ଟଳିଲେ ୭ ମାଓବାଦୀ
ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କୁ ଆଉ ତ୍ରାହୀ ନାହିଁ। ଲଗାତାର ଅପରେସନ ଜାରି ରହିଥିବା ବେଳେ ସଂଗଠନର ବଡ଼ବଡ଼ କ୍ୟାଡ଼ର ନକ୍ସଲଙ୍କର ମୃତ୍ୟୁ ସଂଗଠନକୁ ଏବେ ଚିନ୍ତାରେ ପକାଇଛି। ଗତ ତିନି ଦିନ ହେଲା ଇନ୍ଦ୍ରାବତୀ ଜାତୀୟ ଉଦ୍ୟନରେ ନକ୍ସଲ ସହ ଯବାନଙ୍କ ଗୁଳିବିନିମୟ ଚାଲିଛି। ଗତକାଲି ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିବା ଏନକାଉଣ୍ଟରରେ ଆଉ ଜଣେ ଦୁର୍ଦାନ୍ତ ମାଓବାଦୀ ଭାସ୍କର ମୃତ୍ୟୁବରଣ କରିଛି।
ଦୁଇ ଦିନ ତଳେ କେନ୍ଦ୍ରୀୟ କମିଟିର ସଦସ୍ୟ ସୁଧାକରର ମୃତ୍ୟୁ ହୋଇଥିବା ବେଳେ ଗତକାଲି ଏନକାଉଣ୍ଟରରେ ଆଉ ଜଣେ ଆଗଧାଡ଼ିର ନକ୍ସଲ ଭାସ୍କରର ମୃତ୍ୟୁ ହୋଇଛି। ଏହି କ୍ରମରେ ଗତ ୩ ଦିନ ମଧ୍ୟରେ ୭ ଜଣ ନକ୍ସଲ ମୃତ୍ୟୁବରଣ କଲେଣି। ଦୁଇ ଜଣ ବଡ଼ କ୍ୟାଡର ନକ୍ସଲ ସମେତ ଅନ୍ୟ ୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ୩ ଜଣ ପୁରୁଷ ନକ୍ସଲ ବୋଲି ଜଣାପଡିଛି। ମାଓନେତା ଭାସ୍କର ନାମରେ ସରକାର ୨୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ଭାସ୍କରର ଶବ ନିକଟରୁ ଏକ ଏକେ-୪୭ ବନ୍ଧୁକ ଜବତ କରିଛି ପୁଲିସ।
