟ ୨୦ ଲକ୍ଷ ଲୋକ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି। ଅନ୍ତର୍ଜାତୀୟ କ୍ୟାନ୍ସର ଗବେଷଣା ସଂସ୍ଥା ଲଣ୍ଡନର କୁଇନ୍ ମେରି ବିଶ୍ୱବିଦ୍ୟାଳୟ ଏବଂ କିଙ୍ଗସ୍ କଲେଜ ଲଣ୍ଡନର ଗବେଷକମାନେ ଏହି ଅଧ୍ୟୟନ କରିଛନ୍ତି। କର୍କଟ ରୋଗ ଯୋଗୁ ଆୟୁଷ କମୁଥିବା ଉପରେ ମଧ୍ୟ ସେମାନେ ଅଧ୍ୟୟନ କରିଥିଲେ। ଉପରୋକ୍ତ ୪ଟି ପ୍ରତିକାରାତ୍ମକ ରିସ୍କ ଫ୍ୟାକ୍ଟର ଯୋଗୁ ପ୍ରତିବର୍ଷ ୩୦ ନିୟୁତରୁ ଊର୍ଦ୍ଧ୍ୱ ବର୍ଷ ବୟସ କ୍ଷୟ ହେଉଛି। ଆୟୁଷ ହ୍ରାସ ପାଇବାରେ ସବୁଠୁ ବଡ଼ ପ୍ରଭାବ ଧୂମପାନର ରହିଛି। ଏଥିପାଇଁ ଜୀବନର ୨୦.୮ ନିୟୁତ ବର୍ଷ ହ୍ରାସ ପାଉଥିବା ଗବେଷଣାରେ କୁହାଯାଇଛି।