ଥଣ୍ଡା ପବନରେ ଅସ୍ତବ୍ୟସ୍ତ ଜନଜୀବନ
ସାରା ରାଜ୍ୟରେ ରାଜ୍ କରୁଛି କୋହଲା ପାଗ । ଉପାନ୍ତରୁ ଉପକୂଳ ହାଲୁକା ବର୍ଷା ସହ ଥଣ୍ଡା ପବନରେ ଅସ୍ତବ୍ୟସ୍ତ ଜନଜୀବନ। ଆସନ୍ତା କାଲି ପର୍ଯ୍ୟନ୍ତ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗୁରୁଚାପ ବଳୟ ସହ ଦକ୍ଷିଣ ଛତିଶଗଡ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏଭଳି ପାଗ ଲାଗି ରହିଛି ।
ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଏବଂ କୋରାପୁଟରେ ବର୍ଷା ସମ୍ଭାବନା ରହିଛି । ବର୍ଷା ସହ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ଘନ କୁହୁଡି ପାଇଁ ୧୬ଟି ଜିଲ୍ଲାକୁ ସତର୍କତା ଜାରି ହୋଇଛି। ଏସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ରହିବ ।
ଏହି ସମୟରେ ଦୁର୍ଘଟଣା ଆଶଙ୍କା ଥିବାରୁ ପୋଲିସ ଡିଜି ଏବଂ ପରିବହନ ବିଭାଗକୁ ଚିଠି ଲେଖିଛନ୍ତି ଏସ୍ଆରସି । ଗାଡି ଚଳାଚଳ ଉପରେ ନଜର ରଖିବା ସହ ଡ୍ରାଇଭରଙ୍କୁ ଗାଡି ଧିରେ ଚଲାଇବାକୁ ପରାମର୍ଶ ଦିଆଯାଇଛି । କାଲିଠୁ ପାଗ ବଦଳିବା ସହ ରାଜ୍ୟକୁ ଉତ୍ତର ଦିଗରୁ ଥଣ୍ଡା ଶୁଷ୍କ ବାୟୁ ପ୍ରବେଶ କରିବ। ପ୍ରଭାବରେ ଜାଡ ବଢିବ ବୋଲି କହିଛି ପାଣିପାଗ କେନ୍ଦ୍ର ।