ଆଇଆଇଏମ୍ସି ପକ୍ଷରୁ ହିନ୍ଦୀ ପକ୍ଷ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି) ଢେଙ୍କାନାଳ ପକ୍ଷରୁ ହିନ୍ଦୀ ପକ୍ଷ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ ଯୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ।
ଉଦ୍ଯାପନୀ ସମାରୋହରେ ସଂସ୍ଥାନ ପକ୍ଷରୁ ହିନ୍ଦୀ ପକ୍ଷ ପାଳନ ଅବସରରେ ଅନୁଷ୍ଠିତ କିଛି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି । ରେଡିଓ ଜିଙ୍ଗିଲ ପ୍ରତିଯୋଗିତାରେ ଦିବାକର କୁମାର ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଶିବାଙ୍ଗୀ ଗୁପ୍ତା ଦ୍ୱିତୀୟ ଓ ସୋନାଲ ରୟ ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଦୀବାଲିନ୍ ବେହେରା, ହରିଶ ରାଜ ଓ ସାକ୍ଷୀ ଗୌହାଡ଼େଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ମିଳିଛି । ହିନ୍ଦୀ କାବ୍ୟ ପ୍ରତିଯୋଗିତାରେ ସୁଜଲ ଶର୍ମା ପ୍ରଥମ, ଦିବାକର କୁମାର ଦ୍ୱିତୀୟ ଓ ଚାହତ କୁମାରୀ ତୃତୀୟ ହୋଇଛନ୍ତି । ସାନ୍ତ୍ୱନାମୂଳକ ପୁରସ୍କାର ପାଇଛନ୍ତି ଅଂଶୁ ଭାରତୀ, ଶିବ ପ୍ରସାଦ ମହାନ୍ତି ଓ ଜ୍ୟୋତି ରଞ୍ଜନ ମିଶ୍ର । ହିନ୍ଦୀ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଶିବାଙ୍ଗୀ ଗୁପ୍ତା ପ୍ରଥମ, ଦିବାକର କୁମାର ଦ୍ୱିତୀୟ, ହରିଶ ରାଜ ଓ ଦୃଷ୍ଟି ପୁଣ୍ୟାନି ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଆଦିତ୍ୟ ମହିମା ମହାପାତ୍ର ଓ ଓମ୍ ଶୁଭମ୍ ମଲ୍ଲିକଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଛି । ପ୍ରଥମ ପୁରସ୍କାର ବାବଦକୁ ପ୍ରମାଣପତ୍ର ସହ ୨୫୦୦ ଟଙ୍କା ମିଳିଥିବାବେଳେ ଦ୍ୱିତୀୟ ପୁରସ୍କାର ବାବଦକୁ ୨୦୦୦ ଟଙ୍କା, ତୃତୀୟ ପୁରସ୍କାର ବାବଦକୁ ୧୫୦୦ ଟଙ୍କା ଓ ସାନ୍ତ୍ୱନାମୂଳକ ପୁରସ୍କାର ବାବଦକୁ ୧୦୦୦ ଟଙ୍କା ଲେଖାଏଁ ମିଳିଛି ।
ଆଇଆଇଏମ୍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡ. ଆନନ୍ଦ ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଛନ୍ତି । ସହକାରୀ ପ୍ରଫେସର ଡ. ବିରଞ୍ଚି ନାରାୟଣ ସେଠ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଛନ୍ତି ସହକାରୀ ପ୍ରଫେସର ଡ. ଚିରସ୍ରୋତା ଜେନା । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ । ଆସନ୍ତକାଲି ଅପରାହ୍ନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ହିନ୍ଦୀ ପକ୍ଷର ସମାପନ ହେବ ବୋଲି ସଂସ୍ଥାନ ପକ୍ଷରୁ ସୂଚନା ଦିଆଯାଇଛି ।