ଆଜି ଅଗ୍ରପୂଜ୍ୟ ଶ୍ରୀଗଣେଶ ଚତୁର୍ଥୀ
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭା, ନିର୍ଭିଘ୍ନ କୁରୁ ମେ ଦେବ ସର୍ବକାର୍ଯେ ସୁସର୍ବଦା । ଆଜି ହେଉଛି ବିଘ୍ନରାଜ ଶ୍ରୀଗଣେଶଙ୍କ ପବିତ୍ର ଜନ୍ମ ତିଥି । ଧରାପୃଷ୍ଠରେ ବିରାଜମାନା କରିଛନ୍ତି ପାର୍ବତୀ ନନ୍ଦନ ପ୍ରଭୁ ଗଜାନନ । ଯେକୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ, ଅନ୍ୟ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ, ଗଣେଶଙ୍କ ପୂଜା ବ୍ୟତୀତ ଆରମ୍ଭ କରାଯାଏ ନାହିଁ | ତେଣୁ ସମସ୍ତ କାର୍ଯ୍ୟରେ ସେ ଅଗ୍ରପୂଜ୍ୟ | ବିଘ୍ନରାଜ ବା ବିଶ୍ଳେଶ ହୋଇଥିବାରୁ ଗଣେଶଙ୍କୁ ପୂଜା କରି ଯେକୌଣସି କାର୍ଯ୍ୟର ଶୁଭାରମ୍ଭ କଲେ ତାହା ନିର୍ବିଘ୍ନରେ ସମାପ୍ତ ହୋଇଥାଏ । ସେ ସିଦ୍ଧି, ବୁଦ୍ଧି ଏବଂ ସମୃଦ୍ଧି ଦାତା; ସେ ପୁଣି କଳା, ବିଜ୍ଞାନ, ବିଦ୍ୟା ଏବଂ ଜ୍ଞାନର ଦେବତା । ତେଣୁ କବି, ଲେଖକ, ଶିଳ୍ପୀ, ବ୍ୟବସାୟୀ ସମସ୍ତେ କାର୍ଯ୍ୟସିଦ୍ଧି ପାଇଁ ପ୍ରଥମେ ଗଣେଶଙ୍କ ଶରଣାପନ୍ନ ହୋଇଥାନ୍ତି। ବିନାୟକ ବ୍ରତ ପାଳନ କଲେ ସମସ୍ତ କାର୍ଯ୍ୟସିଦ୍ଧି ଏବଂ ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସମ୍ପଦ ଲାଭ ହୁଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି।ଗାଁଠୁ ସହରର ସବୁଠି ହୋଇଉଠିଛି ଚଳଚଞ୍ଚଳ । ସବୁଠି ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସା ମେଢ଼ ଦେଖିବାକୁ ମିଳୁଛି । ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପୁରା ପରିବେଶ ।