ସଫଳ ଆଇପିଏସ ସଞ୍ଜୀବ ପଣ୍ଡା
ସେ ଅପରାଧିଙ୍କ ପାଇଁ ଆତଙ୍କ, ବଦମାସଙ୍କ ପାଇଁ ଭିଲେନ । ଯାହାଙ୍କ ନାଁ ଶୁଣିଲେ ଥରହର ହୁଅନ୍ତି କ୍ରିମିନାଲ । ଜିଲ୍ଲା ହେଉକି ରାଜ୍ଯ, ସବୁ ପ୍ରକାରର କ୍ରାଇମ ସିଚୁଏସନ ହାଣ୍ଡେଲ କରିବାରେ ସେ ସିଦ୍ଧହସ୍ତ । ଏସପିରୁ ଆଇଜି । ଗୁଇନ୍ଦାରୁ କ୍ରାଇମବ୍ରାଞ୍ଚ । ଓଡ଼ିଶା ପୋଲିସ ପ୍ରଶାସନିକ ଇତିହାସରେ ଜଣେ ସୁଦକ୍ଷ, ସୁପରିଚାଳକ ଓ ସଫଳ ଆଇପିଏସ ଅଫିସର ହେଉଛନ୍ତି ସଞ୍ଜୀବ ପଣ୍ଡା । ଓଡ଼ିଶାର ବିଭିନ୍ନ ଜିଲ୍ଲାର ଓ ରାଜ୍ଯସ୍ତରରେ ଅନେକ ଗୁରୁଦାୟିତ୍ବ ନିଭାଇବା ପରେ ଏବେ ସଞ୍ଜୀବଙ୍କ ଉପରେ ଆଉ ଏକ ଗୁରୁଦାଯିତ୍ବ ନ୍ଯସ୍ତ କରିଛନ୍ତି ରାଜ୍ଯ ସରକାର । ଟୁଇନସିଟି କଟକ-ଭୁବନେଶ୍ବରର ପୋଲିସ କମିଶନର ଭାବେ ନବନିଯୁକ୍ତ ହୋଇଛନ୍ତି ସଞ୍ଜୀବ ପଣ୍ଡା ।
୧୯୯୪ ବ୍ଯାଚର ଓଡ଼ିଆ ଆଇପିଏଏସ ଅଫିସର ସଞ୍ଜୀବ ପଣ୍ଡା । ମୁହଁରେ ଥିଲା ଓଡିଶାର ସେବା କରିବାର ଅଦମ୍ଯ ଉତ୍ସାହ । ମନରେ ଥିଲା ଲୋକଙ୍କୁ ଶୃଙ୍ଖଳିତ ପରିବେଶ ପ୍ରଦାନର ସଂକଳ୍ପ । ଆଖିରେ ଚକଚକ କରୁଥିଲା ସମ୍ଭାବନାର ଅନେକ ସୂର୍ଯ୍ୟଙ୍କ ଚମକ । ଯୁବାବସ୍ଥାରେ ନିଜ ଭିତରେ ଥିବା ସଚ୍ଚୋଟ ଓ କର୍ମଠ ବ୍ୟକ୍ତିସତ୍ତାକୁ ନେଇ ଓଡ଼ିଶାର ସେବା କରିବାକୁ ଆଗେଇ ଆସିଥିଲେ ସଞ୍ଜୀବ । ଆଇପିଏସ ପାଇବା ପରେ ପୋଲିସରେ ଯୋଗଦେଇ ଆରମ୍ଭ କରିଥିଲେ ନୂଆ କ୍ଯାରିଅର । ଅନେକ ଜିଲ୍ଲାର ଏସପି ଭାବେ ସେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି । ପ୍ରତିଟି କାର୍ଯକୁ ସଫଳତାର ସହ ତୁଲାଇ ଲୋକଙ୍କୁ ସୁରକ୍ଷା ଦେବାରେ ତାଙ୍କ ଅବଦାନ ଉଲ୍ଲେଖନୀୟ । ଜିଲ୍ଲା ଏସପି ଭାବେ ପ୍ରତିଟି ଜିଲ୍ଲାକୁ କ୍ଲିନ କ୍ରାଇମ କରିବା ହେଉ କି ଅପରାଧ ନିୟନ୍ତ୍ରଣ ହେଉ । ସବୁଥିରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଜଣେ ଦକ୍ଷ ଆଇପିଏସ ଭାବେ ପ୍ରଶାସନିକ କଳ ଏବଂ ଜନସାଧାରଣଙ୍କ ନିକଟରେ ଲୋକପ୍ରିୟ ହୋଇପାରିଥିଲେ ।
ସେବାକୁ ଏକ ବ୍ରତ ଓ ସମର୍ପଣକୁ ଏକ ସାଧନା ଭାବେ ଗ୍ରହଣ କରିନେଇଥିଲେ ସଞ୍ଜୀବ । ଦେଶମାତୃକାର ସେବା ପାଇଁ ସେ ମନରେ ପଣ କରିଥିଲେ। ସଞ୍ଜୀବଙ୍କ କର୍ତ୍ତବ୍ଯନିଷ୍ଠତା ଓ ଦକ୍ଷତା ଦେଖି ଅନେକ ସମୟରେ ତାଙ୍କୁ ଗୁରୁଦାଯିତ୍ବ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ଏଡିଜି ଭାବେ ସେ ସଫଳତାର ସହ ନିଜ ଦାୟିତ୍ବ ତୁଲାଇଛନ୍ତି । ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ଯୁ ମାମଲା ହେଉ କି ଫ୍ରଡ ସିମ ଗ୍ୟାଙ୍ଗର ପର୍ଦ୍ଦାଫାସ ମାମଲା ହେଉ । ସଞ୍ଜୀବଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚକୁ ମିଳିଥିଲା ବଡ଼ ସଫଳତା । କୋକେନ ଜବତ ଓ କ୍ଯାମେରାମ୍ୟାନ ମାନସ ସ୍ବାଇଁ ହତ୍ୟାମାମଲାରେ ବି ସଞ୍ଜୀବଙ୍କ ନେତୃତ୍ବରେ ତଦନ୍ତ କରି କ୍ରାଇମବ୍ରାଞ୍ଚ ସଫଳତା ପାଇଛି । ପରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ମଧ୍ଯ ସଞ୍ଜୀବଙ୍କ କାର୍ଯ୍ୟଦକ୍ଷତା ଦେଖି ରାଜ୍ଯ ସରକାର ପ୍ରଶଂସା କରିଥିଲେ । ତାଙ୍କ କାର୍ଯ୍ଯକାଳ ସମୟରେ ରାଜ୍ଯରେ ସମସ୍ତ ଅପ୍ରୀତିକରଣ ପରିସ୍ଥିତିକୁ ଏଡାଇ ଦିଆଯାଇପାରିଛି । ଏପରିକି ରାଜ୍ୟ ସରକାରଙ୍କ ଆଡକୁ ଆସୁଥିବା ସମସ୍ତ ପରିସ୍ଥିତିର ମଧ୍ଯ ସଫଳତା ପୂର୍ବକ ସଞ୍ଜୀବ ମୁକାବିଲା କରିପାରିଥିଲେ । ରାଜ୍ଯ ସରକାର ଟ୍ରାନ୍ସପୋର୍ଟ କମିଶନର ଭାବେ ମଧ୍ଯ ସେ ସଫଳତାର ସହ ଦାଯିତ୍ବ ତୁଲାଇଛନ୍ତି । ଓଢିଶା ଷ୍ଟେଟ ପୋଲିସ ହାଉସିଂ ଆଣ୍ଡ ୱେଲ ଫେଯାର ବୋର୍ଡର ସିଏମଡି ଭାବେ ସେ ଦାଯିତ୍ବ ତୁଲାଇଛନ୍ତି ।
ଜଣେ ଆଇପିଏସ ଭାବେ ସଞ୍ଜୀବ ଯେତିକି ଚର୍ଚ୍ଚିତ ଜଣେ ପ୍ରକୃତି ପ୍ରେମୀ ଓ ସାଇକେସ ରେସର ଭାବେ ମଧ୍ଯ ସେତିକି ଜଣାଶୁଣା । ନିଜ ଘରେ ଗାର୍ଡେନ କରି ତାଙ୍କ ପ୍ରକୃତି ପ୍ରେମକୁ ବର୍ଣ୍ଣନା କରିଛନ୍ତି । ସଞ୍ଜୀବଙ୍କ ସ୍ତ୍ରୀ ସନ୍ତୋଷ ବାଲା ମଧ୍ଯ ଜଣେ ବରିଷ୍ଠ ଆଇପିଏସ । ଉଭୟ ମିଳିତ ଭାବେ ନିଜ ଘରକୁ ପ୍ରାକୃତିକ ପରିବେଶରେ ସଜ୍ଜିତ କରିଛନ୍ତି । ଜଣେ ସାଇକଲେ ରେସର ଭାବେ ବେଶ୍ ପରିଚିତ ସଞ୍ଜୀବ । ଶହଶହ କିଲୋମିଟ ପର୍ଯ୍ୟନ୍ତ ସାଇକେଲିଂ କରି ସେ ଅନେକ ପ୍ରଶଂସା ସହ ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ସମସ୍ତଙ୍କ ଜୀବନରେ କିଛିନା କିଛି ଅଘଟଣ ଘଟିଥାଏ । ସଞ୍ଜୀବଙ୍କ ଜୀବନରେ ମଧ୍ଯ ଏକଦା ବଡ଼ ଅଘଟଣ ଘଟିଥିଲା । ନଯାଗଡ଼ ଜିଲ୍ଲା ବଡମୂଳ ପ୍ରକୃତି ନିବାସରେ ପତ୍ନୀଙ୍କ ସହ ଥିବାବେଳେ ସେହି ଟେଣ୍ଟରେ ନିଆଁ ଲାଗିଯାଇଥିଲା । ଭଗବାନଙ୍କ କୃପାରୁ ସୌଭାଗ୍ୟବଶତଃ ଉଭୟ ଅଳ୍ପକେ ବଞ୍ଚିଯାଇଥିଲେ ।
ଏବେ ସଞ୍ଜୀବଙ୍କ ଉପରେ ଟୁଇନସିଟି ଭୁବନେଶ୍ବର-କଟକ ପୋଲିସ କମିଶନର ଦାଯିତ୍ବ ନ୍ୟସ୍ତ ରହିଛି । ଆଗକୁ କର୍ମକ୍ଷେତ୍ରରେ ତାଙ୍କ ପ୍ରତି ଅନେକ ଚ୍ୟାଲେଞ୍ଜ ରହିଛି । ନିର୍ବାଚନ ଆସୁଥିବାବେଳେ ଭୁବନେଶ୍ବରରେ ଆଇନଶୃଙ୍ଖଳା ଓ ଫ୍ରି କ୍ରାଇମ ସିଟି ପ୍ରତିଷ୍ଠା ସଞ୍ଜୀବଙ୍କ ପାଇଁ ପ୍ରମୁଖ ଆହ୍ବାନ ସାଜିବ । ତେବେ ନିଜର କର୍ତ୍ତବ୍ୟନିଷ୍ଠତା ଦେଖାଇ ସେ ଏଥିରେ ମଧ୍ଯ ସଫଳତା ପ୍ରାପ୍ତ ହେବେ ଆଶା କରାଯାଉଛି ।