ଆସିଲା ସିବିଏସ୍ଇର ନୂଆ ଗାଇଡ୍ଲାଇନ
କେନ୍ଦ୍ର ସରକାରଙ୍କ ସିବିଏସ୍ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ ନୂଆ ଗାଇଡ୍ଲାଇନ୍ ଜାରି କରିଛି। ଏହି ମାର୍ଗଦର୍ଶିକା ଅନୁସାରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବା ଲାଗି ନୂତନ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏହି ନିୟମଗୁଡ଼ିକୁ ସେମାନେ ପାଳନ ନକରିବେ ତେବେ ସେମାନେ ଦଶମ ବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇପାରିବେ ନାହିଁ।
ଆଜି ଜାରି ହୋଇଥିବା ଏହି ନିର୍ଦ୍ଦେଶାବଳୀରେ ୭ଟି ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ରହିଛି। ସେଥିରେ ୩ଟି ସର୍ତ୍ତ ଉଲ୍ଲେଖ କରାଯାଇଛି। ପ୍ରଥମ ସର୍ତ୍ତ ରହିଛି ସ୍କୁଲରେ ପିଲାଙ୍କ ଉପସ୍ଥାନ। ଯଦି ୭୫ ପ୍ରତିଶତ ଉପସ୍ଥାନ ନରହିବ ତେବେ ସେ ପରୀକ୍ଷା ଦେଇ ପାରିବ ନାହିଁ। ପୁଣି ଏହା କେବଳ ଦଶମ ବା ଦ୍ୱାଦଶ ପରୀକ୍ଷାରେ ନୁହେଁ ଦଶମ ବୋର୍ଡ ଦେବାକୁ ହେଲେ ନବମ ଓ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ବୋର୍ଡ ଦେବା ଲାଗି ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ୭୫% ଉପସ୍ଥାନ ଜରୁରୀ। ପୁଣି ଦଶମ ପରୀକ୍ଷା ଦେବା ଲାଗି ନବମ ଓ ଦଶମ ଏବଂ ଦ୍ୱାଦଶ ବୋର୍ଡ ଦେବା ଲାଗି ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ସମସ୍ତ ବିଷୟକୁ ଅଧ୍ୟନ କରିବା ଆବଶ୍ୟକ।
ତୃତୀୟ ବିନ୍ଦୁରେ ସ୍କୁଲ୍ଗୁଡ଼ିକର ଇଣ୍ଟରନାଲ୍ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଯଦି ସ୍କୁଲ୍ରେ ୭୫ ପ୍ରତିଶତ ଉପସ୍ଥାନ ନ ରହିବ ତେବେ ସମ୍ପୃକ୍ତ ଛାତ୍ର ବା ଛାତ୍ରୀଙ୍କ ଇଣ୍ଟରନାଲ ପରୀକ୍ଷା ହୋଇପାରିବ ନାହିଁ। ଯଦି ବା ପରୀକ୍ଷାର୍ଥୀ ଏ କ୍ଷେତ୍ରରେ ବୋର୍ଡ ପରୀକ୍ଷା ଦେଇଥିବେ କିନ୍ତୁ ତାଙ୍କ ଫଳାଫଳ ପ୍ରକାଶ କରାଯିବ ନାହିଁ। ଏମାନଙ୍କୁ ପରୀକ୍ଷା ପରେ ‘ଅତ୍ୟାବଶ୍ୟକ ରିପିଟ ବର୍ଗ’ରେ ଅନ୍ତର୍ଭୁକ୍ତ କରାଯିବ। ଏହି ବର୍ଗର ପରୀକ୍ଷାର୍ଥୀଙ୍କୁ ପ୍ରାଇଭେଟ ପ୍ରାର୍ଥୀ ଭାବେ ଗ୍ରହଣ କରାଯାଇ କମ୍ପାର୍ଟମେଣ୍ଟ ପରୀକ୍ଷା ଦେବା ପାଇଁ କୁହାଯାଇଛି।
ଚତୁର୍ଥ ବିନ୍ଦୁରେ ଦୁଇ ବୋର୍ଡ ପାଇଁ ଅତିରିକ୍ତ ବିଷୟ ବ୍ୟବସ୍ଥା କରାଯାଇଛି। ଦଶମ ବୋର୍ଡ ପାଇଁ ୫ଟି ବିଷୟ ସହ ୨ଟି ଅତିରିକ୍କତ ବିଷୟ ବାଧ୍ୟତାମୂଳକ କରାଯାଇଛି। ଦ୍ୱାଦଶରେ ଅତିରିକ୍ତ ବିଷୟ ସଂଖ୍ୟା ରହିଛି ୧ । ପୁଣି ଏହି ବିଷୟ ପାଇଁ ସମ୍ପୃକ୍ତ ସ୍କୁଲ୍ଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ଓ ଶିକ୍ଷକ ରହିବା ଆବଶ୍ୟକ। ଯଦି ଏସବୁ ନଥାଏ ତେବେ ସମ୍ପୃକ୍ତ ଛାତ୍ର ବା ଛାତ୍ରୀ ପରୀକ୍ଷା ଦେବାକୁ ଯୋଗ୍ୟ ହେବେ ନାହିଁ ବୋଲି କୁହାଯାଇଛି
