ରାଜ୍ୟ

ପୁଣି ୩ ଜଣଙ୍କଠାରୁ ୮୦ ଲକ୍ଷ ଉଡ଼ାଇନେଲେ ସାଇବର୍‌ ଠକ

0
(0)

ଅନ୍‌ଲାଇନ୍‌‌ରେ ଚାକିରି ଓ ନିବେଶ ଆଳରେ ସାଇବର୍‌ ଠକ ୩ଜଣଙ୍କୁ ୮୦ ଲକ୍ଷ ଟଙ୍କାର ଚୂନ ମାରିଛନ୍ତି। ଏ ସଂପର୍କରେ ଆଜି ସାଇବର୍‌ ଥାନାରେ ଅଭିଯୋଗ ହୋଇଛି। ଠକାମିର ଶିକାର ହୋଇଥିବା କେନ୍ଦ୍ରାପଡ଼ାର ବିଜୁ ବେହେରା, ସାଲିଆସାହିର ରାଜେଶ ବେହେରା ଏବଂ ବିନୋଦ ସେଠିଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ପୃଥକ୍‌ ପୃଥକ୍‌ ମାମଲା ରୁଜୁ କରି ତଦନ୍ତ କରୁଛି।

ସୂଚନାନୁସାରେ, ବିଜୁ ଅନ୍‌ଲାଇନ୍‌ରେ ଚାକିରି ପାଇଁ ଆବେଦନ କରିଥିଲେ। ପରେ ତାଙ୍କ ଟେଲିଗ୍ରାମ୍‌ ନମ୍ବରକୁ ଏକ ମେସେଜ୍‌ ଆସିଥିଲା। ଘରୁ ବସି ଚାକିରି (ୱାର୍କ-ଫ୍ରମ୍‌-ହୋମ୍‌) କରିବାକୁ ସେଥିରେ ତାଙ୍କୁ ଲୋଭନୀୟ ଅଫର୍‌ ଦିଆଯାଇଥିଲା। ଦରମା ବାବଦକୁ ଠକମାନେ ତାଙ୍କୁ ମାସକୁ ୪୦ ହଜାର ଟଙ୍କା ଦରମା ଦେବେ ବୋଲି କହିଥିଲେ। ଆଗପଛ ବିଚାର ନ କରି ବିଜୁ ସେମାନଙ୍କ ଜାଲରେ ପଡ଼ି ଯାଇଥିଲେ। ପରେ ଠକମାନେ ତାଙ୍କୁ ଏକାଧିକ ଟେଲିଗ୍ରାମ୍‌ରେ ଯୋଡ଼ି ଟଙ୍କା ନିବେଶ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ଲୋଭରେ ପଡ଼ି ବିଜୁ ପର୍ଯ୍ୟାୟକ୍ରମେ ୧୫ ଲକ୍ଷ ୩୯ ହଜାର ଟଙ୍କା ନିବେଶ କରିଥିଲେ। କିନ୍ତୁ ଟଙ୍କା ଉଠାଇବା ବେଳକୁ ଅଭିଯୁକ୍ତମାନେ ଉଭାନ୍‌ ହୋଇଯାଇଥିଲେ। ଯେଉଁ ଆପ୍‌ ଜରିଆରେ ବିଜୁ ନିବେଶ କରିଥିଲେ, ତାହା ମଧ୍ୟ ବନ୍ଦ ହୋଇଯାଇଥିଲା। ସେ ସାଇବର୍‌ ଠକଙ୍କ ଦ୍ବାରା ଶିକାର ହୋଇଥିବା ଜାଣିବା ପରେ ଏ ସଂପର୍କରେ ଥାନାର ଦ୍ୱାରସ୍ଥ ହୋଇଥିଲେ।

ସେହିପରି ସମାନ ଢଙ୍ଗରେ ସାଲିଆସାହିର ରାଜେଶ ବେହେରା ୨୦ ଲକ୍ଷ ଏବଂ ବିନୋଦ ସେଠି ୧୨ ଲକ୍ଷରୁ ଅଧିକ ଟଙ୍କା ଠକାମିର ଶିକାର ହୋଇଛନ୍ତି। ସେମାନେ ମଧ୍ୟ ଅନ୍‌ଲାଇନ୍‌ରେ ଚାକିରି ଖୋଜୁଥିଲେ। ଏହାର ଫାଇଦା ନେଇ ଠକମାନେ ତାଙ୍କୁ ଜାଲରେ ଫସାଇଥିଲେ। ଠକମାନେ ପ୍ରଥମେ ଦୁହିଁଙ୍କୁ ଏକ ୱେବ୍‌ସାଇଟ୍‌(ଜାଲ)ରେ ପଞ୍ଜୀକରଣ କରିବାକୁ କହିଥିଲେ। ଏହାକୁ ଅସଲି ୱେବସାଇଟ୍‌ ଭାବି ସେମାନେ ପଞ୍ଜୀକରଣ କରିବା ପରେ ଠକମାନେ ଦୁହିଁଙ୍କୁ ଫୋନ୍‌ କରିଥିଲେ। ଦୁଇଜଣଙ୍କ ଚାକିରି ହୋଇଯାଇଛି, କିନ୍ତୁ ଏଥିପାଇଁ ସେମାନଙ୍କୁ ୧୦ରୁ ୧୫ଲକ୍ଷ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଚାକିରି ଲୋଭରେ ଦୁଇଜଣଯାକ ଟଙ୍କା ପଇଠ କରିବା ପରେ ଠକ ଆହୁରି ଟଙ୍କା ମାଗିଥିଲେ। ଆହୁରି ଅଧିକ ଟଙ୍କା ଦେବା ପରେ ନିଯୁକ୍ତିପତ୍ର ମିଳିବ ବୋଲି କହିଥିଲେ। ସନ୍ଦେହ ହେବାରୁ ସେମାନେ ନିଜନିଜସ୍ତରରେ ଯାଞ୍ଚ କରି ଜାଣିବାକୁ ପାଇଥିଲେ ଯେ ଏହା ସାଇବର୍‌ ଠକଙ୍କ କରାମତି। ପରେ ସେମାନେ ଏ ସଂପର୍କରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE