ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷାର ଉତ୍ତର ପତ୍ର ଏବେ ଡିଜିଟାଲ ଭାବରେ ହେବ ମୂଲ୍ୟାଙ୍କନ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ସିବିଏସଇ ଏବେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାର ଉତ୍ତର ଖାତା ଡିଜିଟାଲ ଭାବରେ ମୂଲ୍ୟାଙ୍କନ କରିବ। ଏଥିପାଇଁ ଗୋଟିଏ କିମ୍ବା ଅଧିକ ଏଜେନ୍ସି ଚୟନ କରାଯିବ।ସିବିଏସଇର ପରିଚାଳନା ପରିଷଦ ବୈଠକରେ ନିଆଯାଇଥିବା ଏହି ନିଷ୍ପତ୍ତିରେ,ସଦସ୍ୟମାନେ ପରାମର୍ଶ ଦେଇଛନ୍ତି ଯେ, ବୋର୍ଡର ବିଭିନ୍ନ ଆଞ୍ଚଳିକ କାର୍ଯ୍ୟାଳୟରେ କିଛି ବିଷୟରେ ପାଇଲଟ୍ ପ୍ରୋଜେକ୍ଟ ସମାପ୍ତ ହେବା ପରେ ହିଁ ଦଶମ-ଦ୍ୱାଦଶର ସମସ୍ତ ବିଷୟରେ ମୂଲ୍ୟାଙ୍କନ କାର୍ଯ୍ୟକାରୀ କରାଯାଇପାରିବ।
ସିବିଏସଇ ଗଭର୍ଣ୍ଣିଂ ବଡି ମିଟିଂ ଅନୁଯାୟୀ, ପୂର୍ବରୁ ମଧ୍ୟ, ଉତ୍ତର ପତ୍ରର ମୂଲ୍ୟାଙ୍କନ ସମୟ ହ୍ରାସ କରିବା ଏବଂ ମୂଲ୍ୟାଙ୍କନରେ ଅଧିକ ସଠିକତା ଆଣିବା ଉଦ୍ଦେଶ୍ୟରେ, ସିବିଏସଇ ୨୦୧୪ ମସିହାରେ ଏହାର କିଛି ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଦଶମ ବୋର୍ଡ ପରୀକ୍ଷାର କିଛି ବିଷୟ ପାଇଁ ଡିଜିଟାଲ୍ ମୂଲ୍ୟାୟନ କାର୍ଯ୍ୟକାରୀ କରିଥିଲା ଏବଂ ପରବର୍ତ୍ତୀ ବର୍ଷ ଅର୍ଥାତ୍ ୨୦୧୫ ମସିହାରେ, ଦିଲ୍ଲୀରେ ଦ୍ୱାଦଶ ବୋର୍ଡ ପରୀକ୍ଷାର କିଛି ବିଷୟ ପାଇଁ ଡିଜିଟାଲ୍ ମୂଲ୍ୟାୟନ କାର୍ଯ୍ୟକାରୀ କରାଯାଇଥିଲା।
ସିବିଏସଇ ନିଷ୍ପତ୍ତି ନେଇଛି ଯେ, ଉତ୍ତର ପତ୍ରର ଡିଜିଟାଲ୍ ମୂଲ୍ୟାଙ୍କନ ପାଇଁ, ଏପରି ଏଜେନ୍ସିଗୁଡ଼ିକୁ ଚୟନ କରାଯିବ ଯାହାଙ୍କ ପାଖରେ ସ୍କୁଲ ବୋର୍ଡ, ବିଶ୍ୱବିଦ୍ୟାଳୟ କିମ୍ବା କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ପରୀକ୍ଷା ସଂସ୍ଥା ଦ୍ୱାରା ପରିଚାଳିତ ପରୀକ୍ଷାରେ ଉତ୍ତର ପତ୍ରର ଡିଜିଟାଲ୍ ମୂଲ୍ୟାଙ୍କନର ଭଲ ଅଭିଜ୍ଞତା ରହିଥିବ। ଯେହେତୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ପତ୍ର ଯାଞ୍ଚ ଏକ ଗୋପନୀୟ ପ୍ରକ୍ରିୟା, ତେଣୁ ଉତ୍ତର ପତ୍ର ଯାଞ୍ଚ ଦାୟିତ୍ୱପୂର୍ଣ୍ଣ ଭାବରେ ଏବଂ କୌଣସି ପ୍ରକାରର ହେରଫେର ବିନା କରାଯିବା ଆବଶ୍ୟକ।ସିବିଏସଇ ୨୦୨୬-୨୭ ଶିକ୍ଷାବର୍ଷରୁ ୯ମ ଶ୍ରେଣୀ ପରୀକ୍ଷାରେ ‘ଓପନ୍-ବୁକ୍’ ପରୀକ୍ଷାକୁ ମଞ୍ଜୁରୀ ମିଳିଛି। ଶିକ୍ଷକମାନେ ମଧ୍ୟ ଏହି ମୂଲ୍ୟାଙ୍କନକୁ ସମର୍ଥନ କରିଛନ୍ତି। ଏହି ନୂତନ ବ୍ୟବସ୍ଥା ଜାତୀୟ ଶିକ୍ଷା ନୀତି ଅର୍ଥାତ୍ ଏନଇପି ୨୦୨୦ ଆଧାରରେ ପ୍ରସ୍ତୁତ କରାଯାଇଛି। ଏହି ମୂଲ୍ୟାଙ୍କନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କର ବୋଧଗମ୍ୟତା ଏବଂ ବିଶ୍ଳେଷଣାତ୍ମକ କ୍ଷମତା ପରୀକ୍ଷା କରିବା ବଦଳରେ। ଏହି ମୂଲ୍ୟାଙ୍କନରେ ଗଣିତ, ବିଜ୍ଞାନ ଏବଂ ସାମାଜିକ ବିଜ୍ଞାନକୁ ଅନ୍ତର୍ଭୁକ୍ତ କରାଯିବ।
