ବିକାନେରରେ ବର୍ଷିଲେ ପିଏମ୍ ମୋଦି
ରାଜସ୍ଥାନର ବିକାନେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୬ ହଜାର କୋଟି ଟଙ୍କାର ପ୍ରକଳ୍ପର କଲେ ଲୋକାର୍ପଣ। ପାକିସ୍ତାନ ସୀମାରେ ଦେଲେ ରଣହୁଙ୍କାର। ଆତଙ୍କବାଦକୁ ନେଇ ପଡୋଶୀ ଦେଶ ଉପରେ ବର୍ଷିଲେ ପିଏମ୍।
ବିକାନେରରେ ପ୍ରଧାନମନ୍ତ୍ରୀ ରେଲୱେ, ସଡ଼କ, ବିଜୁଳି, ଜଳ, ନବୀକରଣ ଯୋଗ୍ୟ ଉର୍ଜା କ୍ଷେତ୍ରରେ ବହୁ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି। ଅମୃତ ଭାରତ ଷ୍ଟେସନ ଯୋଜନାରେ ବିକାନେର-ମୁମ୍ଵାଇ ଏକ୍ସପ୍ରେସ୍ ଟ୍ରେନ୍କୁ ଗ୍ରୀନ୍ ସିଗନାଲ୍ ଦେଖାଇଛନ୍ତି। ୧୮ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ୮୬ ଜିଲ୍ଲାରେ ୧୧୦୦ କୋଟିରୁ ଅଧିକ ବ୍ୟୟରେ ୧୦୩ ପୁନର୍ବିକଶିତ ଅମୃତ ଷ୍ଟେସନର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ଯେତେବେଳେ ସିନ୍ଦୁର ବାରୁଦରେ ପରିଣତ ହୁଏ ସେତେବେଳେ କଣ ହୁଏ ତାହା ଦୁନିଆ ଦେଖିଲା। ଏପ୍ରିଲ ୨୨ରେ ପହଲଗାମ ନରସଂହାରର ପ୍ରତିଶୋଧ ଅପରେସନ ସିନ୍ଦୂର ନେଲା। ମାତ୍ର ୨୨ ମିନିଟ୍ରେ ଆତଙ୍କବାଦୀଙ୍କ ୯ ଠିକଣା ଧ୍ଵସ୍ତ କରାଗଲା। ସେମାନେ ଧର୍ମ ପଚାରି ଆମ ମା ଭଉଣୀଙ୍କ ମଥାରୁ ସିନ୍ଦୂର ପୋଛିଦେଲେ। ପହଲଗାମ୍ରେ ଗୁଳି ଚଳାଇଲେ, ହେଲେ ସେହି ଗୁଳି ୧୪୦ କୋଟି ଦେଶବାସୀଙ୍କ ଛାତିରେ ବାଜିଲା। ଦେଶବାସୀ ଏକଜୁଟ ହୋଇ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ସଂକଳ୍ପ ନେଲେ। ସରକାର ତିନି ସେନାକୁ ପୂର୍ଣ୍ଣ ସ୍ଵାଧୀନତା ଦେଲେ। ତିନି ସେନା ମିଶି ଏମିତି ଚକ୍ରବ୍ୟୁହ ରଚିଲେ ଯେ ପାକିସ୍ତାନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେଲା।
ଆତଙ୍କବାଦ ପାଇଁ ଏବେ ପାକିସ୍ତାନ ସେନା ଏବଂ ପାକିସ୍ତାନ ଅର୍ଥବ୍ୟବସ୍ଥା ତାର ମୂଲ୍ୟ ଦେବ। ଏବେ ପାକିସ୍ତାନ ସହ ଆଲୋଚନା କି ବାଣିଜ୍ୟ କିଛି ହେବ ନାହିଁ। ଯଦି ଆଲୋଚନା ହୁଏ ତେବେ ଗୋଟିଏ ପ୍ରସଙ୍ଗରେ ହେବ। ତାହା ହେଉଛି ପାକିସ୍ତାନ ଅଧିକୃତ କାଶ୍ମୀର। ଭାରତୀୟଙ୍କ ହକ୍ର ପାଣି ନେଇ ଭାରତୀୟଙ୍କ ରକ୍ତରେ ହୋଲି ଖେଳିବା ପାକିସ୍ତାନକୁ ମହଙ୍ଗା ପଡ଼ିବ। ଏହା ଭାରତର ସଂକଳ୍ପ। ଦୁନିଆର କୌଣସି ଶକ୍ତି ଆମକୁ ଆମ ସଂକଳ୍ପରୁ ବିମୁଖ କରିପାରିବ ନାହିଁ।
