, , , ,

ବିଶ୍ବ ବାଣିଜ୍ୟ ଆକାଶରେ ଉଜ୍ବଳ `ତାରା’

4.3
(6)

ବେଳେବେଳେ ଜୀବନରେ ସମୟ ବାଟ ଦେଖାଏ, ସଂଘର୍ଷ ପ୍ରଗତିର ପଥ ପ୍ରସ୍ତୁତ କରେ । ନୂଆ ଆଶା, ଉନ୍ମେଶ ଆଉ ସ୍ବପ୍ନ ସଫଳତାର ସମ୍ଭାବନାକୁ ଉଜ୍ବଳ କରେ । କେନ୍ଦୁଝରର ଯୁବକଟିଏ ବିଶ୍ବବିଖ୍ୟାତ ହୋଇପାରେ ଆଉ ଓକିଲାତିର ବୃତ୍ତି ବ୍ୟବସାୟରେ ବଦଳିଯାଏ । ୨ ଲକ୍ଷ ଟଙ୍କାର ପୁଞ୍ଜି ହଜାର ହଜାର କୋଟି ଟଙ୍କାରେ ପରିଣତ ହୋଇପାରେ, ଟ୍ରଲରରୁ ଜୀବନ ଆରମ୍ଭ କରିଥିବା ଯୁବକଟି ବିଶ୍ବରେ ମେରାଇନ ଏକ୍ସପୋର୍ଟର ପୋଷ୍ଟର ବୟ ସାଜିପାରେ । ଏକାଗ୍ରତା, ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମ ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଏ ନିଶ୍ଚିତ ସତର ସର୍ବଶ୍ରେଷ୍ଠ ଉଦାହରଣ ହେଉଛନ୍ତି ଓଡ଼ିଆ ପୁଅ,  ବିଶ୍ବ ବାଣିଜ୍ୟ ମାନଚିତ୍ରର ସାଇନିଂ ଷ୍ଟାର ତାରାରଞ୍ଜନ ପଟ୍ଟନାୟକ ।

ତାରାରଞ୍ଜନ ପଟ୍ଟନାୟକ । ଦେଶର ଜରୁରୀକାଳୀନ ସ୍ଥିତିରେ ନିଜ ଭବିଷ୍ୟତକୁ ନେଇ ସନ୍ଦିହୀନ ହୋଇପଡ଼ିଥିବା ମଧ୍ୟବିତ୍ତ ପରିବାରର ଯୁବକଟିଏ  । ଆଜି ବିଶ୍ବରେ ବିଶିଷ୍ଟ ଶିଳ୍ପପତିଭାବେ ପରିଚିତ ତାରାରଞ୍ଜନଙ୍କ କାହାଣୀ ଆରମ୍ଭ ହୁଏ କେନ୍ଦୁଝର ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ  ।  ୧୯୫୩ ମସିହା ମାର୍ଚ୍ଚ ୧ତାରିଖରେ ଆନନ୍ଦପୁରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ତାରରଞ୍ଜନ ।ବାପା ପଦ୍ମନାଭ ପଟ୍ଟନାୟକ ଜଣେ ଓକିଲ ଥିଲେ । ୧୯୫୪ ମସିହାରେ ଆନନ୍ଦପୁରର ଏକ ସରକାରୀ ବିଦ୍ୟାଳୟରେ ତାଙ୍କ ଶିକ୍ଷାଗତ ଜୀବନ ଆରମ୍ଭ କରିଥିଲେ  । ପରେ ୧୯୬୯ ମସିହାରେ ଭଦ୍ରକ କଲେଜରେ ଯୁକ୍ତଦୁଇରେ ନାମ ଲେଖାଇଥିଲେ  । ସେଠାରେ କଲେଜରେ ବାରମ୍ବାର ଷ୍ଟ୍ରାଇକ୍ ଏବଂ ଛାତ୍ର ଆନ୍ଦୋଳନ ଯୋଗୁଁ ସେ ବିଚଳିତ ହୋଇପଡ଼ିଥିଲେ। ପରେ କେନ୍ଦୁଝରକୁ ପେରିଆସି ସେଠାରେ ସ୍ନାତକ ଶେଷ କରିଥିଲେ । ବାପାଙ୍କ ଭଳି ଜଣେ ଓକିଲ ହେବାକୁ ସ୍ବପ୍ନଦେଖି ପରେ ଓକିଲାତିରେ କ୍ୟାରିଅର କରିଥିଲେ । ଓକିଲ ଭାବେ ପ୍ରତିଷ୍ଠିତ ହେବାକୁ ସ୍ବପ୍ନ ଦେଖୁଥିବା ତାରାଙ୍କୁ କିନ୍ତୁ ଏକ ନୂଆ ଦୁନିଆ ଅପେକ୍ଷା କରିଥିଲା । ୧୯୭୫ ମସିହାରେ ଯେତବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହୋଇଥିଲା ସେତେବେଳେ ତାରାଙ୍କ ଜୀବନ ଆକାଶରେ ଉଇଁଥିଲା ଏକ ନୂତନ ସୂର୍ଯ୍ୟ । ଆଶା ଓ ଆଶଙ୍କାର ତାରା ମେଳରେ ନୂଆ ଏକ ଦୁନିଆରେ ପାଦ ଥାପିଥିଲେ ତାରାରଞ୍ଜନ ପଟ୍ଟନାୟକ  ।

