ରାଜ୍ୟ

ପୂର୍ବ ସରକାର ଘୋଷଣା କରିଥିବା ୩୯ଟି ଅଞ୍ଚଳକୁ ତୁରନ୍ତ ଏନଏସି ମାନ୍ୟତା ନଦେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଲା ବିଜେଡି

0
(0)

ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ୧୬ ନୂଆ ଏନଏସି ଓ ୭ଟି ମ୍ୟୁନିସିପାଲିଟି ଭାବେ ଘୋଷଣା କରାଯାଇଥିବା ବେଳେ, ବିଜେଡି ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ୫୭ଟି ଏନଏସି ମଧ୍ୟରୁ ୩୯ଟି ଅଞ୍ଚଳକୁ କାର୍ଯ୍ୟକାରୀ ନକରିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି। ବିଜେଡି ସରକାରଙ୍କ ଦ୍ୱାରା ଏନଏସି ଭାବେ ଘୋଷିତ ହୋଇଥିବା ଅଞ୍ଚଳ ଗୁଡିକୁ ପାତର ଅନ୍ତର କରି ସରକାର ଏପରି ନିଷ୍ପତ୍ତି ନେଉଛନ୍ତି।

ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରତାପ ଜେନା ଓ ବିଧାୟକ ତଥା ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପାତର ଅନ୍ତର ନୀତି ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଦେବୀ ପ୍ରସାଦ ମିଶ୍ର କହିଥିଲେ, ଶ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ, ୨୦୨୪ ମସିହା ଫେବୃଆରୀ ଓ ମାର୍ଚ୍ଚ ମାସରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୫୭ଟି ଅଞ୍ଚଳକୁ ଏନଏସି ଘୋଷଣା କରାଯାଇଥିଲା। ପୌର ଅଧିନିୟମ ୧୯୫୦ ଅନୁଯାୟୀ, ପ୍ରଥମେ ଘୋଷଣାନାମା ହୋଇଥାଏ ଓ ପରେ ଏହା ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଅଣାଯାଇ ଗେଜେଟ ନୋଟିଫିକେସନ କରାଯାଏ। ବିଜେଡି ସରକାରଙ୍କ ଦ୍ୱାରା ଘୋଷଣା ହେବା ସହିତ ଜିଲ୍ଲାପାଳ ମାନଙ୍କ ପାଖକୁ ଆବଶ୍ୟକ ରିପୋର୍ଟ ପାଇଁ ପଠାଯାଇଥିଲା। କିନ୍ତୁ ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବା ପରେ ପୂର୍ବରୁ ଘୋଷିତ ହୋଇଥିବା ଅଞ୍ଚଳ ଗୁଡିକ ମଧ୍ୟରୁ କିଛି ଅଞ୍ଚଳକୁ ପୁନଃ ଘୋଷଣା କରୁଛନ୍ତି ଓ କିଛି ନୂତନ ଅଞ୍ଚଳକୁ ଏଥିରେ ସାମିଲ କରିଛନ୍ତି। ରାଜ୍ୟରେ ବିଜେପି ସରକାରଙ୍କର ୧୫ ମାସ ବିତି ଯାଇଥିଲେ ମଧ୍ୟ, ଗୋଟିଏ ବି ଅଞ୍ଚଳ ପାଇଁ ଗେଜେଟ ନୋଟିଫିକେସନ ହୋଇପାରି ନାହିଁ।

ପ୍ରତାପ ଜେନା କହିଥିଲେ, ସରକାର ଏକ ନିରନ୍ତର ପ୍ରକ୍ରିୟା। ବିଜେଡି ସରକାରଙ୍କ ଦ୍ୱାରା ଘୋଷିତ ହୋଇସାରିଥିବା ଅଞ୍ଚଳ ଗୁଡ଼ିକୁ ରାଜ୍ୟ ସରକାର ପୁଣିଥରେ ଘୋଷଣା କରିବା ଓ ଏଥିରେ ପାତର ଅନ୍ତର କରି ଅଧିକାଂଶ ଘୋଷିତ ଅଞ୍ଚଳକୁ ସାମିଲ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ନବୀନ ପଟ୍ଟନାୟକଙ୍କ ଦ୍ୱାରା ଘୋଷିତ ହୋଇଥିବା ୫୭ଟି ଏନଏସି ମଧ୍ୟରୁ ମାତ୍ର ୧୮ଟିକୁ ବିଜେପି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବେଳେ ୩୯ଟି ଅଞ୍ଚଳକୁ ସାମିଲ କରାଯାଇ ନାହିଁ, ଯାହା ସରକାରଙ୍କ ପାତର ଅନ୍ତର ନୀତିକୁ ପଦାରେ ପକାଉଛି। ଏହାଛଡା କଣ୍ଟାବାଞ୍ଜି ଏନଏସିକୁ ମ୍ୟୁନିସିପାଲିଟି କରାଯିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାକୁ ମଧ୍ୟ ବିଚାରକୁ ନିଆଯାଇ ନାହିଁ। ବିଜେଡି ସରକାରଙ୍କ ଘୋଷିତ ତାଲିକା ଅନୁଯାୟୀ, ବାଦ୍‌ ପଡ଼ିଯାଇଥିବା ୩୯ଟି ଅଞ୍ଚଳକୁ ଏନଏସି ମାନ୍ୟତା ଓ କଣ୍ଟାବାଞ୍ଜିକୁ ମ୍ୟୁନିସିପାଲିଟି ଘୋଷଣା ତୁରନ୍ତ କରାଯାଉ।

ପ୍ରମିଳା ମଲ୍ଲିକ କହିଥିଲେ, ଗ୍ରାମାଞ୍ଚଳର ବାସିନ୍ଦା ମାନଙ୍କୁ ସହରାଞ୍ଚଳରେ ମିଳୁଥିବା ସୁବିଧା ପ୍ରଦାନ ଲକ୍ଷ୍ୟ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୫୭ଟି ଅଞ୍ଚଳକୁ ଏନଏସି ଘୋଷଣା କରିଥିଲେ। କିନ୍ତୁ ବିଜେପି ସରକାର ଏହା ମଧ୍ୟରୁ ଅଧିକାଂଶ ଅଞ୍ଚଳକୁ ବାଦ୍‌ ଦେଇଛନ୍ତି, ଯେଉଁଥିପାଇଁ ବାଦ୍‌ ପଡ଼ିଥିବା ଅଞ୍ଚଳ ଗୁଡିକରେ ଜନଅସନ୍ତୋଷ ଦେଖା ଦେଇଛି। ବାଦ୍‌ ପଡ଼ିଥିବା ୩୯ଟି ଅଞ୍ଚଳକୁ ତୁରନ୍ତ ଏନଏସି ମାନ୍ୟତା ନଦେଲେ ବିଜୁ ଜନତା ଦଳ ନୀରବଦ୍ରଷ୍ଟା ସାଜିବ ନାହିଁ, ରାଜରାସ୍ତାକୁ ଓହ୍ଲାଇବ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE