ତେଇଶି ଦେଖାଇବ ଚବିଶି ରାସ୍ତା; ତିନି ପ୍ରମୁଖ ଦଳ ପାଇଁ ଆଣିବ ଅନେକ ଆହ୍ୱାନ
ନୂଆବର୍ଷ ୨୦୨୩। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୩ ଓଡ଼ିଶା ରାଜନୀତି ପାଇଁ ଆଣିବ ଅନେକ ଆହ୍ବାନ। ବିଶେଷ କରି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ଲୋକଙ୍କ ସହ ଯୋଡି ହେବାର ସୁଯୋଗ ଦେବ ତେଇିଶି। ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିବ ବୋଲି ଚର୍ଚ୍ଚା। ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଦଳ ଚଳିତ ବର୍ଷ ଅନେକ କାର୍ଯ୍ୟକ୍ରମ ହାତକୁ ନେବା ସହ ଲୋକଙ୍କ ସହିତ ଜଡିତ ରହିବା ଓ ସେମାନଙ୍କୁ ନିଜ ସପକ୍ଷରେ ରଖିବା ଏକ ଆହ୍ବାନ ହେବ। ତେବେ ତିନି ଦଳ ପାଇଁ କଣ ରହିବ ଆହ୍ବାନ ଆସନ୍ତୁ ନଜର ପକାଇବା…
ବିଜେଡି ପାଇଁ କଣ ରହିବ ଆହ୍ୱାନ
ବିଜେଡି ସବୁବେଳେ ଲୋକଙ୍କ ସହିତ ଥାଏ। ବର୍ଷସାରା କାର୍ଯ୍ୟକ୍ରମ କରି ଲୋକଙ୍କୁ ତା ସହ ବାନ୍ଧି ରଖିଥାଏ। ଯାହା ୨୦୨୨ରୁ ମଧ୍ୟ ଦେଖିବାକୁ ମିଳିଲାଣି। ପୁରୀରେ ପ୍ରତିଷ୍ଠା ଦିବସ ବେଶ ଧୁମଧାମରେ ପାଳନ କରି ନିଜର ଶକ୍ତି ଦେଖାଇଛି ଦଳ। ତେବେ ୨୦୨୨ରେ ଅବଶ୍ୟ ଧାମନଗର ଉପନିର୍ବାଚନରେ ଦଳକୁ ଝଟକା ଲାଗିଥିଲା। ସେଠାରେ ଅନେକ ଦିନର ରେକର୍ଡ ଭାଙ୍ଗିଥିଲା। ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା। ହେଲେ ଦଳ ଏଥିରୁ ଶିକ୍ଷା ଲାଭ କରି ତା ପରେ ହୋଇଥିବା ପଦ୍ମପୁର ଉପନିର୍ବାଚନରେ ରେକର୍ଡ ମାର୍ଜିନରେ ବାଜିମାତ କରିଥିଲା। ଯାହା ଦଳ ଯେ ପରାଜୟରୁ ଶିକ୍ଷା ଗ୍ରହଣ କରେ ତାହା ପ୍ରମାଣିତ କରିଥିଲା। ହେଲେ ଧାମନଗରରେ ଦଳ ପାଇଁ କାଳ ସାଜିଥିବା ବିଦ୍ରୋହୀ ପ୍ରାର୍ଥୀ ଯେ ଦଳକୁ କ୍ଷତି ପହଞ୍ଚାଇବେ ତାହା ସ୍ପଷ୍ଟ ହୋଇଥିଲା। ଯାହା ଦଳ ପାଇଁ ଏକ ଆହ୍ବାନ। ଏହା ସହ ବିଜେପି ଅନେକ କାର୍ଯ୍ୟକ୍ରମ କରୁଥିବାରୁ ତାକୁ ମଧ୍ୟ ଦୃଷ୍ଟି ଦେଇ ସେହି ଅନୁସାରେ ବିଜେଡି ତାର ରଣନୀତି ପ୍ରସ୍ତୁତ କରିବ ବୋଲି ଚର୍ଚ୍ଚା ହେଉଛି। ଏସବୁ ଆହ୍ବାନକୁ ଗ୍ରହଣ କରି ଲୋକଙ୍କ ସହ ଯୋଡି ହୋଇ ରହିପାରିଲେ ବିଜେଡି ପୁଣି ଥରେ ୬ ଥର ପାଇଁ ୨୦୨୪ରେ ସରକାର ଗଠନ କରିବା ଯେ ନିଶ୍ଚିନ୍ତ ତାହାକୁ କେହି ଅସ୍ବିକାର କରିବେ ନାହିଁ।
ନିଜ ଅସ୍ତିତ୍ୱକୁ ବଜାୟ ରଖି ଲୋକଙ୍କ ପ୍ରିୟ ହେବା କଂଗ୍ରେସ ପାଇଁ ଆହ୍ୱାନ
୨୦୨୨ ମସିହା କଂଗ୍ରେସକୁ ଅନେକ କିଛି ଶିକ୍ଷା ଦେଇଛି। କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନ କରି ଶରତ ପଟ୍ଟନାୟକଙ୍କୁ ଦାୟିତ୍ବ ଦେଇଛି। ସେ ବି ୯ରୁ ୯୦ ଆହ୍ବାନ ଦେଇ କାର୍ଯ୍ୟରେ ଲାଗିପଡିଛନ୍ତି। ଅନେକ ସଭାସମିତି କରି ଲୋକଙ୍କ ସହ ଯୋଡି ହେବାର ପ୍ରୟାସ କରିଛନ୍ତି। କିନ୍ତୁ ତାହା ଭୋଟରେ ପରିଣତ ହୋଇନାହିଁ। ୨୦୨୨ରେ ହୋଇଥିବା ୩ ଟି ଉପନିର୍ବାଚନରେ ତାହା ପ୍ରତିଫଳିତ ହୋଇନାହିଁ। ବ୍ରଜରାଜନଗରରେ ଦଳକୁ ଅବଶ୍ୟ ଦ୍ବିତୀୟ ସ୍ଥାନରେ ରଖିଥିଲେ ଜନତା। ହେଲେ ଧାମନଗର ଓ ପଦ୍ମପୁରରେ ଅମାନତ ହରାଇଛି ଦଳ। ଏପରିକି ନିଜ ପକେଟ ଭୋଟ ବି ସମ୍ଭାଳି ରଖିବାରେ ଫେଲ ମାରିଛି କଂଗ୍ରେସ। ଯାହା ୨୦୨୩ରେ ଦଳର ପାଇଁ ବଡ ଆହ୍ବାନ ହେବ। ୯ରୁ ୯୦ ବିଧାୟକ ଜିତି ସରକାର ଗଠନ କରିବାକୁ ସ୍ବପ୍ନ ଦେଉଥିବା କଂଗ୍ରେସ ପାଇଁ ନିଜ ପକେଟ ଭୋଟ ବଞ୍ଚାଇ ରଖିବା ବଡ ଚ୍ୟାଲେଞ୍ଚ ସୃଷ୍ଟି କରିବ। ଦଳ ଅବଶ୍ୟ ପୂର୍ବାପେକ୍ଷା ଅଧିକ କ୍ରିୟାଶୀଳ ହୋଇଥିବା ଦେଖାଯାଉଥିବାବେଳେ ଏପରି ୨୦୨୩ରେ ବଜାୟ ରଖିବା ସହ ଲୋକଙ୍କ ସହିତ ଜଡିତ ରହି ନିଜ ଭୋଟକୁ ସାଇତି ରଖିବାକୁ ପଡିବ। ନଚେତ ଦଳ ଉପନିର୍ବାଚନରେ ଦେଖିଥିବା ଶୋଚନୀୟ ପରାଜୟ ୨୦୨୪ ସାଧାରଣ ନିର୍ବାଚନରେ ଦେଖିବାକୁ ପାଇବ। ଯାହା କଂଗ୍ରେସ ପାଇଁ ଶୁଭଙ୍କର ହେବନାହିଁ।
ବିଜେପି ପାଇଁ କଣ ରହିବ ଆହ୍ୱାନ
ବିଜେପି ପୂର୍ବାପେକ୍ଷା ରାଜ୍ୟରେ ଅଧିକ ଶକ୍ତିଶାଳୀ ହୋଇଛି। କଂଗ୍ରେସକୁ ତଳକୁ ଠେଲି ମୁଖ୍ୟ ବିରୋଧୀ ଦଳ ହୋଇଛି। ହେଲେ ଦଳକୁ ୨୦୨୪ରେ ଶାସନକୁ ଆସିବାକୁ ହେଲେ ଅନେକ ଆହ୍ବାନର ସାମ୍ନା କରିବାକୁ ପଡିବ। ୨୦୨୩ରେ ନିଜର ଶକ୍ତି ବୃଦ୍ଧି କରିବା ସହ ଲୋକଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାକୁ ପଡିବ। ୨୦୨୨ ଧାମନଗର ଉପନିର୍ବାଚନ ବିଜେପି ପାଇଁ ଏକ ବୁଷ୍ଟର ଡୋଜ ହୋଇଥିଲା। ହେଲେ ପରେ ପଦ୍ମପୁରରେ ହାରିବା ଦଳକୁ ଶକ୍ତ ଝଟକା ଲାଗିଛି। ଯାହାର କ୍ଷତି ୨୦୨୩ରେ ଭରଣା କରିବ ଦଳ। ତେବେ ୨୦୨୨ରୁ ବିଜେପି ତାର ଆଭିମୁଖ୍ୟ ବଦଳାଇ ସରକାରଙ୍କୁ ଅନେକ ସମୟରେ ନିଶାନା କରୁଥିବା ଦେଖିବାକୁ ମିଳିଥିଲା। ବର୍ଷ ଶେଷ ଆଡକୁ ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ଘନଘନ ଓଡ଼ିଶା ଗସ୍ତ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ସହିତ ଦଳୀୟ ମଞ୍ଚରେ ଶାସକ ବିଜେଡିକୁ ଟାର୍ଗେଟ କରିବା ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ୨୦୨୨ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୁଇଥର ଓଡ଼ିଶା ଗସ୍ତ କରି ବିଜେଡିକୁ ଟାର୍ଗେଟ କରିଛନ୍ତି। ସେହିପରି ୨୦୨୩ରେ ପ୍ରାଧନମନ୍ତ୍ରୀ ରାଜ୍ୟ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳୁଛି। ଏହାସହ ଅନେକ କେନ୍ଦ୍ରମନ୍ତ୍ରୀ ମଧ୍ୟ ରାଜ୍ୟ ଗସ୍ତରେ ଆସିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳୁଛି। ଯାହା ବିଜେପିର ରଣନୀତି ସ୍ପଷ୍ଟ ବୋଲି ତାଙ୍କ ନେତାମାନେ କହିବୁଲୁଛନ୍ତି। ହେଲେ ଏହାକୁ ଜନତା କେତେ ଗ୍ରହଣ କରିବେ ଓ ବିଜେପି କେତେ ଲୋକଙ୍କୁ ନିଜ ସହ ୨୦୨୩ରେ ଯୋଡିବାରେ ସକ୍ଷମ ହେବ ତାହା ସାଧାରଣ ନିର୍ବାଚନରେ ହିଁ ପ୍ରତିଫଳିତ ହେବ।
ଏପରି ଭାବେ ରାଜ୍ୟରେ ତିନି ଦଳ ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ଏପରି ଅନେକ ଆହ୍ବାନ ରହିବ। ଯାହା ୨୦୨୩ରେ ରାଜ୍ୟ ଦେଖିବ।