ରାଜ୍ୟ

ରାଜ୍ୟର ସବୁ ଜିଲ୍ଲାକୁ ସଂକ୍ରମଣ କଲାଣି ଡାଇରିଆ

0
(0)

ରାଜ୍ୟରେ ଡାଇରିଆ ଥମୁନାହିଁ। ଯାଜପୁରରୁ ଆରମ୍ଭ ହୋଇଥିବା ଡାଇରିଆ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ମାଡ଼ିବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ୧୧ଜଣଙ୍କ ଡାଇରିଆରେ ମୃତ୍ୟୁ ହୋଇଛି। ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି। ଡାଇରିଆ ସଂକ୍ରମଣକୁ ନଜରରେ ରଖି ରାଜ୍ୟର ସବୁ ଜିଲ୍ଲାକୁ ଆଲର୍ଟରେ ରଖାଯାଇଛି। ତେବେ କେଉଁ ଉତ୍ସରୁ ଯାଜପୁରରେ ଡାଇରିଆ ବ୍ୟାପିଲା ଏହା ଉପରେ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେବେ ସଂକ୍ରମିତ ଜଳ ଉତ୍ସ କିମ୍ବା ସଂକ୍ରମିତ ଖାଦ୍ୟ, ପରିମଳ ବ୍ୟବସ୍ଥାରେ ତ୍ରୁଟି, ଅଧିକ ରୋଗୀ ଦେଖା ଦେଇଥିବା ଅଞ୍ଚଳରୁ କିମ୍ବା ବିଳମ୍ବରେ ପରୀକ୍ଷା ପାଇଁ ରୋଗୀ ଆସୁଥିବା କାରଣରୁ ଏହା ହୋଇଥାଇପାରେ ବୋଲି ସରକାର ସନ୍ଦେହ କରୁଛନ୍ତି।

ଆଜି ର‌ାଜ୍ୟର ୫ଟି ଜିଲ୍ଲାରେ ୪୨୯ଜଣ ନୂଆ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦୁଝରରେ ୮୨, ଯାଜପୁରରେ ୬୪, କଟକ ୧୪୫, ଢେଙ୍କାନାଳ ୬୫, ଭଦ୍ରକରେ ୭୩ ଜଣ ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଯାଜପୁର ଜିଲ୍ଲାରେ ଏବେ ବି ୨୧୦ ଜଣ ଚିକିତ୍ସାଧୀନ ରହିଛନ୍ତି। ଜିଲ୍ଲାରେ ୪୦ଲକ୍ଷ ହାଲୋଜେନ୍‌ ବଟିକା, ୬ଲକ୍ଷ ଓଆର୍‌ଏସ୍‌ ପ୍ୟାକେଟ୍‌ ବଣ୍ଟନ କରାଯାଇଛି। ୪ଶହ ପ୍ୟାକେଟ୍‌ ବ୍ଲିଚିଂ ପାଉଡର ଓ ୩ଲକ୍ଷ ୪୦ହଜାର ସଂକ୍ରାମକ ରୋଗ ନିରୋଧକ ଔଷଧ ଡକ୍ସିସାଇକ୍ଲିନ୍ ବଣ୍ଟାଯାଇଛି। ରାଜ୍ୟରେ ଡାଇରିଆ ସ୍ଥିତିକୁ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଡାକ୍ତରଖାନାକୁ ଆସୁଥିବା ପ୍ରତ୍ୟେକ ରୋଗୀଙ୍କୁ ଯେପରି ଉପଯୁକ୍ତ ଧ୍ୟାନ ଓ ଚିକିତ୍ସା ଦିଆଯିବ ତାହାକୁ ଗୁରୁତ୍ବ ଦିଆଯାଇଛି। ନଦୀ, ନାଳ ଅଞ୍ଚଳର ଲୋକମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଜଳ ବିଶୋଧନ କରାଯାଉଥିବା କ୍ଲୋରିନ୍‌ରେ ଗୁଣାତ୍ମକ ମାନ ଅଛି କି ନାହିଁ ତାହାକୁ ବିଶୋଧନ କରାଯିବା ବେଳେ ଅନୁଧ୍ୟାନ କରାଯିବ। ପୁରୁଣା ହୋଇଥିଲେ ନୂଆ କିଣିବା ସହ ଏହାକୁ ଯଥେଷ୍ଟ ସଂଖ୍ୟାରେ ରଖିବାକୁ କୁହାଯାଇଛି। ଆଗକୁ ମୌସୁମୀ ବର୍ଷାରେ ଜଳ ସଂକ୍ରମଣ ଆଶଙ୍କା ରହିଛି। ଏଥିପାଇଁ ନିୟମିତ ବ୍ୟବଧାନରେ ଜଳ ଉତ୍ସକୁ ବିଶୋଧନ କରିବା, ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହି ବୈଠକରେ ଯାଜପୁର, କଟକ, ଭଦ୍ରକ, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ଆଭାସୀ ଜରିଆରେ ଯୋଗ ଦେଇଥିଲେ।

ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍‌ କହିଛନ୍ତି, ଡାଇରିଆ ଲକ୍ଷଣ ଦେଖାଦେବା ମାତ୍ରେ ଲୋକମାନେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଛନ୍ତି, ଯାହାକି ଏକ ଭଲ ଲକ୍ଷଣ। ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପରିମଳ ବଜାୟ ରଖିବା ପାଇଁ ଡାକବାଜି ଯନ୍ତ୍ର ସହାୟତାରେ ପ୍ରଚାର କରାଯାଉଛି। କେବଳ ପ୍ରଭାବିତ ୫ ଜିଲ୍ଲା ନୁହେଁ, ସବୁ ଜିଲ୍ଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ମହାମାରୀ ନୁହେଁ ବୋଲି କେନ୍ଦ୍ରୀୟ ଟିମ୍ ପ୍ରାରମ୍ଭିକ ସୂଚନା ଦେଇଛନ୍ତି। ଡାଇରିଆ ସଂକ୍ରମଣ ଗୋଟିଏ ଉତ୍ସରୁ ବ୍ୟାପିନାହିଁ। ତେଣୁ ସବୁ ଉତ୍ସକୁ ବିଶୋଧନ କରାଯାଉଛି। ପ୍ରତ୍ୟେକ ଦିନ ରାଜ୍ୟସ୍ତରରେ ଡାଇରିଆ ସମୀକ୍ଷା କରାଯିବ। ୭ଦିନ ପର୍ଯ୍ୟନ୍ତ ବିଶୋଧନ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଡାଇରିଆ ପ୍ରଭାବିତ ଅଞ୍ଚଳକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୪ଟି ସ୍ବତନ୍ତ୍ର ଟିମ୍ ପଠାଯାଇଛି। ଯୁଗ୍ମ ନିର୍ଦ୍ଦେଶକ ଡା. ଅଶୋକ ପାଇକରାୟ, ପରାମର୍ଶଦାତା ଡା.କଲ୍ଲୋଳ ଦାସ, ଆଇଆରଟି ସଦସ୍ୟ ସୁରଜିତ ଗରାବଡ଼ୁ, ଡା.ଅସିତ ମହାନ୍ତି, ଡା.ପ୍ରଭାକର ସାହୁ ଓ ପରାମର୍ଶଦାତା ଅନୁପ ପ୍ରମୁଖ ଏହି ଟିମ୍‌ର ସଦସ୍ୟ ରହିଛନ୍ତି। ଏହି ଟିମ୍ ଭୁବନ, ବାଙ୍କୀ, ଧର୍ମଶାଳା, ବଡ଼ଚଣା ଓ ଭଣ୍ଡାରିପୋଖରୀ ଆଦି ଅଞ୍ଚଳ ଗସ୍ତ କରି କ୍ଷେତ୍ର ସ୍ତରରେ ଡାଇରିଆ ନିରାକରଣ କାର୍ଯ୍ୟକ୍ରମର ତଦାରଖ କରିବେ। ଜଳ ଉତ୍ସର ବିଶୋଧନ, ଘରକୁ ଘର ଅଭିଯାନ, ଡାଇରିଆ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ଓ ପ୍ରାଥମିକ ଚିକିତ୍ସା, ଘରକୁ ଘର ଔଷଧ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ ଆଦିର ନିରୀକ୍ଷଣ କରିବେ। ‌ ସେହିପରି ଜାତୀୟ ସ୍ବାସ୍ଥ୍ୟ ମିସନ, ଓଡ଼ିଶା ପକ୍ଷରୁ ଡାଇରିଆ ପ୍ରଭାବିତ ଅଞ୍ଚଳରେ ଅଧିକ ସଂଖ୍ୟାରେ ଡାକ୍ତର ଓ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍ ମୁତୟନ କରାଯାଇଛି। ପ୍ରଭାବିତ ଡାକ୍ତରଖାନାରେ ୮ଜଣ ଭେଷଜ ବିଶେଷଜ୍ଞ ଓ ଅଧିକ ୨୦ଟି ‌ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଟିମ୍ ମୁତୟନ ହୋଇଛନ୍ତି। ଏହାବାଦ୍ ପ୍ରଭାବିତ ଅଞ୍ଚଳରେ ୪୫ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ୧୦ଟି ଭ୍ରାମ୍ୟମାଣ ସଚେତନତା ଭ୍ୟାନ୍ ନିୟୋଜିତ ହୋଇଛି। ସେହିପରି ଆଦିମ ଆଦିବାସୀ ବହୁଳ ଅଞ୍ଚଳରେ ସ୍ବାସ୍ଥ୍ୟସେବା ସୁବିଧା ଓ ସଚେତନତା ପାଇଁ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରାଯାଉଛି। ରୋଗ ସର୍ବେକ୍ଷଣ ଓ ଆଗୁଆ ଚିହ୍ନଟ ଆଦି କାର୍ଯ୍ୟକ୍ରମକୁ ଅଧିକ ଶାଣିତ ଓ ଫଳପ୍ରଦ କରିବାକୁ ମିସନ୍‌ ନିର୍ଦ୍ଦେଶିକା ବୃନ୍ଦା ଡି ସବୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE