୫ଜି ସେବା: କେନ୍ଦ୍ର ସରକାରଙ୍କ ଆନ୍ତରିକତା ନେଇ ସନ୍ଦେହ ପ୍ରକଟ କଲା ବିଜେଡି
ଓଡ଼ିଶାରେ ଆରମ୍ଭ ହୋଇଛି ୫ଜି ସେବା। ଦୁଇଟି ସହର କଟକ ଓ ଭୁବନେଶ୍ବରରେ ଏହି ସେବା ଆରମ୍ଭ ହୋଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଏହାକୁ ବିଧିବଦ୍ଧ ଭାବେ ଆରମ୍ଭ କରିଛନ୍ତି। ତେବେ ଏହାକୁ ବିଜେଡି ସ୍ବାଗତ କରିଥିବାବେଳେ କେନ୍ଦ୍ର ସରକାରଙ୍କ ଆନ୍ତରିକତା ନେଇ ସନ୍ଦେହ ପ୍ରକଟ କରିଛି।
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଏହାକୁ ସ୍ବାଗତ କରିବା ସହ କିଛି ପ୍ରଶ୍ନ ରଖିଛନ୍ତି। ରାଜ୍ୟର ଅନେକ ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ ୨ଜି ଓ ୩ ଜି ସେବା ବି ଉପଲବ୍ଧ ନାହିଁ, ଫଳରେ ଲୋକେ ଏବେବି ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ହେଉଥିବା ସେ ଦର୍ଶାଇଛନ୍ତି। ତେଣୁ କେନ୍ଦ୍ର ସରକାରଙ୍କ ୫ଜି ସେବା କେବଳ ପ୍ରଚାର ସର୍ବସ୍ବ ହୋଇନଯାଉ ବୋଲି ସେ କହିଛନ୍ତି।
ସେହିପରି ଟେଲି ସାନ୍ଧ୍ରତା କ୍ଷେତ୍ରରେ ଦେଶର ସବୁଠାରୁ ୫ ପଛୁଆ ରାଜ୍ୟ ମଧ୍ୟରେ ଓଡ଼ିଶା ଗୋଟିଏ। ଦେଶର ହାରାହାରି ଟେଲି ଘନତ୍ବ ୮୫ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୭୫ % ଓ ଓଡ଼ିଶାର ଗ୍ରାମାଞ୍ଚଳରେ ମାତ୍ର ୬୭% ରହିଛି। ଓଡ଼ିଶାର ୬୨୭୮ ଗ୍ରାମରେ ମୋବାଇଲ ଓ ଇଣ୍ଟରନେଟ ସେବା ପହଞ୍ଚିନାହିଁ। ଏହି ସେବା ପହଞ୍ଚାଇବାକୁ ୨୫୦୦ ଟାୱାରର ଆବଶ୍ୟକତା ଥିବାବେଳେ ଏଯାଏ ମାତ୍ର ୪୮୮ଟି ଟାୱାରର ମଞ୍ଜୁର ହୋଇଛି।
ମୁଖ୍ୟତଃ ଆଦିବାସୀ ବର୍ଗର ଲୋକେ ରହୁଥିବା ନକ୍ସଲ ପ୍ରବଣ ଅଞ୍ଚଳରେ ଟାୱାର ନଥିବାରୁ ଲୋକେ ଶିକ୍ଷା ଓ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି। ସେହିପରି ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଣୀତ ୫ଟି ଆଜି ପ୍ରଶାସନର ଏକ ଆଦର୍ଶ ମଡେଲ ଭାବେ ଆଦୃତ ହୋଇଛି।ସେଥିରେ ଏକ ସ୍ତମ୍ଭ ହେଉଛି ଟେକ୍ନୋଲୋଜି। ତେଣୁ ଟେକ୍ନୋଲୋଜିକୁ ଗ୍ରହଣ କରି ଲୋକଙ୍କ ପାଖରେ ବିଭିନ୍ନ ସେବା ପହଞ୍ଚାଇବା ମୂଳ ଲକ୍ଷ୍ଯ ହେବା ଉଚିତ ବୋଲି ସେ କହିଛନ୍ତି। ମାତ୍ର ଟେଲିକମ ଓ ଇଣ୍ଟରନେଟ ସେବା କ୍ଷେତ୍ରରେ ସବୁଠାରୁ ଅବହେଳିତ ରହିଆସିଥିବା ଓଡ଼ିଶାରେ ଟେକ୍ନୋଲୋଜିର ମୁଖ୍ଯ ଉଦ୍ଦେଶ୍ଯ ସାଧିତ ହୋଇପାରୁନାହିଁ। ରାଜ୍ଯର ବିଭିନ୍ନ ଗ୍ରାମାଞ୍ଚଳରେ ମିଳୁଥିବା ଟେଲିସେବା ମଧ୍ଯ ଅତ୍ଯନ୍ତ ଦୁର୍ବଳ। ଏପରି ସ୍ଥିତିରେ କେବଳ ଦୁଇଟି ସହରରେ 5ଜି ସେବା ଆରମ୍ଭ କରିଦେଲେ ଓଡ଼ିଶା ଏଥିରୁ ଲାଭବାନ ହୋଇପାରିବ ନାହିଁ। ଯେଉଁଠି ଆଜି ବି ଏତେ ସଂଖ୍ଯକ ଗାଁରେ ଲୋକେ ୨ଜି, ୩ଜି ସେବା ପାଇନାହାଁନ୍ତି ସେଠାରେ ୫ଜି ସେବା ପହଞ୍ଚାଇବ କିପରି ବୋଲି ସେ ପ୍ରଶ୍ନ କରିଛନ୍ତି।