ରାଜ୍ୟରେ ଖୋଲିବ ବନ୍ଦ ହୋଇଥିବା ସ୍କୁଲ
ବିଧାନସଭାରେ ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଙ୍କ ଉତ୍ତର ରଖିଛନ୍ତି। ସିଡ୍ୟୁଲ ଏରିଆରେ ସର୍ବନିମ୍ନ ୨୦ ପିଲା ଥିଲେ ବନ୍ଦ ହୋଇପଡ଼ିଥିବା ସ୍କୁଲ ପୁଣି ଖୋଲିବ। ନନ୍ ସିଡ୍ୟୁଲ ଏରିଆରେ ସର୍ବନିମ୍ନ ୪୦ ପିଲା ଥିଲେ ସ୍କୁଲ ଖୋଲିବ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି। ସମୁଦାୟ ୫,୬୩୨ ସ୍କୁଲକୁ ମିଶ୍ରଣ କରିଥିଲେ। ୨ହଜାର ୧୫୨ ସାଟେଲାଇଟ୍ ସ୍କୁଲକୁ ମିଶ୍ରଣ କରାଯାଇଛି।
ଗତ ସରକାର ଅମଳରେ ଅନେକ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଅନେକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ବଢ଼ିଲାଣି। ତେଣୁ ଉକ୍ତ ସ୍କୁଲଗୁଡ଼ିକୁ ପୁଣି ଖୋଲିବା ପାଇଁ କିଛି ପଦକ୍ଷେପ ନେବେ କି ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଅତାବିରାର ଭାଜପା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ଏହା ପରେ ମନ୍ତ୍ରୀ ତାଙ୍କର ଉତ୍ତର ରଖିଛନ୍ତି।
ସେହିପରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରାଜ୍ୟରେ ଘରୋଇ ଇଂଲିଶ ମିଡିୟମ ସ୍କୁଲ ଏବଂ ଘରୋଇ ମହାବିଦ୍ୟାଳୟଗୁଡ଼ିକ ସଂଖ୍ୟା କେତେ ତା’ର ଜିଲାଓ୍ବାରି ତାଲିକା ପ୍ରଦାନ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଘରୋଇ ଇଂଲିଶ ମିଡିୟମ ସ୍କୁଲ ଏବଂ ଘରୋଇ ମହାବିଦ୍ୟାଳୟଗୁଡ଼ିକରେ ମନଇଚ୍ଛା ଶିକ୍ଷାଦାନ ଏବଂ ପାଉଣା ନେବା ଦ୍ୱାରା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି ବୋଲି ବିଧାୟକ ମନ୍ତ୍ରୀଙ୍କୁ କହିଥିଲେ।
