ନବୀନଙ୍କ ସମର୍ଥନ,ଶାହଙ୍କ ‘ପ୍ରଶଂସା’ ପ୍ରତିଦାନ
ଓଡିଶାରେ ବିଜେପି ଆଉ ବିଜେଡିର ସମ୍ପର୍କ ସାପ-ନେଉଳ ଭଳି ଦେଖାଯାଉଥିଲେ ବି ତାହା ବାସ୍ତବ ନୁହେଁ । ଉଭୟ ଦଳ ଭିତରେ ଦିଲ୍ଲୀରେ ବନ୍ଧୁତ୍ୱ ଡିଲ୍ ହୋଇଛି । ପୂର୍ବରୁ ଏନେଇ ଚର୍ଚ୍ଚା ହେଉଥିଲା ଆଉ ଚଳିତ ମୌସୁମୀ ଅଧିବେଶନରେ ସ୍ପଷ୍ଟ ହୋଇଛି । ଦିଲ୍ଲୀ ସେବା ବିଲ ଓ ଅନାସ୍ଥା ପ୍ରସଙ୍ଗରେ ବିଜେପି ମାଗିବା ଆଗରୁ ବିଜେଡି ସମର୍ଥନ ଦେଇ ଉଭୟଙ୍କ ମଧ୍ୟରେ ଥିବା ଦୋସ୍ତିକୁ ସୂଚେଇ ଦେଇଛି । ୟା ଭିତରେ ସରକାରୀ କାର୍ଯ୍ୟକ୍ରମରେ ଓଡିଶା ଆସି ଗୋଟିଏ ମଞ୍ଚରେ ଏକାଠି ବସିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ୨ ନମ୍ବର ପାୱାରଫୁଲ୍ କୁହାଯାଉଥିବା ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨ଟି ଜାତୀୟ ରାଜପଥ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ଅମିତ ଶାହ ।
କାର୍ଯ୍ୟକ୍ରମରେ ନବୀନ-ଶାହଙ୍କ ଭାଷଣରେ ପରସ୍ପର ପ୍ରତି କୃତଜ୍ଞତା ଭରି ରହିଥିଲା । ପ୍ରଥମେ ଭାଷଣ ଦେଇ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଜାତୀୟ ରାଜପଥରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିଜେଡି ବିଜେପିକୁ ପ୍ରାୟ ପ୍ରତିଦିନ ସମାଲୋଚନା କରୁଥିବାବେଳେ ଏହି ମଞ୍ଚରେ ପାଟି ଖୋଲିନଥିଲେ ନବୀନ । ଏପରିକି ନିଜେ ଏନଏଚ ୫୫ର ଦୂରାବସ୍ଥା ନେଇ କେନ୍ଦ୍ରକୁ ପୂର୍ବରୁ ଚିଠି ଲେଖିଥିଲେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଗୋଟିଏ ଶବ୍ଦ ମଧ୍ୟ କହିନଥିଲେ ।
ସେପଟେ ପ୍ରତିବଦଳରେ ଅମିତ ଶାହଙ୍କ ମୁହଁରେ ବି ନବୀନଙ୍କ ପ୍ରଶଂସା ବାରମ୍ବାର ଶୁଣିବାକୁ ମିଳିଥିଲା । ପ୍ରାକୃତିକ ବିପର୍ଯ୍ୟୟ ଓ ମାଓବାଦୀ ମୁକାବିଲାରେ ଓଡିଶା ଏବଂ ନବୀନ ପଟ୍ଟନାୟକଙ୍କୁ ମନ ଖୋଲି ପ୍ରଶଂସାରେ ପୋତି ପକାଇଥିଲେ ଗୃହମନ୍ତ୍ରୀ । ପ୍ରତିଟି କାମରେ ବିଜେପି ସରକାରକୁ ନବୀନ କରୁଥିବା ସମର୍ଥନ ପାଇଁ ମଧ୍ୟ ସାବାସି ଦେଇଥିଲେ । ଯାହା ଦୁଇ ଦଳର ଭିତିରିଆ ସମ୍ପର୍କକୁ ପଦାରେ ପକାଇଛି ।


