ରାଜ୍ୟରେ ଗଡିଲା ୨୫୦ ନୂଆ ଆମ୍ବୁଲାନ୍ସ
ରାଜ୍ୟରେ ଗଡିଲା ୨୫୦ ନୂଆ ଆମ୍ବୁଲାନ୍ସ । ଦ୍ୱିତୀୟ ପର୍ଯ୍ୟାୟରେ ୨୫୦ ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି । ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅଧିକ ୨୫୦ ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାର ଜରୁରୀକାଳୀନ ଆମ୍ବୁଲାନ୍ସ ସେବାରେ ୪୨୮ଟି ନୂଆ ଆମ୍ବୁଲାନ୍ସ ଯୋଡ଼ିଛନ୍ତି ମୋହନ ସରକାର ।
ପ୍ରଥମ ପର୍ଯ୍ୟାୟରେ ୨୦୨୫ ମସିହା ଡିସେମ୍ବର ୨୩ ତାରିଖ ଦିନ ୧୫୦ଟି ଆମ୍ବୁଲାନ୍ସ ଲୋକାର୍ପିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଅଧିକ ୨୫୦ ଟି ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି । ଏଥିରେ ବିମାନବନ୍ଦର ନିମନ୍ତେ ୫ ଟି ଏବଂ ଝାରସୁଗୁଡ଼ା ସ୍ଥିତ କାର୍ଡିଆକ୍ କେୟାର୍ ହସ୍ପିଟାଲ ନିମନ୍ତେ ୨ଟି ଅତ୍ୟାଧୁନିକ ଲାଇଫ୍ ସପୋର୍ଟ (ALS) ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି ।
ପ୍ରତି ଆମ୍ବୁଲାନ୍ସ ପିଛା ୨୫.୭୭ ଲକ୍ଷ ଟଙ୍କା ହିସାବରେ ୪୨୮ଟି ଆମ୍ବୁଲାନ୍ସ ପାଇଁ ପ୍ରାୟ ୧୧୧ କୋଟି ଟଙ୍କା ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ବିନିଯୋଗ କରିଛନ୍ତି । ୧୦୮ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ଓଡ଼ିଶାରେ ୨୦୧୩ ମାର୍ଚ୍ଚ ୫ ତାରିଖ ଦିନ ଆରମ୍ଭ ହୋଇଥିଲା, ଏବଂ ବର୍ତ୍ତମାନ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ମୋଟ ୮୬୬ଟି ଆମ୍ବୁଲାନ୍ସ ଜନସାଧାରଣଙ୍କ ସେବାରେ ନିୟୋଜିତ ଅଛି ।
ଏଥିରେ ୪୪୯ଟି ବେସିକ ଲାଇଫ ସପୋର୍ଟ(BLS) ଆମ୍ବୁଲାନ୍ସ, ୪୧୧ଟି ଆଡ୍ଭାନ୍ସ୍ ଲାଇଫ ସପୋର୍ଟ (ALS) ଆମ୍ବୁଲାନ୍ସ ଏବଂ ୬ଟି ବୋଟ୍ ଆମ୍ବୁଲାନ୍ସ ରହିଛି । ଏହିସବୁ ଆମ୍ବୁଲାନ୍ସ ଦ୍ବାରା ଜନସାଧାରଣଙ୍କୁ ହସ୍ପିଟାଲ ଯିବା ନିମନ୍ତେ ଜରୁରୀକାଳୀନ ସ୍ଥାନାନ୍ତରଣ ସେବା ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।
