ରାଜ୍ୟ

୧୩୩କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

0
(0)

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ପ୍ରାୟ ୧୩୩ କୋଟି ୬୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆଜି ଉଦଘାଟିତ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡ଼ିକ ଢେଙ୍କାନାଳ ଜିଲ୍ଲାକୁ ବିକଶିତ କରିବା ଦିଗରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । କେନ୍ଦ୍ରମନ୍ତ୍ରୀ ପ୍ରଥମେ ଆଜି ପ୍ରଥମେ କାମାକ୍ଷାନଗର ବାଇସିଙ୍ଗାଠାରେ ଜାତୀୟ ରାଜପଥ – ୫୩ ନମ୍ବରର କାମାକ୍ଷାନଗର ବାଇପାସରୁ ଡୁବୁରି ସେକ୍ସନର ପ୍ରାୟ ୧୦କୋଟି ୬୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏକ ଓଭର ବ୍ରିଜର ଲୋକାର୍ପଣ କରିଥିଲେ । ପରେ କାମାକ୍ଷାନଗର ମହିଳା କଲେଜ କ୍ୟାମ୍ପସରେ କେନ୍ଦ୍ରୀୟ ବିଦ୍ୟାଳୟ, କାମାକ୍ଷାନଗରର ଅସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ ସହ ଜନ୍ତାରିବୋଲଠାରେ ୩୦କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ହେବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲେ । ଏହି ଅବସରରେ ଢେଙ୍କାନାଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କର ପ୍ରାୟ ୯୩କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ କେନ୍ଦ୍ରମନ୍ତ୍ରୀ ।

ସେ କହିଛନ୍ତି ପ୍ରାଚୀନ ଯୁଗରୁ ଆମର ଢେଙ୍କାନାଳ ବୀରଭୂମି ନାମରେ ଖ୍ୟାତ । ଢେଙ୍କାନାଳ ଜିଲ୍ଲା ଶହୀଦ ବୀର ବାଜି ରାଉତ, ବୈଷ୍ଣବ ଚରଣ ପଟ୍ଟନାୟକ, ‘ଗଡଜାତ ଗାନ୍ଧୀ’ ସାରଙ୍ଗଧର ଦାସ, ମହେଶ ଚନ୍ଦ୍ର ସୁବାହୁ ସିଂ ଓ ମୂଷା ମଲିକଙ୍କ ସଂଗ୍ରାମୀ ଭୂମି ଭାବରେ ଜଣାଶୁଣା । ଏହି ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ, ଏକଲବ୍ୟ ଆବାସିକ ବିଦ୍ୟାଳୟ, ରାଜ୍ୟ ସରକାରଙ୍କ ସ୍କିଲ ଡେଭଲପମେଣ୍ଟ ବିଭାଗର ଏକ ଶିକ୍ଷାନୁଷ୍ଠାନ ଥିବା ବେଳେ ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ୱପ୍ନ ମଧ୍ୟ ପୂରଣ ହୋଇଛି । କାମାକ୍ଷାନଗରର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଆମର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ବୀରପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ମନେ ପକାଇବା ସହ ସେମାନଙ୍କ ଆଦର୍ଶ ଓ ବିଚାରରେ ଆଗକୁ ବଢିବା ପାଇଁ ଅନୁପ୍ରାଣିତ କରିବ ।

କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସରେ ଚଳିତ ଶିକ୍ଷା ବର୍ଷ ଠାରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୪୦ ଜଣ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଯିବ । ଓଡ଼ିଶା ସରକାର ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ୨୦୨୫ -୨୬ ବର୍ଷ ପାଇଁ ୪୫,୦୦୦ରୁ ଅଧିକ ପ୍ରି- ପ୍ରାଇମେରୀ କ୍ଲାସକୁ ଶିଶୁ ବାଟିକାରେ ପରିବର୍ତ୍ତନ କରାଇଛନ୍ତି । କାମାକ୍ଷାନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଶିଶୁବାଟିକାରେ ମଧ୍ୟ ଶିଶୁମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯିବ । ପ୍ରାରମ୍ଭିକ ଶିକ୍ଷା ମାତୃଭାଷାରେ ହେଲେ ହିଁ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ବିକାଶ ହେବ । ମାତୃଭାଷାରେ ପିଲାମାନେ ପାଠ ପଢିଲେ ହିଁ ଶହୀଦ ବାଜି ରାଉତ, ସାରଙ୍ଗଧର ଦାସ, ପଠାଣି ସାମନ୍ତ ଏବଂ ଡ଼. ଏପିଜେ ଅବଦୁଲ କଲାମଙ୍କ ପରି ବ୍ୟକ୍ତିତ୍ୱମାନେ ତିଆରି ହେବେ । ଢେଙ୍କାନାଳରେ ଜାତୀୟ ରାଜପଥ, ଜଳପଥ, ରେଳପଥ ସମେତ ପର୍ଯ୍ୟଟନର ଅପାର ସମ୍ଭାବନା ଅଛି । ଅମାପ ସମ୍ଭାବନାର ଜିଲ୍ଲା ଢେଙ୍କାନାଳରେ ଥିବା ଏୟାର ଷ୍ଟ୍ରିପକୁ ବିକଶିତ କରି ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ପାଇଲଟ୍ ଶିକ୍ଷା ଦେବା ପାଇଁ ଯୋଜନା କରାଯିବ ।

ଆମ ଡବଲ ଇଞ୍ଜିନ ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ସହ ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେଇ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟକୁ ବିକଶିତ କରିବାର ଦାୟିତ୍ୱ ନେଇଛନ୍ତି । ଆସନ୍ତା ୫ବର୍ଷ ମଧ୍ୟରେ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବଢାଇବା ପାଇଁ ସରକାରୀ ବିଦ୍ୟାଳୟଗୁଡ଼ିକରେ ୫୦,୦୦୦ଅଟଳ ଟିଙ୍କରିଂ ଲ୍ୟାବ୍ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ହୋଇଛି । ଏହାଦ୍ୱାରା ପିଲାମାନଙ୍କର ବୈଜ୍ଞାନିକ ମନୋଭାବ ବୃଦ୍ଧି ହେବ । ସେହିପରି ରାଜ୍ୟରେ ୬୭୯୪ ଗ୍ରାମ ପଞ୍ଚାୟତରେ ଗୋଟିଏ ଗୋଟିଏ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନା କରିବା ପାଇଁ ଡବଲ ଇଞ୍ଜିନ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟରେ ଡ୍ରପ ଆଉଟ୍ ହାର କମାଇବା ପାଇଁ ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ବାଇସିଙ୍ଗାଠାରେ ଲୋକାର୍ପିତ ଓଭର ବ୍ରିଜ୍ ଦ୍ୱାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣମାନେ ବିଶେଷ ଭାବରେ ଉପକୃତ ହେବେ । କାମାକ୍ଷାନଗର ସବଡିଭିଜନକୁ ଏକ ଶିଳ୍ପାଞ୍ଚଳରେ ପରିଣତ କରିବା ସହ ଢେଙ୍କାନାଳ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ଆମେ ସାମୂହିକ ଦାୟିତ୍ୱ ନେବାକୁ ହେବ । ଏହି ପଦକ୍ଷେପ ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE