୨୦୦ ଫୁଟ ଖାଇକୁ ଖସିଲା ବସ୍, ଡ୍ରାଇଭର ସମେତ ୨ ମୃତ
ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ ଭୟାବହ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ମଣ୍ଡି ଜିଲ୍ଲାର ସରକାଘାଟ ଉପଖଣ୍ଡର ସାନୋଟ ଗାଁ ନିକଟରେ ଘଟିଛି ।
ପୋଲିସ ମୁତାବକ, ହିମାଚଳ ରୋଡ ଟ୍ରାନ୍ସପୋର୍ଟ କର୍ପୋରେସନ (HRTC)ର ଏକ ବସ୍ ୨୦୦ ଫୁଟ ଗଭୀର ଖାଇରେ ଖସି ପଡ଼ିଥିଲା । ବସଟି ମଣ୍ଡିରୁ ଧରମପୁର ଅଭିମୁଖେ ଯାଉଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇଥିଲେ । ବସରେ ପ୍ରାୟ ୨୫ ଜଣ ଯାତ୍ରୀ ଥିବା ଜଣାପଡ଼ିଛି ।
ଦୁର୍ଘଟଣା ଖବର ପାଇବା ମାତ୍ରେ ସ୍ଥାନୀୟ ଲୋକେ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ସରକାଘାଟ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଅନେକ ଯାତ୍ରୀଙ୍କ ଜୀବନ ରକ୍ଷା କରାଯାଇଛି । ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଏବଂ ଏହାର ତଦନ୍ତ ଚାଲିଛି ।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏହି ଦୁର୍ଘଟଣାରେ ମୃତମାନଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନକୁ ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତକମାନଙ୍କ ପରିବାରକୁ ୨୫,୦୦୦ ଟଙ୍କାର ତୁରନ୍ତ ସହାୟତା ଏବଂ ଆହତମାନଙ୍କୁ ୫,୦୦୦ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି ।
