ଜାତୀୟ

ଡେରାଡୁନ୍‌ରେ ବାଦଲଫଟା ବର୍ଷା; ୨ ମୃତ

0
(0)

ଦେବଭୂମି ଉତ୍ତରାଖଣ୍ଡରେ ପୁଣି କୋପ କରିଛି ପ୍ରକୃତି । ଡେରାଡୁନରେ ବାଦଲଫଟା ବର୍ଷା ହୋଇଛି । ପ୍ରବଳ ବର୍ଷା ଯୋଗୁଁ ତମସା ନଦୀରେ ବନ୍ୟା ଆସିଛି । ତପ୍କେଶ୍ୱର ମହାଦେବ ମନ୍ଦିରରେ ପାଣି ପଶିଛି । ଦୋକାନ ଭାସି ଯାଇଛି । ସହସ୍ତ୍ରଧାରାରେ ମଧ୍ୟରାତ୍ରିରେ ବାଦଳଫଟା ବର୍ଷା ପ୍ରବଳ କ୍ଷୟକ୍ଷତି ଘଟାଇଛି । ରାସ୍ତାଘାଟ ନଷ୍ଟ ହୋଇଯାଇଛି। ବିଭିନ୍ନ ସ୍ଥାନକୁ ଯାତାୟତ ଠପ୍‌ ହୋଇଯାଇଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୨ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ନିଖୋଜ ଥିବା ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୋଇୱାଲାରେ ପ୍ରବଳ ବର୍ଷା ଯୋଗୁଁ ଲାଲ ତପ୍ପଦରେ ଡେରାଡୁନ-ହରିଦ୍ୱାର ରାଜପଥର ପୋଲ ଜାଖନ ନଦୀ ବନ୍ୟା ପାଣିରେ ବୁଡ଼ି ଯାଇଛି । ଭାରତୀୟ ପାଣିପାଗ ବିଭାଗ ଡେରାଡୁନ ଏବଂ ତେହରି ଗଡ଼ୱାଲ ପାଇଁ ରେଡ୍ ଆଲର୍ଟ ଜାରି କରିଛି । ଏନ୍‌ଡିଆରଏଫ ଓ ଏସ୍‌ଡିଆରଏଫ୍‌ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ପ୍ରବଳ ବର୍ଷା ଯୋଗୁ ଋଷିକେଶରେ ଥିବା ଚନ୍ଦ୍ରଭାଗା ନଦୀରେ ବି ବନ୍ୟା ଆସିଛି । ରାସ୍ତା ଉପରେ ଲହଡ଼ି ମାରୁଛି ବନ୍ୟା ପାଣି । ନଦୀରେ ଫସିଥିବା ତିନିଜଣଙ୍କୁ ଏସଡିଆରଏଫ ଟିମ୍‌ ଉଦ୍ଧାର କରିଛନ୍ତି । ଏଥିସହ ଗାଡ଼ିମଟର ମଧ୍ୟ ଫସି ରହିଥିବା ଦେଖିବାକୁ ମିଳିଛି । ଜଣେ ସ୍ଥାନୀୟ ଲୋକ କହିଛନ୍ତି, ସୋମବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଛି । ବିଳମ୍ବିତ ରାତିରେ ଦୁଇଟି ସ୍ଥାନରେ ବାଦଲଫାଟି ବ୍ୟାପକ କ୍ଷତି ଘଟାଇଛି । ରାସ୍ତା କ୍ଷତିଗ୍ରସ୍ତ ହୋଇଛି । ଗାଁ ଗୁଡିକ ମଧ୍ୟ କ୍ଷତି ହୋଇଛି । ୪ରୁ୫ ଜଣ ଚାପି ହୋଇ ରହିଛନ୍ତି ।

ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ- ବାଦଲ ଫଟା ବର୍ଷାରେ କ୍ଷୟକ୍ଷତିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ”ସହସ୍ତ୍ରଧାରାରେ ବିଳମ୍ବିତ ରାତିରେ ବାଦଲଫଟା ବର୍ଷାରେ କିଛି ଦୋକାନ କ୍ଷତି ହୋଇଛି । ଜିଲ୍ଲା ପ୍ରଶାସନ, ଏସଡିଆରଏଫ, ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଛନ୍ତି । ଏ ନେଇ ମୁଁ ନିରନ୍ତର ସ୍ଥାନୀୟ ପ୍ରଶାସନ ସମ୍ପର୍କରେ ରହିଛି ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି । ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତି ବିଷୟରେ ବିସ୍ତୃତ ଆଲୋଚନା କରିଛନ୍ତି । ସେମାନେ ସମସ୍ତ ପ୍ରକାରର ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି, ଏହି ସଙ୍କଟର ମୁହୂର୍ତ୍ତରେ କେନ୍ଦ୍ର ସରକାର ଉତ୍ତରାଖଣ୍ଡ ସହିତ ଛିଡ଼ା ହୋଇଛନ୍ତି ବୋଲି କହିଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE