ଓଡ଼ିଶା ଗୃହ ବିଭାଗର ଶ୍ୱେତପତ୍ର, ରାଜ୍ୟରେ ଅପରାଧ ହାର 14.65% ବୃଦ୍ଧି
ଗୃହ ବିଭାଗ ଦ୍ୱାରା ଏକ ଶ୍ୱେତପତ୍ର ଜାରି କରାଯାଇଛି। ଦର୍ଶାଯାଇଛି ଯେ ୨୦୨୧ ରେ ୧ଲକ୍ଷ ୫୫ ହଜାର ୪୨୦ ଅପରାଧିକ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୨ ମସିହାରେ ଏହି ସଂଖ୍ୟା ୧ ଲକ୍ଷ ୭୮ ହଜାର ୧୯୦ କୁ ବୃଦ୍ଧି ପାଇଛି। ୨୦୨୧ ତୁଳନାରେ ୨୦୨୨ ମସିହାରେ ୨୭୨୭୦ ଅଧିକ ଅପରାଧ ଘଟିଛି।
ଗୃହ ବିଭାଗର ଶ୍ୱେତପତ୍ର ଅନୁସାରେ ରାଜ୍ୟରେ ୨୦୨୨ ମସିହାରେ ରୁଜୁ ହୋଇଥିବା ମୋଟ ୧ ଲକ୍ଷ ୭୮ହଜାର ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୨୯୯୮ଟି ଲୁଣ୍ଠନ, ୫୪୬୭ଟି ସିନ୍ଧିଚୋରି, ୧୪ ହଜାର ୮୯୩ଟି ଚୋରି, ୩ ହଜାର ୧୮୪ଟି ଦୁଷ୍କର୍ମ ମାମଲା ସାମିଲ ଅଛି ।
ତେବେ ୨୦୨୨ରେ ରୁଜୁ ମୋଟ ୧ ଲକ୍ଷ ୭୮ ହଜାର ୧୯୦ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ ଲକ୍ଷ ୬୯ ହଜାର ୭୩୫ଟି ମାମଲା ସତ । ସେଥିରୁ ବର୍ଷ ଶେଷସୁଦ୍ଧା ମୋଟ ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ଅର୍ଥାତ୍ ୫୧ ହଜାର ୧୮୮ଟି ମାମଲାର ଚାର୍ଜସିଟ୍ ଦାଖଲ କରିବାରେ ପୁଲିସ ବିଫଳ ହୋଇଛି ।
ସେହିପରି ୨୦୨୨ରେ ମୋଟ ୧୩୭୯ଟି ହତ୍ୟା ଘଟଣାରୁ ୧ ହଜାର ୩୦୧ଟି ସତ ଓ ସେଥିରୁ ୬୪୦ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ୩୧୮୪ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୩୧ ହଜାର ୩୬୫ଟି ସତ୍ୟ ଓ ସେଥିରୁ ୨ହଜାର ୨୩୭ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି ।
୨୦୨୨ ମସିହାରେ ପୁଲିସ ତରଫରୁ ୧୪ ଥର ଗୁଳି ଚାଳନା କରାଯାଇଛି । ତେବେ ୨୦୨୧ ତୁଳନାରେ ରାଜ୍ୟରେ ଧର୍ତ୍ତବ୍ୟ ଅପରାଧ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ହତ୍ୟା ଓ ଧର୍ଷଣ ମାମଲା ହ୍ରାସ ପାଇଥିବା ଦର୍ଶାଯାଇଛି ଶ୍ୱେତପତ୍ର ।
ମୋଟ ୧ ଲକ୍ଷ ୧୮ ହଜାର ୫୪୭ଟି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି । ଆଉ ୫୧ ହଜାର ୧୮୮ଟି ମାମଲାରେ ପୁଲିସ ଚାର୍ଜସିଟ ଦାଖଲ କରିପାରିନାହିଁ । ସେହିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିବା ଶ୍ୱେତପତ୍ରରେ କୁହାଯାଇଛି ।