୧୯୭୫ ମସିହାରେ ବ୍ୟବସାୟରେ ପାଦ ଦେବାକୁ ତାରାଙ୍କୁ ପରାମର୍ଶ ଦେଇଥିଲେ ତାଙ୍କରି ଜଣେ ନିବିଡ଼ ବନ୍ଧୁ  । ଗୋଟିଏ ମାଛଧରା ଟ୍ରଲର କିଣିବାକୁ ତାଙ୍କ ସାଙ୍ଗ ପରାମର୍ଶ ଦେଇଥିଲେ । ବ୍ୟବସାୟରେ ଲାଭକ୍ଷତିକୁ ଚିହ୍ନିନଥିବା ତାରା ସେଦିନ ସାଙ୍ଗଙ୍କ ଭରସାରେ ନୂଆ ଜୀବନ ଆରମ୍ଭ କରିଥିଲେ  । ଉଭୟ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଋଣ ନେଇ  ୩ରୁ ୪ଟି ଟ୍ରଲର କିଣିଥିଲେ  । ଏଥିରେ ୧୦ ଜଣଙ୍କୁ ଚାକିରି ଦେଇ ଟ୍ରଲରରେ ମାଛ ଧରିବାକୁ ପଠାଉଥିଲେ  । ହେଲେ ଆରମ୍ଭରୁ ସଫଳତା ବୋଧହୁଏ ତାରାଙ୍କ ଭାଗ୍ୟରେ ଲେଖାନଥିଲା  । ଟ୍ରଲର ବ୍ୟବସାରେ କ୍ଷତି ସହିଥିଲେ ତାରାରଞ୍ଜନ  । ହେଲେ ଏ କ୍ଷତି ତାଙ୍କ ସଫଳତାର ବାଟକୁ ପରିଷ୍କାର କରିଥିଲା  । ଓକିଲ ସାଜିଥିବା ତାରା ବ୍ୟବସାୟରେ ପାଦ ଦେବାକୁ ସ୍ଥିର କରିସାରିଥିଲେ  । ୧୯୭୮ ମସିହାରେ ତାରା ଆରମ୍ଭ କଲେ ଆଉ ଏକ ଅଧ୍ୟାୟ  । ଏଥର ମତ୍ସ୍ୟଜୀବୀଙ୍କଠାରୁ ଚିଙ୍ଗୁଡ଼ି କିଣି ନିଜେ ବଡ଼ବଡ଼ ରପ୍ତାନୀକାରୀ କମ୍ପାନୀକୁ ଯୋଗାଇଲେ  । ସେବେଠୁ ଦୀର୍ଘ ୭ବର୍ଷ ପର୍ଯ୍ୟନ୍ତ ଦେଶ ବିଦେଶର ବିଭିନ୍ନ ଏକ୍ସପୋର୍ଟ କମ୍ପାନୀକୁ ଚିଙ୍ଗୁଡ଼ି ଯୋଗାଇଲେ ତାରା  । ଏହାପରେ  ୧୯୮୫ ମସିହାରେ ପ୍ରତିଷ୍ଠି  କଲେ ନିଜର ପରିଚୟ  । ଯାହାର ନାଁ ରଖିଲେ ଫାଲକନ୍  । ଫାଲକନ ମେରାଇନ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ ସ୍ଥାପନ କଲେ ତାରାରଞ୍ଜନ ପଟ୍ଟନାୟକ । ଆକାଶରେ ଫାଲକନ ଭଳି ଢେର ବ୍ୟବସାୟର ଆକାଶରେ ଢେର ଉଚ୍ଚରେ ଉଡ଼ିବାର ଆଶା ରଖି କମ୍ପାନୀର ନାଁ ଫାଲକନ ରଖିଥିଲେ ତାରା  । ୧୯୮୭-୮୮ ମସିହାରେ କମ୍ପାନୀ ଆରମ୍ଭ କରିବା ବେଳକୁ ତାଙ୍କର ଟର୍ଣ୍ଣ ଓଭର ରହିଥିଲା ମାତ୍ର  ୪.୬୬ କୋଟି ଟଙ୍କା  । ପରେ ସେ ନିଜେ ପ୍ରୋସେସିଂ ୟୁନିଟ ପ୍ରତିଷ୍ଠା କରିବାକୁ ମନସ୍ଥ କରିଥିଲେ  । ୧୯୯୩ରେ ଭୁବନେଶ୍ବର ମଞ୍ଚେଶ୍ବରରେ ୧୫ ଏକର ଜମିରେ ୨୦କୋଟି ଟଙ୍କା ବିନିଯୋଗରେ ପ୍ରୋସେସିଂ ୟୁନିଟ ସ୍ଥାପନ କରିଥିଲେ  । ତା ପରବର୍ଷ ଅର୍ଥାତ ୧୯୯୪ରେ ପାରାଦୀପରେ ୧୪ ଏକର ଜମିରେ ଆଉ ଏକ ପ୍ରୋସେସିଂ ୟୁନିଟ ସ୍ଥାପନ କଲେ  । ୧୯୯୦-୯୧ରେ ତାଙ୍କ କମ୍ପାନୀର ଟର୍ଣ୍ଣଓଭର ୧୨ କୋଟି ଟଙ୍କା ପାର କରିସାରିଥିଲା  । ଏବଂ ବର୍ଷକୁ ୮୫୦ ଟନ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରୁଥିଲା । ୧୯୯୯ ମହାବାତ୍ୟା ପରେ ଛୋଟଛୋଟ ମତ୍ସ୍ୟଜୀବୀଙ୍କୁ ଚିଙ୍ଗୁଡ଼ି ଚାଷ ପାଇଁ ପ୍ରୋତ୍ସାହନ ଦେଇଥିଲା କମ୍ପାନୀ  । ଫଳରେ କମ୍ପାନୀର ଲାଭ ହେବା ସହ ଚାଷୀମାନେ ମଧ୍ୟ ସଶକ୍ତ ହୋଇଥିଲେ  । ୨୦୦୦-୨୦୦୧ ମସିହାରେ କମ୍ପାନୀର ଟର୍ଣ୍ଣଓଭର ୧୫୭ କୋଟି ଛୁଇଁଥିବାବେଳେ ୩୧୦୦ ଟନ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରୁଥିଲା ଫାଲକନ୍  । ୨୦୦୬ରେ କମ୍ପାନୀ ଷ୍ଟିଲ୍ ବିଜନେସରେ ମନୋନିବେଶ କରିଛି  । ଏବେ କମ୍ପାନୀ ବିଦେଶରେ ମଧ୍ୟ କାର୍ଯ୍ୟାଳୟ ଖୋଲିସାରିଥିବାବେଳେ ୩୦୦ ଏକର ଜମିରେ ନିଜ ବ୍ୟବସାୟ ଚଳାଇଛି  ।  କମ୍ପାନୀର ଟର୍ଣ୍ଣଓଭର ୧୫୦୦କୋଟି ଟଙ୍କା ପାର କରିଛି  ।

