ବଞ୍ଚିଛନ୍ତି ପୁନମ ପାଣ୍ଡେ
ନିଜ ମୃତ୍ଯୁକୁ ନେଇ ପବ୍ଲିସିଟି ଷ୍ଟଣ୍ଟ କରିଥିଲେ ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ। ସର୍ଭିକାଲ କ୍ଯାନସରରେ ତାଙ୍କର ମୃତ୍ଯୁ ହୋଇଥିବା ନେଇ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିଲା। ଏକଥା ତାଙ୍କ ମ୍ୟାନେଜର ଫ୍ଯାନମାନଙ୍କୁ ଜଣାଇଥିଲେ। ଏହା ପରେ ସମସ୍ତ ଜାତୀୟ ଗଣମାଧ୍ଯମରେ ଏହି ଖବର ପ୍ରକାଶ ପାଇଥିଲା। ହେଲେ ଏହାର କିଛି ଘଣ୍ଟା ପରେ ଏହା ମିଛ ବୋଲି ଜଣାପଡିଥିଲା। ଆଜି ସୋସିଆଲ ମିଡିଆରେ ଏହାକୁ ନେଇ ଝ଼ଡ ସୃଷ୍ଟି ହୋଇଛି। ସେ ସର୍ଭିକାଲ କ୍ୟାନସରକୁ ନେଇ ଏହା ଏକ ସଚେତନତାମୂଳକ ପୋଷ୍ଟ ଥିବା କହିଥିବାବେଳେ ଅନ୍ଯମାନେ କିନ୍ତୁ ଏହାକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କହିଛନ୍ତି। ପୁନମ କହିଛନ୍ତି- ସେ ବଞ୍ଚିଛନ୍ତି। ଗତକାଲି ଦିନ ତମାମ ଏହାକୁ ନେଇ ଖବର ପ୍ରସାରଣ ଚାଲିଥିବାବେଳେ ସନ୍ଧ୍ଯାରେ ସେ ଆଉ ଏକ ଭିଡିଓ ପୋଷ୍ଟ କରିଥିଲେ। ସେ କହିଛନ୍ତି ସର୍ଭିକାଲ କ୍ଯାନସର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲାଗି ସେ ଏହି ଉଦ୍ଯମ କରିଥିଲେ। ସେ କହିଛନ୍ତି- ସେ ସୁସ୍ଥ ଅଛନ୍ତି। ତେଣୁ ଏସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ସେ ଉଦ୍ଯମ କରିଥିଲେ। ସର୍ଭିକାଲ କ୍ଯାନସର ତାଙ୍କ ଜୀବନ ନେଇନାହିଁ।
ମାତ୍ର ଏହି ମାରାତ୍ମକ ରୋଗ ହଜାର ହଜାର ମହିଳାଙ୍କ ଜୀବନ ନେଇଥାଏ। ସର୍ଭିକାଲ କ୍ଯାନସର ସମ୍ପୂର୍ଣ୍ଣ ଆରୋଗ୍ୟମୂଳକ ରୋଗ। ଏଚପିଭି ଭାକସିନ ଜରିଆରେ ଏହାର ଉପଶମ କରାଯାଇପାରିବ। ଏହି ରୋଗରେ ଯେପରି କେହି ପ୍ରାଣ ହରାଇବେ ନାହିଁ ସେଥିପ୍ରତି ସମସ୍ତେ ସଜାଗ ହେବା ଲାଗି ସେ ଆହ୍ବାନ ଦେଇଛନ୍ତି।
ପୁନମ ୨୦୧୩ ମସିହାରେ ‘ନଶା’ ଫିଲ୍ମ ଜରିଆରେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ। ରିୟାଲିଟି ଶୋ ‘ଲକ ଅପ୍’ ସେ ପ୍ରଶଂସା ସାଉଁଟିଥିଲେ । ପୂର୍ବରୁ ପୁନମଙ୍କ ଅନେକ ବିବାଦୀୟ ବିବୃତି ଚର୍ଚ୍ଚା ସୃଷ୍ଟି କରିଥିଲା। ଏପରିକି ୨୦୧୧ରେ ଟିମ ଇଣ୍ଡିଆ ଜିତିଲେ ଉଲଗ୍ନ ହେବାକୁ ଚାଲେଞ୍ଜ ଦେଇ ବିତର୍କ ସୃଷ୍ଟି କରିଥିଲେ ପୁନମ।