ଓଡ଼ିଶା ଲୋଡ଼ିଲା ପ୍ଲାଷ୍ଟିକ୍, ପ୍ୟାକେଜିଂରେ ନିବେଶ
ରାଜ୍ୟର ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ କ୍ଷେତ୍ରର ବିକାଶ ଉପରେ ସରକାର ବେଶ ଗୁରୁତ୍ବ ପ୍ରଦାନ କରୁଛନ୍ତି। ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ଆଗେଇ ଆସିବାକୁ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଆଜି ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି।ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ କ୍ଷେତ୍ରରେ ନିବେଶ କରିବାକୁ ଚାହୁଥିବା ନିବେଶକମାନଙ୍କୁ ରାଜ୍ୟ ସରକାର ରିହାତି ଦରରେ ଜମି, ପୁଞ୍ଜିନିବେଶ ଉପରେ ସବ୍ସିଡି, ନିଯୁକ୍ତି ସବ୍ସିଡି, ବିଦ୍ୟୁତ ଶୁଳ୍କ ଓ ଷ୍ଟାମ୍ପ୍ ଡ୍ୟୁଟି ଉପରେ ଛାଡ଼ ଭଳି ସୁବିଧା ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅବସରରେ ବାଲ୍ମର୍ ଲରିର ନିର୍ଦ୍ଦେଶକ ଆର୍ ଏମ୍ ଉଥୟରାଜା, ଟିନ୍ପ୍ଲେଟ୍ର ଭିପି ପି ଆନନ୍ଦ, ଏମରସନ୍ ରେନ୍ୱିକ୍ ଗ୍ରୁପ୍ର ଏଏସ୍ଏମ୍ ରଣଜୟ ବସୁ ଓ ଜେଏସ୍ଡବ୍ଲୁ ଟିନ୍ପ୍ଲେଟ୍ର ବିକ୍ରି ମୁଖ୍ୟ ରାମନାଥନ୍ ବାଲାସୁବ୍ରମଣ୍ୟମ ପ୍ରମୁଖ ଉପସ୍ଥିତ ଥିଲେ। ବେଙ୍ଗଲ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ପକ୍ଷରୁ ଶୁକ୍ରବାର ଆୟୋଜିତ ପ୍ୟାକେଜିଂ କନ୍କ୍ଲେଭ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପ୍ଲାଷ୍ଟିକ୍ ଓ ପ୍ୟାକେଜିଂ ଶିଳ୍ପକୁ ରାଜ୍ୟର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିଚାର କରାଯାଉଛି। ଖାଦ୍ୟ ପ୍ରକ୍ରିୟାକରଣ, କୃଷି-ରିଟେଲ୍, ପୋଷାକ ଆଦି କ୍ଷେତ୍ର ଲାଗି ଏହା ବେଶ ଗୁରୁତ୍ବପୂର୍ଣ୍ଣ। ଭଲ ପ୍ୟାକେଜିଂର ଅଭାବରେ ଏହି କ୍ଷେତ୍ରଗୁଡ଼ିକ ଠିକ୍ ଭାବେ ପରିଚାଳିତ ହୋଇପାରିବେ ନାହିଁ ବୋଲି ସେ କହିଛନ୍ତି।