ସେଦିନ ୨ଲକ୍ଷ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିଲା ତାରାରଞ୍ଜନ ଆଜି କୋଟିକୋଟି ଟଙ୍କାର ମାଲିକ । ଟ୍ରଲରରେ ବସି ନୂଆ ଦୁନିଆର ସ୍ବପ୍ନ ଦେଖିଥିବା ଯୁବକ ଜଣଙ୍କ ଆଜି ବିଶ୍ବର ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।  ରିଅଲ ଇଷ୍ଟେଟ୍ ଏବଂ ଇସ୍ପାତ ଆଦି କ୍ଷେତ୍ରରେ ମଧ୍ୟ ଫାଲକଲ ସଫଳତା ପାଇଛି ।  ତାଙ୍କ କମ୍ପାନୀରେ ହଜାର ଜଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି  । ଦେଶର ସର୍ବୋଚ୍ଚ ମୂଲ୍ୟ ରପ୍ତାନିକାରୀ ହୋଇଥିବାରୁ ତାରା ରଂଜନଙ୍କୁ MPEDA ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ବିକାଶ ପ୍ରାଧିକରଣ ପୁରସ୍କାର ପ୍ରଦାନ କରାଯାଇଛି  । ଧନୀ ତାଲିକାର ଭାରତରେ ୫୭୨ତମ ସ୍ଥାନରେ ଅଛନ୍ତି ତାରା । ‘ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୩’ରେ ସ୍ଥାନ ପାଇଛନ୍ତି ବିଶିଷ୍ଟ ଶିଳ୍ପପତି ତାରା ରଞ୍ଜନ ପଟ୍ଟନାୟକ। ଏହି ପତ୍ରିକା ତରଫରୁ ବିଶିଷ୍ଟ ବ୍ୟକ୍ତି ଓ କମ୍ପାନିମାନଙ୍କ ସଫଳତାକୁ ନେଇ ପ୍ରତିବର୍ଷ ଏକ ବାର୍ଷିକ ବିଶେଷାଙ୍କ ପ୍ରକାଶ ପାଇଥାଏ । ଏକମାତ୍ର ଓଡ଼ିଆ ଭାବରେ ତାରାରଞ୍ଜନ ଏଥିରେ ସ୍ଥାନ ପାଇଛନ୍ତି । କମ୍ପାନିର ସାମଗ୍ରିକ କାରବାର ଓ ଲାଭାଂଶକୁ ତର୍ଜମା କରିବା ପରେ, ୫ ବର୍ଷ ଭିତରେ ୭୬% ପ୍ରଗତି ହୋଇପାରିଥିବା ହୁରୁନ୍ ସୂଚନା ଦେଇଛି ।

How useful was this post?

Click on a star to rate it!

Average rating 4.3 / 5. Vote count: 6

No votes so far! Be the first to rate this post.

Subscribe to our Newsletter

Leave a Comment