ବନ୍ୟା ଆଣୁଛି ଦାନା !
ଭୀଷଣ ବାତ୍ୟା ଯେତିକି ତାଣ୍ଡବ ରଚିବ, ଏହା ସ୍ଥଳ ଭାଗ ଛୁଇଁବା ପରେ ପ୍ରବଳ ବର୍ଷା ତାଠାରୁ ଅଧିକ କୋପ ଦେଖାଇବ। ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପାଇଁ ଉତ୍ତରରୁ ପଶ୍ଚିମ ଓଡ଼ିଶା ଯାଏଁ ବର୍ଷା ଚେତାବନୀ ଜାରି କରିଛି। ଏଥିଯୋଗୁଁ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହେଲାଣି । ଯେହେତୁ ସମୁଦ୍ର ଜୁଆର ଅଧିକାଂଶ ନଦୀରେ ପଶିବ, ତେଣୁ ବନ୍ୟା ପାଣି ନିଷ୍କାସନ ନହୋଇ ଗାଁ ଗଣ୍ଡାକୁ ମାଡ଼ି ଯିବାର ଆଶଙ୍କା ରହିଛି ।
ଖାଲି ଅଣଚାଶ ପବନ ନୁହେଁ । ନିର୍ଘାତ ବର୍ଷାକୁ ବି ସାଙ୍ଗରେ ଧରି ଆସୁଛି ଭୀଷଣ ବାତ୍ୟା ଦାନା । ବାତ୍ୟା ସ୍ଥଳଭାଗ ଅତିକ୍ରମ କଲା ପରେ ଏହା କ୍ରମଶ ଦୁର୍ବଳ ହୋଇ ଡିପ୍-ଡିପ୍ରେସନ ଓ ଲଘୁଚାପରେ ପରିଣତ ହୋଇ ଅଧାରୁ ଅଧିକ ଓଡ଼ିଶାକୁ ଗ୍ରାସିବ। ଯଦିଓ ପବନର କୋପ କମିଯିବ ହେଲେ ବର୍ଷା ତାଉ ଦେଖାଇବ। ଖାଲି ଉପକୂଳ କି ଉତ୍ତର ନୁହେଁ ପଶ୍ଚିମ ଓଡ଼ିଶାରେ ବି କାଚିବ ବର୍ଷା । ଏହାର ପ୍ରଭାବରେ ନଦୀ-ନାଳ ଫୁଲିବ, ଏପରିକି ବନ୍ୟା ସ୍ଥିତି ବି ଉପୁଜିପାରେ।