‘୨୪’ ପାଇଁ ନବୀନଙ୍କ ୩ ଅସ୍ତ୍ର
ଜନସମର୍ଥନ ଦୃଷ୍ଟିରୁ ଲଗାତାର ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପ୍ରାୟ ନିଶ୍ଚିତ । ଲଗାତାର ୨୩ବର୍ଷର ଶାସନ ପରେ ବି ନବୀନଙ୍କ କ୍ରେଜ୍ ଦେଖି ବିରୋଧୀ ବି ଚିନ୍ତିତ ହୋଇପଡିଛନ୍ତି । ୨୦୨୪ରେ ବିଜୟ ଧାରାକୁ ଆହୁରି ସହଜ କରିବାକୁ ବ୍ଲୁପ୍ରିଣ୍ଟ କରିଛି ବିଜେଡି । ଏଥର ନବୀନଙ୍କ ବିଜୟକୁ ଆହୁରି ସହଜ କରିବେ ଓଡ଼ିଶାର ତ୍ରିଶକ୍ତି । ଏହି ତ୍ରିଶକ୍ତି ହେଉଛନ୍ତି ଅନ୍ନଦାତା, ଜନ୍ମଦାତ୍ରୀ ଓ ଯୁବପିଢୀ । ଅଥାର୍ତ ଚାଷୀ, ମହିଳା ଓ ଯୁବସମାଜ । ଏହି ତ୍ରିଶକ୍ତିଙ୍କ ସହଯୋଗ ନବୀନଙ୍କ ବିଜୟକୁ ନିଶ୍ଚିତ କରିବ ।
ଚାଷୀ :
କୁହାଯାଏ ଚାଷ କାମ ଯାହାର କି ଆନନ୍ଦ ତାହାର । ଓଡ଼ିଆରେ ଥିବା ଏହି ଲୋକକଥା ନବୀନ ସରକାରରେ ଶତ ପ୍ରତିଶତ ସତ ହେଉଛି । ଏବେ ଚାଷୀ ଭାଇ ଚାଷ ପାଇଁ କାହା ପାଖରେ ଆଉ ହାତ ପତାଉନି । କାରଣ ଚାଷୀ ଭାଇର ଦୁଃଖ ବୁଝି ନବୀନ ଦେଇଛନ୍ତି ବଡ ଭେଟି କାଳିଆ । ଯାହା କେବଳ ଚାଷୀଙ୍କର ଆର୍ଥିକ ଚିନ୍ତା ଦୂର କରିନି ବରଂ କୃଷି କ୍ଷେତ୍ରରୁ ମୁହଁ ଫେରାଉ ନେଉଥିବା ଚାଷୀ ଭାଇଙ୍କୁ ପୁଣିଥରେ ଚାଷ କ୍ଷେତକୁ ଫେରାଇ ଆଣିଛି । ଏହାଛଡା ଜଳସେଚନର ସୁବିଧା କରି କ୍ଷେତରେ ସୁନା ଫସଲ ଫଳାଇବାରେ ସାଥ୍ ଦେଇଛନ୍ତି ନବୀନ । ସେହିଭଳି ଚାଷୀଙ୍କ ହକର ଲଢେଇ ଯେମିତି ଏମଏସପି ବୃଦ୍ଧି, ଉଷୁନା ଚାଉଳ ଉଠାଣ, ସାର ଯୋଗାଣ ଭଳି ପ୍ରସଙ୍ଗରେ ବିଜେଡି ସାଜିଛି ଚାଷୀ ଭାଇର ସ୍ୱର ।
ମହିଳା :
ମା’ ମାନେ ହେଲେ ସ୍ୱାବଲମ୍ବୀ ଓ ସଶକ୍ତ, ଓଡ଼ିଶା ହେବ ବିକଶିତ । ଏହା ନବୀନଙ୍କ ନାରା ନୁହେଁ ଏହା ହିଁ ଭିଜନ । ସମୃଦ୍ଧ ଓ ପ୍ରଗତିଶୀଳ ଓଡ଼ିଶା ଗଠନରେ ମହିଳା ଅବଦାନ ଯଥେଷ୍ଟ ଅଧିକ । ସେଥିପାଇଁ ନବୀନଙ୍କ ଫୋକସରେ ରହିଆସିଛି ମହିଳା ସଶକ୍ତିକରଣ । ମିଶନ ଶକ୍ତିର ମା’ ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ସେମାନଙ୍କୁ ଉଦ୍ୟୋଗୀର ପରିଚୟ ଦେବାକୁ ପ୍ରତିଶ୍ରୁତିବଦ୍ଧ ନବୀନ । ଅଥାର୍ତ ଏସଏଚଜିଙ୍କୁ ଏସଏମଇ କରିବାକୁ ଲକ୍ଷ୍ୟ । ଯେଉଁଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ମିଶନ ଶକ୍ତି ମହିଳାଙ୍କୁ ଋଣ ଓ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦେଇ ମହିଳାଙ୍କୁ ଏହି ନୂଆ ପରିଚୟ ଦେବାକୁ ଅଣ୍ଟା ଭିଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣର ନିଚ୍ଛକ ଉଦାହରଣ ଦେଶ ସାମ୍ନାରେ ରଖି ମା’ମାନଙ୍କର ଭରସା ଜିଣିବାରେ ସକ୍ଷମ ହୋଇଛନ୍ତି । ଆଉ ଏହି ଭରସା ଓ ବିଶ୍ୱାସ ହିଁ ନବୀନଙ୍କ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାର ସବୁଠୁ ବଡ ମାର୍ଗ ।
ଯୁବସମାଜ :
ଯୁବବର୍ଗଙ୍କ ପାଇଁ ଏ ସରକାର, ଯୁବବର୍ଗଙ୍କୁ ନେଇ ଏ ସରକାର । ଓଡ଼ିଶାର ଉଜ୍ଜଳ ଭବିଷ୍ୟତ ପାଇଁ ଯୁବପିଢୀଙ୍କ ଭବିଷ୍ୟତକୁ ପ୍ରାଥମିକତା ଦେଇ ଆସିଛନ୍ତି ନବୀନ ସରକାର । ଯୁବପିଢୀଙ୍କୁ ନିଯୁକ୍ତି ଦେବା ଠାରୁ ଆରମ୍ଭ କରି ସ୍ୱାବଲମ୍ବୀ କରିବାର ଦାୟିତ୍ୱ ନିଜ କାନ୍ଧରେ ନେଇଛନ୍ତି ସରକାର । ଏହାଛଡା ଷ୍ଟାର୍ଟଅପକୁ ପୋତ୍ସାହନ ଦେଇ ଯୁବବର୍ଗଙ୍କ ମଧ୍ୟରେ ଉଦ୍ୟୋଗୀ ହେବାର ଝୁଙ୍କ୍ ସୃଷ୍ଟି କରିବା ଏ ସରକାରର ବଡ ଉପଲବ୍ଧି । ଏହି ଉପଲବ୍ଧି ହିଁ ଯୁବବର୍ଗଙ୍କ ଭରସା ଜିତିଛି । ଯାହା ନବୀନଙ୍କ ୬ଷ୍ଠ ପାଳି ପାଇଁ ମାର୍ଗ ପ୍ରଶସ୍ତ କରିଛି ।


