ଟିକେଟ ପାଇଁ ଦଳାଚକଟା, ବାରବାଟୀ କ୍ରିକେଟ ଫିଭର
ବାରବାଟୀରେ ଟିକେଟ୍ ପାଇଁ ଦେଖାଦେଇଛି ହଙ୍ଗାମା। ଧସେଇ ପଶିଲେ, ଧସ୍ତାଧସ୍ତି ହେଲେ, ପରସ୍ପର ଉପରେ ଚଢିଗଲେ। ଲୋକଙ୍କର ଚେତା ବୁଡ଼ିଲା, ପୋଲିସ୍ ବି ନାକେଦମ୍ ହେଲା। ବାରବାଟୀରେ ଇଂଲଣ୍ଡ-ଇଣ୍ଡିଆ ଦ୍ୱିତୀୟ ଦିନିକିଆ ପାଇଁ ଆଜି ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିବାବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଟିକେଟ କାଉଣ୍ଟର ଆଗରେ ଦେଖିବାକୁ ମିଳିଛି ଦଳଚକଟା ସହ ପ୍ରବଳ ଠେଲାପେଲା।
ଟିକେଟ୍ ଖଣ୍ଡେ ପାଇଁ ଲୋକଙ୍କ ଉପରେ ଚଢିଯିବାକୁ ମଧ୍ୟ ପଛାଇନାହାନ୍ତି କ୍ରିକେଟ୍ ପ୍ରେମୀ। ଯିଏ ଯେମିତି ପାଇଲା ସେମିତି ଟିକେଟ୍ ପାଇଁ ଆଗକୁ ମାଡିଗଲା। ପୋଷ୍ଟର ଚିରିବା ସହିତ କାଉଣ୍ଟର ଛାତ ଉପରକୁ ବି ଲୋକମାନେ ଚଢିଯାଇଥିବା ଦେଖିବାକୁ ମିଳିଛି। ଘୋର ଅବ୍ୟବସ୍ଥା ଯୋଗୁ ଟିକେଟ୍ ଆଶାୟୀ ଦହଗଞ୍ଜ ହେଉଥିବା ଅଭିଯୋଗ ହୋଇଛି। ଦଳଚକଟା ସ୍ଥିତି ଯୋଗୁ କିଛି ଲୋକ ଚେତା ମଧ୍ୟ ହରାଇଛନ୍ତି।