ସିଲଭର ସିଟିର ସଚ୍ଚୋଟ ନେତା
ସୁବାଷ ସିଂ । କଟକ ସହରରେ ଏହି ନାଁ ହିଁ ଯଥେଷ୍ଟ । କଟକ ମହାନଗରର ବିକାଶର ମଙ୍ଗ ଧରିଛନ୍ତି ମେୟର ସୁବାଷ ସିଂ । ନିକଟରେ କଟକରେ ହକି ବିଶ୍ୱକପର ଉଦଘାଟନ ବେଳେ ସାରା ବିଶ୍ୱ ଦେଖିଥିଲା ଓଡ଼ିଶାର ସର୍ବପୁରାତନ ସହର ନୂଆ ରୂପ ।
ଦାୟୀତ୍ୱ ନେବା ପରଠାରୁ ସୁବାଷ ସିଂ ଅତି ଦକ୍ଷତାର ସହ ନିଜ କର୍ତ୍ତବ୍ୟ ସମାପନ କରି ସହରବାସୀଙ୍କ ମନ ଜିଣିପାରିଛନ୍ତି । ଡ୍ରେନେଜ ବ୍ୟବସ୍ଥାର ଉନ୍ନତି ହେଉ ଅବା ପାନୀୟ ଜଳ ଯୋଗାଣ କିମ୍ବା ରାସ୍ତାଘାଟର ଉନ୍ନତି କଟକ ସହର ହେଉଛି ସ୍ୱୟଂ ସମୃଦ୍ଧ । ଯାହାର ଶ୍ରେୟ ସୁବାଷ ସିଂଙ୍କ ପାଖକୁ ଯାଏ । କେବଳ କଟକ କାହିଁକି ସାରା ରାଜ୍ୟରେ ଜଣେ ପ୍ରଭାବୀ ରାଜନେତା ସୁବାଷ । ଶ୍ରମିକ ବୋର୍ଡର ମୁଖିଆ ଭାବେ ସେ ସାରା ରାଜ୍ୟରେ ଦାଦନ ଓ ଶ୍ରମିକ ସମସ୍ୟାର ସମାଧାନ ପାଇଁ ବଡ଼ ଭୂମିକା ନେଇଥିଲେ । କଟକ, କେନ୍ଦ୍ରାପଡ଼ା ସମେତ ବିଭିନ୍ନ ଅଞ୍ଚଳରେ ବସ୍ତିବାସିନ୍ଦା ହୁଅନ୍ତୁ ଅବା ଶ୍ରମିକ, ଉଠାଦୋକାନୀ… ସମସ୍ତଙ୍କ ପାଇଁ ସେ ଭରସାର ଅନ୍ୟ ନାଁ । ବିପଦ ବେଳର ବନ୍ଧୁ ।
ରାଜନୀତିରେ ବି ବେଶ ଧୂରିଣ ଏହି ବରିଷ୍ଠ ରାଜନେତା । ଲୋକସେବା ପାଇଁ ସାଂସଦ ଥିବା ବେଳେ ଦିଲ୍ଲୀର ମୋହ ଛାଡ଼ିଥିଲେ । ମେୟର ନିର୍ବାଚନ ଲଢ଼ି ବାଜିମାତ କଲେ । କେବଳ ଏତିକି ନୁହେଁ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ ପଛରେ ବି ଥିଲା ତାଙ୍କର ବଡ଼ ଭୂମିକା । ରାଜନୀତିରେ ଏତେ ଲୋକପ୍ରିୟତା ପଛରେ ତାଙ୍କର ସରଳତା ଓ ସଚ୍ଚୋଟତା ତାଙ୍କର ସବୁଠୁ ବଡ଼ ୟୁଏସପି । ଆଜି ବି ଦଫ୍ତରରେ ସମସ୍ତଙ୍କୁ ଭେଟନ୍ତି । ଅଫିସ ଭିତରେ ନୂହେଁ ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟ ସମୀକ୍ଷା କରନ୍ତି । ସେ ସିନା ବିଜେଡିରେ ଅଛନ୍ତି, ହେଲେ ଦଳମତ ନିର୍ବିଶେଷରେ ସବୁ କର୍ପୋରେଟରଙ୍କ ସହ ତାଙ୍କ ସୁସମ୍ପର୍କ ।
ତାଙ୍କର ପଦୁଟିଏ କଥା ବିରୋଧୀଙ୍କୁ ବି ଆପଣାର କରିଦିଏ । ଯେତେବେଳେ ବି ବସ୍ତି, ଉଠାଦୋକାନୀଙ୍କ ସମସ୍ୟା ଆସେ, ସେ କ୍ରାଇସିସ ମ୍ୟାନେଜର ଭାବେ ଛିଡ଼ା ହୁଅନ୍ତି । ବର୍ତ୍ତମାନ କଟକ ତାଳଦଣ୍ଡା କ୍ୟାନେଲ କାମ ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି । ସହରର ସୌନ୍ଦର୍ଯ୍ୟକରଣ କରିବାରେ ବି ସେ ବେଶ ସଫଳତା ପାଇଛନ୍ତି । ସେଥିପାଇଁ ତ ଲୋକେ କହୁଛନ୍ତି ମେୟର ହେବ ତ ଏମିତି… ।