କେମିତି ହୁଏ ଭୋଟ୍ ଗଣତି ?
ନିର୍ବାଚନ ପରେ ଏବେ ଫଳାଫଳକୁ ନେଇ ସବୁଆଡେ ଚର୍ଚ୍ଚା ।ରାତ ପାହିଲେ ପ୍ରକାଶ ପାଇବ ଲୋକସଭା ନିର୍ବାଚନ ଫଳ। ସମସ୍ତେ ଅପେକ୍ଷାରେ। ଭୋଟ ଗଣତି କେମିତି ହୋଇଥାଏ, ଗଣନା ଦିନ କିଏ ଷ୍ଟ୍ରଙ୍ଗରୁମ୍ ଚାବି ଖୋଲିଥାଏ ଆସନ୍ତୁ ଜାଣିବା ।
ଭୋଟ ଗଣତି ଦିନ ପ୍ରତି ଦଳର ପ୍ରାର୍ଥୀ କିମ୍ବା ସେମାନଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସକାଳ ପ୍ରାୟ ୭ଟା ବେଳେ ଷ୍ଟ୍ରଙ୍ଗରୁମ୍ ଚାବି ଖୋଲାଯାଏ।ନିର୍ବାଚନ ଆୟୋଗଙ୍କ ରିଟର୍ଣ୍ଣିଂ ଅଫିସର ତଥା ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଉପସ୍ଥିତ ଥାନ୍ତି।ଏସମସ୍ତ ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯାଇଥାଏ। ସିସିଟିଭି ନଜରରେ ଥାଏ ଷ୍ଟ୍ରଙ୍ଗରୁମ୍ । ଇଭିଏମକୁ ଟେବୁଲ ଉପରେ ରଖିବା ପରେ କଣ୍ଟ୍ରୋଲ ୟୁନିଟ୍ ସହିତ ୟୁନିଟ୍ ଆଇଡିର ସିଲ୍ ମିଶାଯାଇଥାଏ। ପ୍ରତ୍ୟେକ ପ୍ରାର୍ଥୀଙ୍କ ପୁଲିଂ ଏଜେଣ୍ଟଙ୍କୁ ମଧ୍ୟ ଦେଖାଯାଇଥାଏ। ଏହାବାଦ କଣ୍ଟ୍ରୋଲ ୟୁନିଟ୍ ବଟନ୍ ଦବାଇବା ପରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଭୋଟ୍ ଇଭିଏମରେ ତାଙ୍କ ନାମ ପାଖରେ ଦେଖାଯିବା ପରେ ଗଣନା ଆରମ୍ଭ ହୁଏ।
ଯେକୌଣସି ଗଣନା କେନ୍ଦ୍ରର ଗୋଟିଏ ହଲରେ ସମୁଦାୟ ୧୫ଟି ଟେବୁଲ ରହିଥାଏ। ଗଣନା ପାଇଁ ୧୪ଟି ଟେବୁଲ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଗୋଟିଏ ଟେବୁଲ ରଖାଯାଏ। କେଉଁ କର୍ମଚାରୀ କେଉଁ ଟେବୁଲରେ ଗଣତି କରିବେ ତାହା କାହାକୁ କୁହାଯାଏନି। ଗଣନା ଦିନ ସକାଳ ୫-୬ଟା ଭିତରେ ପ୍ରତ୍ୟେକ ଜିଲାର ନିର୍ବାଚନ ଅଧିକାରୀମାନେ କର୍ମଚାରୀମାନଙ୍କୁ ହଲ ଏବଂ ଟେବୁଲ ବଣ୍ଟନ କରିଥାନ୍ତି।
ସର୍ବପ୍ରଥମେ ପୋଷ୍ଟାଲ ବାଲାଟ୍ ଏବଂ ଇଲେକ୍ଟ୍ରୋନିକ୍ ପୋଷ୍ଟାଲ ବାଲାଟ୍ ଗଣତି ହୋଇଥାଏ। ଏଥିରେ ପ୍ରାୟ ୩୦ମିନିଟ୍ ସମୟ ଲାଗିଥାଏ। ପୋଷ୍ଟାଲ୍ ବାଲାଟ୍ ଗଣତି ପରେ ଇଭିଏମ୍ ଭୋଟ ଗଣତି କରାଯାଏ। ଇଭିଏମ୍ ଭୋଟ ଗଣତି ସକାଳ ୯ଟାରେ ଆରମ୍ଭ ହୁଏ।
