ଏଥର ବୁଲିବେ ନବୀନ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ଶୁଣିବା ସହ ଦାବିପତ୍ର ଆଣି ନବୀନଙ୍କୁ ପ୍ରଦାନ କରିଛନ୍ତି । ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି କିଛି ଦାବିର ତ୍ୱରିତ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ଆର୍ଥିକ ରାଶି ମଧ୍ୟ ଘୋଷଣା କରିଛନ୍ତି । ଗୋଟିଏ ପଟେ ୫-ଟି ସଚିବଙ୍କୁ ବିଭିନ୍ନ ଜିଲ୍ଲା ଗସ୍ତରେ ପଠାଇ ନବୀନ ବିରୋଧୀଙ୍କ ନିଦ ହଜାଇ ଦେଇଥିବା ବେଳେ ସେପ୍ଟେମ୍ବର ମାସ ପାଇଁ ବଡ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି । ଆଗୁଆ ନିର୍ବାଚନ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ନବୀନ ସେପ୍ଟେମ୍ବର ମାସରୁ ଗ୍ରାଉଣ୍ଡକୁ ଓହ୍ଲାଇବେ ବୋଲି କୁହାଯାଉଛି । ଯାହା ଏବେ ବିରୋଧୀଙ୍କୁ ଆବାକାବା କରିଦେଇଛି । ନବୀନ ଗ୍ରାଉଣ୍ଡକୁ ଓହ୍ଲାଇବେ ମାନେ ବିରୋଧୀଙ୍କ ପାଇଁ ଏକପ୍ରକାର ଶନିଦଶା ପଡିଲା ବୋଲି କୁହାଯାଇପାରେ । ନବୀନ ଗ୍ରାଉଣ୍ଡକୁ ଓହ୍ଲାଇବେ ମାନେ ବିଜେଡି ପାଇଁ ଏହା କୌଣସି ବୋନସ ଠାରୁ ମଧ୍ୟ କମ ନୁହେଁ ।
ଏମିତିରେ ତୃଣମୂଳସ୍ତରରେ ବିରୋଧୀଙ୍କ ଠାରୁ ବିଜେଡିର ସଙ୍ଗଠନ ଅଧିକ ସୁଦୃଢ ରହିଛି । ଏହାଛଡା ନବୀନଙ୍କୁ ନେଇ ବିଜେଡି କର୍ମୀଙ୍କ ମନରେ ପ୍ରବଳ କ୍ରେଜ ରହିଛି । ନବୀନଙ୍କ ନାଁରେ ବଡ ଭୋଟବ୍ୟାଙ୍କ ମଧ୍ୟ ରହିଛି । ତେଣୁ ନବୀନ ଲୋକଙ୍କ ପାଖକୁ ଯିବେ ଅର୍ଥ ଏହି ଭୋଟବ୍ୟାଙ୍କ ଆହୁରି ଶକ୍ତିଶାଳୀ ହେବ । ଗତ ନିର୍ବାଚନ ପୂର୍ବରୁ ମଧ୍ୟ ନବୀନଙ୍କ ଗ୍ରାଉଣ୍ଡକୁ ଓହ୍ଲାଇବା ନିଷ୍ପତ୍ତି ବିଜେଡିକୁ ବେଶ ଫାଇଦା ଆଣି ଦେଇଥିଲା । ଏବେ ପୁଣିଥରେ ସେହି ଷ୍ଟ୍ରାଟେଜି ଆପଣାଇବାକୁ ବିଜେଡି ପୂରାପୂରି ପ୍ରସ୍ତୁତ ହୋଇ ସାରିଥିବା କୁହାଯାଉଛି । ନିର୍ବାଚନ ପୂର୍ବରୁ ନବୀନଙ୍କର ଜିଲ୍ଲା ଗସ୍ତ ବିଜେଡି ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଥିବା ବେଳେ ବିରୋଧୀଙ୍କ ପାଇଁ ଅଭିଶାପ ପାଲଟିପାରେ । କାରଣ ନବୀନଙ୍କ ଜିଲ୍ଲା ଗସ୍ତ ବିଜେଡି ପାଇଁ ମାହୋଲ ସୃଷ୍ଟି କରିବାକୁ ଯଥେଷ୍ଟ । ଏମିତିରେ ବିରୋଧୀ ଏଯାବତ ନିର୍ବାଚନକୁ ନେଇ ସେତେଟା ସିରିଏସ ନଥିବା କୁହାଯାଉଛି ।
ତାଛଡା ତୃଣମୂଳସ୍ତରରେ ବିରୋଧୀ ଦଳର ସଙ୍ଗଠନ ସେତେଟା ସୁଦୃଢ ନୁହେଁ । ଯାହା ବିଜେଡିକୁ ନିର୍ବାଚନ ପ୍ରସ୍ତୁତି ରେସରେ ଆଗରେ ରଖିଛି । ବିଜେଡି ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ସହ ଯୋଡି ହେଉଥିବା ବେଳେ ସେପ୍ଟେମ୍ବର ମାସରୁ ପ୍ରତି ଘରକୁ ଯାତ୍ରା ଆରମ୍ଭ କରିବ । ଏହାଛଡା ୫-ଟି ସଚିବଙ୍କ ଗସ୍ତ ସମୟରେ ଯେଉଁ ଦାବିପତ୍ର ଦିଆଯାଇଛି ତାହାର ତର୍ଜମା କରାଯାଇ ଜିଲ୍ଲାୱାରୀ ଗସ୍ତ ସମୟରେ ବଡ ବଡ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଛଡା ଏହି ଗସ୍ତ ସମୟରେ ବିଜେଡି କେବଳ ସଙ୍ଗଠିତ ହେବନି ବରଂ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ସୁଯୋଗ ପାଇବ । ଯାହା ବିଜେଡି ପାଇଁ କୌଣସି ଆଶୀର୍ବାଦ ଠାରୁ ମଧ୍ୟ କମ ନୁହେଁ । ତେଣୁ ସେପ୍ଟେମ୍ବର ମାସରୁ ନବୀନଙ୍କ ଜିଲ୍ଲା ଗସ୍ତ ବିଜେଡି ପାଇଁ ବେଶ ଗୁରୁତ୍ୱ ବହନ କରୁଛି ।