ସ୍ୱତନ୍ତ୍ର

ଡରାଉଛି ବନାଗ୍ନୀ, ୪୦ ଦିନରେ ୩୬ ବଡ଼ ନିଆଁ !

0
(0)

ଖରା ବଢ଼ିବା ସହ ରାଜ୍ୟରେ ବନାଗ୍ନି ବିପଦ ମୁଣ୍ଡ ଟେକିଛି। ବର୍ତ୍ତମାନ ଯଦିଓ ରାଜ୍ୟରେ ସ୍ଥିତି ଚିନ୍ତାଜନକ ନାହିଁ, ତଥାପି ପ୍ରତି ଦିନ ଛୋଟଛୋଟ ବନାଗ୍ନି ନେଇ ଖବର ଆସୁଛି। ତାପମାତ୍ରା ବଢ଼ୁଥିବାରୁ ଆଗକୁ ଏହି ସ୍ଥିତି ଆହୁରି ଅଧିକ ହେବା ନେଇ ଆଶଙ୍କା କରାଯାଉଛି। ଅପରପକ୍ଷରେ ଚଳିତ ବର୍ଷ ବନାଗ୍ନି ନିୟନ୍ତ୍ରଣ ପାଇଁ ବନ ବିଭାଗ ମଧ୍ୟ ଅଣ୍ଟା ଭିଡ଼ିଛି। ପୂର୍ବ ବର୍ଷମାନଙ୍କ ତୁଳନାରେ ଏଥର ଅଧିକ ଫାୟାରଲାଇନ୍‌ ସୃଷ୍ଟି କରିବାକୁ ବିଭାଗ ଯୋଜନା କରିଛି। ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ପ୍ରାୟ ୧୫,୭୨୩ କିଲୋମିଟର ଫାୟାରଲାଇନ୍‌ ସୃଷ୍ଟି କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।
ଜାନୁଆରୀ ୧ ତାରିଖରୁ ଓଡ଼ିଶାର ବିଭିନ୍ନ ଡିଭିଜନରୁ ବନାଗ୍ନି ଘଟଣା ସାମନାକୁ ଆସୁଛି। ପ୍ରଥମ ମାସରେ ଫେବୃଆରୀ ୫ ତାରିଖ ମଧ୍ୟରେ ରାଜ୍ୟର ବିଭିନ୍ନ ଜଙ୍ଗଲରେ ୩୬ ଟି ବଡ଼ ଧରଣର ବନାଗ୍ନି ସହ ମୋଟ୍‌ ୭୮୬ଟି ଫାୟାର ପଏଣ୍ଟ ରେକର୍ଡ କରାଯାଇଛି। ନବରଙ୍ଗପୁର ଡିଭିଜନ ସର୍ବାଧିକ ୧୨୫ଟି ଫାୟାରପଏଣ୍ଟ ରେକର୍ଡ ହୋଇଥିବା ବେଳେ ସୁନ୍ଦରଗଡ଼ ଏବଂ ସମ୍ୱଲପୁର ଯଥାକ୍ରମେ ୭୨ ଏବଂ ୬୮ଟି ଫାୟାରପଏଣ୍ଟ ରେକର୍ଡ ହୋଇଛି। ବନ ବିଭାଗର ସୂଚନା ଅନୁଯାୟୀ ଚିହ୍ନଟ ହୋଇଥିବା ଫାୟାର ପଏଣ୍ଟଗୁଡ଼ିକ ୬୦ ପ୍ରତିଶତରୁ ଅଧିକ ଜଙ୍ଗଲ ସୀମା ବାହାରେ ଥିଲା। ତଥାପି ବନ ବିଭାଗର କ୍ଷେତ୍ର କର୍ମଚାରୀମାନେ ତୁରନ୍ତ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଜଙ୍ଗଲରେ ପତ୍ର ଝଡ଼ିବା ଆରମ୍ଭ ହୋଇସାରିଛି, ଏହା ଏପ୍ରିଲ୍‌ ଆରମ୍ଭ ପର୍ଯ୍ୟନ୍ତ ଜାରି ରହିବ। ଫଳରେ ଏହି ସମୟରେ ଜଙ୍ଗଲରେ ନିଅାଁ ଲାଗିବାର ଆଶଙ୍କା ଅଧିକ ରହିବ। ତେଣୁ କ୍ଷେତ୍ରସ୍ତରର କର୍ମଚାରୀମାନେ ଫାୟାରଲାଇନ୍‌ ଅଭିଯାନକୁ ଜୋରଦାର କରିଥିବା ନେଇ ବନ ବିଭାଗ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି। ବନାଗ୍ନି ଆହ୍ୱାନକୁ ମୁକାବିଲା କରିବା ପାଇଁ ଚଳିତ ବର୍ଷ ୫୩୩ ଅଗ୍ନି ସୁରକ୍ଷା ଦଳ ଓ ଯାନବାହନ ନିୟୋଜିତ କରାଯାଇଥିବା ଜଣାପଡ଼ିଛି ।

ସେହିପରି ୪୬୬୩ ଟି ପତ୍ରଉଡ଼ା ମେସିନ (ବ୍ଲୋୟର) ସହିତ ଅଗ୍ନି ନିର୍ବାପକ ଦଳ ପାଇଁ ରେକ୍‌ ଓ ସୁରକ୍ଷା କିଟ୍‌ ଭଳି ଅନ୍ୟାନ୍ୟ ଉପକରଣ ମଧ୍ୟ ଯୋଗାଇ ଦିଆଯାଇଛି। ବନାଗ୍ନି ସଂକ୍ରାନ୍ତ ଆଲର୍ଟ ପାଇବା ପାଇଁ ପ୍ରାୟ ୬୭୦୦ ମୋବାଇଲ୍‌ ଫୋନ୍‌ ପଞ୍ଜିକୃତ ହୋଇଛି । ଅନୁରୂପ ଭାବରେ ବିଭାଗୀୟ ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି। ଏହାସହିତ ୧୫୭୨୩ କିଲୋମିଟର ଫାୟାରଲାଇନ୍‌ ସୃଷ୍ଟି କରି ତୁରନ୍ତ ବ୍ୟାପୁଥିବା ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ବିଭାଗ ଯୋଜନା କରିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE