ବାଲିଯାତ୍ରାରେ ୭୦ ଫୁଟ ଉପରେ ଝୁଲି ରହିଲେ ପର୍ଯ୍ୟଟକ, ୨ ଘଣ୍ଟା ପରେ ଉଦ୍ଧାର
ବାଲିଯାତ୍ରାରେ ବଡ଼ ଅଘଟଣ। ଅଳ୍ପକେ ବର୍ତ୍ତିଲେ ପର୍ଯ୍ୟଟକ। ହାମର ଦୋଳି ଖେଳୁଥିବା ବେଳେ ହଟାତ ଅଟକି ଯାଇଥିଲା ଏହି ଦୋଳି। ଫଳରେ ୭୦ ଫୁଟ ଉପରେ ଝୁଲି ରହିଥିଲେ ଦର୍ଶକ। ମିଳିଥିବା ସୂଚନା ଅନୁସାରେ ବୁଧବାର ରାତିରେ ହାମର ଦୋଳିର ମଟର ପୋଡି ଯାଇଥିଲା। ଏପରିକି ଦୋଳି ସହିତ ସଲଗ୍ନ ବିୟରିଂ ମଧ୍ୟ ଭାଙ୍ଗିଯାଇଥିବାର ଖବର ସାମ୍ନାକୁ ଆସିଥିଲା। ଫଳରେ ଅଚାନକ ଦୋଳି ଝୁଲୁଥିବା ସମୟରେ ଅଟକି ରହିଯାଇଥିଲା। ତେଣୁ ୭୦ ଫୁଟ୍ ଉଚ୍ଚରେ ପ୍ରାୟ ୧୫ ଜଣ ଦର୍ଶକ ଝୁଲି କରି ରହିଥିଲେ ।
ଦୋଳିର ଦୁଇ ପାଶ୍ୱର୍ରେ ଥିବା ଆସନ ଶୂନ୍ୟରେ ଝୁଲୁଥିବା ବେଳେ ତଳକୁ ନ ଖସିବାରୁ ସେମାନେ ଉପରେ ଫସି ରହିଥିଲେ । ଫସି ରହିଥିବା ଦର୍ଶକଙ୍କ ଚିତ୍କାର, ସେମାନଙ୍କ ସଂପର୍କୀୟଙ୍କ କାନ୍ଦ, ବାଲିଯାତ୍ରା ପଡ଼ିଆରେ ଆଲୋଡ଼ନ ଖେଳାଇଥିଲା । ଦୋଳିରେ ବସିଥିବା ଲୋକଙ୍କ ସମେତ ସେମାନଙ୍କୁ ତଳେ ଅପେକ୍ଷାରେ ଥିବା ପରିବାର ଲୋକ ଓ ସମ୍ପର୍କୀୟମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ । ନିଶ୍ଚିତ ବିପଦ ଆଶଙ୍କାରେ କାନ୍ଦ ବୋବାଳି ପଡ଼ିଯାଇଥିଲା ।
ତେବେ ଘଟଣା ସମ୍ପର୍କରେ ସୂଚନା ପାଇଁ ପ୍ରାୟ ଦୁଇ ଘଣ୍ଟା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଆରମ୍ଭ କରିଥିଲେ। ଝୁଲି ରହିଥିବା ଦୁଇ ପାଶ୍ୱର୍ରୁ ଗୋଟିଏ ପାଶ୍ୱର୍କୁ ଦଉଡ଼ିରେ ଅଗ୍ନିଶମ କର୍ମଚାରୀମାନେ ଟାଣିବାରୁ ପ୍ରାୟ ୭ ଜଣ ତଳକୁ ଖସିଥିବା ବେଳେ ଅପର ପାଶ୍ୱର୍ରେ ୮ ଜଣ ଝୁଲି କରି ରହିଯାଇଥିଲେ । ରାତି ପ୍ରାୟ ୧୦ଟା ୪୫ ମିନିଟ୍ରୁ ୧୨ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଦୁଇ ଜଣ ପିଲାଙ୍କ ସମେତ ଜଣେ ମହିଳାଙ୍କୁ ମିଶାଇ ମୋଟ ୮ ଜଣ ୭୦ ଫୁଟ୍ ଉପରେ ଅତି ବିପଦସଙ୍କୁଳ ସ୍ଥିତିରେ ଝୁଲି ରହିଥିଲେ । ସେମାନଙ୍କୁ ତଳକୁ ଖସାଇବା ଅସମ୍ଭବ ହୋଇପଡ଼ିଥିଲା । ଉଦ୍ଧାର କରିବାକୁ ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନେ ନାକେଦମ୍ ହୋଇଯାଇଥିଲେ । ଏକ ବଡ଼ ହାଇଡ୍ରୋଲିକ୍ ମେସିନ୍ (ବ୍ରୋଙ୍କା ସ୍କାଏ) ମେସିନ୍ ୧୧ଟା ୧୫ ମିନିଟ୍ ସମୟରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।
