ପୂରଣ ହେବ କୋଟିକୋଟି ଓଡ଼ିଆଙ୍କର ସ୍ବପ୍ନ
ଆଜି ନୂଆ ଓଡ଼ିଶାର ଇତିହାସରେ ଯୋଡ଼ିହେବ ଆଉ ଏକ ଉଜ୍ବଳ ଅଧ୍ୟାୟ । ପୂରଣ ହେବ କୋଟିକୋଟି ଓଡ଼ିଆଙ୍କର ସ୍ବପ୍ନ । ଉଦଘାଟିତ ହେବ ଓଡ଼ିଆ ଅସ୍ମିତା ଓ ଶିକ୍ଷାର ସୌଧ ସତ୍ୟବାଦୀ ଓଡ଼ିଆ ବିଶ୍ବବିଦ୍ୟାଳୟର ନୂଆ ବିଲଡିଂ । ଦିନ ସାଢେ ୧୧ଟାରେ ସତ୍ୟବାଦୀ ହାଇସ୍କୁଲ ଖେଳପଡ଼ିଆରେ ଉଦଘାଟନୀ ସଭା ଅନୁଷ୍ଠିତ ହେବ । ପ୍ରାୟ ୯ ଏକର ଜାଗାରେ ଏହି ଐତିହାସିକ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି ।
ହଷ୍ଟେଲ, କ୍ଳାସରୁମ, ଅଫିସ ସହିତ ବିଭିନ୍ନ ରୁମ ତିଆରି ସରିଛି । ଓଡ଼ିଆ ବର୍ଣ୍ଣମାଳାର ସ୍ଥାପତ୍ୟରେ ପ୍ରଶାସନିକ କୋଠା ନିର୍ମାଣ ହୋଇଛି । କ୍ୟାମ୍ପସ ପ୍ରବେଶ ପଥରୁ କାନ୍ଥବାଡ଼ ଯୁଆଡ଼େ ଦେଖିବେ ସବୁଠି ଓଡ଼ିଆ ଓଡ଼ିଆ ଦେଖିବାକୁ ପାଇବେ । ସବୁଠି ଅତ୍ୟାଧୁନିକ ଟେକ୍ନୋଲୋଜୀ ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି । ସବୁଜିମାଭରା ପରିବେଶରେ ପାଠପଢା ପାଇଁ ବ୍ୟବସ୍ଥା ହୋଇଛି । ବିଶ୍ବବିଦ୍ୟାଳୟ ପରିସରରେ ନିର୍ମାଣ ହୋଇଛି ସ୍କୁଲ ଅଫ ଲର୍ଣ୍ଣିଂ ତଥା ଏକାଡେମିକ ବିଲ୍ଡିଂ ପିଲାମାନେ ପଢିବାବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ ।
କ୍ୟାମ୍ପସରେ ୩ଟି ହଷ୍ଟେଲ ରହିଥିବାବେଳେ ଏହାକୁ ତାରକା ହୋଟେଲ ଭଳି ପ୍ରସ୍ତୁତ କରାଯାଇଛି । ଏହା ସହିତ ସାକ୍ଷୀଗୋପିନାଥଙ୍କ ଏକ ପୁଷ୍କରିଣୀର ପୁନଃରୁଦ୍ଧାର କରାଯାଇଛି । ପ୍ରରିକଳ୍ପନାକୁ ବାସ୍ତବତାର ରୂପଦେବାରେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । କ୍ୟାମ୍ପସକୁ ପାଣ୍ଡିଆନଙ୍କ ଘନଘନ ଗସ୍ତ, ନିୟମିତ କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପ୍ରକଳ୍ପକୁ ବାସ୍ତବରୂପ ଦେଇଛି । ଗତ ବର୍ଷ ଗୁରୁଦିବସ ଅବସରରେ ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରଥମ ବର୍ଷ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ବିଶ୍ୱବିଦ୍ୟାଳୟରେ ତିନୋଟି ବିଭାଗରେ ୨୪ ଜଣ ହିସାବରେ ସମୁଦାୟ ୭୨ଜଣ ବିଦ୍ୟାର୍ଥୀ ଅଧ୍ୟାୟନ କରୁଛନ୍ତି । ଓଡ଼ିଆ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ସତ୍ୟବାଦୀର ପଞ୍ଚସଖାଙ୍କ ପ୍ରତି ରାଜ୍ୟ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ ।