ଜାତୀୟ

ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ନେଇ ରାଜନୈତିକ ହଙ୍ଗାମା ଚାଲିଛି

0
(0)

ଏସିଆ କପରେ ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ନେଇ ଦେଶରେ ରାଜନୈତିକ ହଙ୍ଗାମା ଜାରି ରହିଛି। ୨୨ ଏପ୍ରିଲରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ପାଞ୍ଚ ମାସ ପରେ ହେଉଥିବା ଏହି ମ୍ୟାଚ୍‌କୁ ନେଇ ପ୍ରଶ୍ନ ଉଠାଯାଉଛି। ଶିବସେନା (ୟୁବିଟି), କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି ସମେତ ସମସ୍ତ ରାଜନୈତିକ ଦଳ ଏହାକୁ ସମାଲୋଚନା କରିଛନ୍ତି। ବିରୋଧୀ ଦଳଗୁଡ଼ିକ ଏହାକୁ ପୀଡିତ ଏବଂ ସୀମାରେ ପ୍ରାଣବଳି ଦେଇଥିବା ସୈନିକଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା କାନପୁର ବ୍ୟବସାୟୀ ଶୁଭମଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା କ୍ରିକେଟ୍ ମ୍ୟାଚ୍‌କୁ ସାଧାରଣ ଲୋକେ ବର୍ଜନ କରିବାକୁ ଆବେଦନ କରିଛନ୍ତି। ଐଶ୍ୱର୍ଯ୍ୟା ମ୍ୟାଚ୍ ଆୟୋଜନ ନିଷ୍ପତ୍ତିକୁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିଛନ୍ତି ଏବଂ ବିସିସିଆଇ ପୀଡିତ ପରିବାରଙ୍କ ଭାବନା ସହିତ ଖେଳୁଥିବାର ଅଭିଯୋଗ କରିଛନ୍ତି।ସେ କହିଛନ୍ତି, ଦେଶର ସହିଦଙ୍କ ପ୍ରତି ବିସିସିଆଇର କୌଣସି ମୂଲ୍ୟ ନାହିଁ। ସେମାନେ ହୁଏତ ନିଜର କାହାକୁ ହରାଇ ନାହାନ୍ତି। ସେ ସିଧାସଳଖ ଜନସାଧାରଣଙ୍କୁ ନିବେଦନ କରିଥିଲେ, ଏହି ମ୍ୟାଚ୍ ବୟକଟ୍ କରନ୍ତୁ, ଏହାକୁ ଟେଲିଭିଜନରେ ଦେଖନ୍ତୁ ନାହିଁ।

ଶିବସେନା(ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଶନିବାର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶପ୍ରେମର ବାଣିଜ୍ୟକରଣ କରିଛନ୍ତି। ଉଦ୍ଧବ ଠାକରେ କହିଛନ୍ତି ଯେ, ଆମର ପ୍ରଧାନମନ୍ତ୍ରୀ କହିଥିଲେ, ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ। ଯଦି ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ, ତେବେ ଖେଳ ଏବଂ ରକ୍ତପାତ କିପରି ଏକାଠି ହୋଇପାରିବ? ଯୁଦ୍ଧ ଏବଂ କ୍ରୀଡ଼ା କିପରି ଏକାଠି ହୋଇପାରିବ? ଏହା ଅର୍ଥହୀନ।ଠାକରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଦେଶପ୍ରେମର ବ୍ୟବସାୟ କରିଛନ୍ତି, ସେ ଦେଶପ୍ରେମର ବାଣିଜ୍ୟକରଣ କରିଛନ୍ତି। ସେ ଏକ ମ୍ୟାଚ୍ ଆୟୋଜନ କରୁଛନ୍ତି କାରଣ ସେ ଏଥିରୁ ଟଙ୍କା ଚାହାନ୍ତି; ସେ ଦାନ ଚାହାନ୍ତି। ଦେଶ କଷ୍ଟ ପାଉଛି କି ଲୋକମାନେ ମରୁଛନ୍ତି, ସେ ଚିନ୍ତା କରନ୍ତି ନାହିଁ। ସେ କୌଣସି ଚିନ୍ତା ନକରି ଖେଳି ଚାଲିବେ ଏବଂ ଆମକୁ ଦେଶପ୍ରେମ ଶିଖାଇବେ।

ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ମ୍ୟାଚ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଆସାମ ମୁଖ୍ୟମନ୍ତ୍ରୀ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ମୋର ପ୍ରଶ୍ନ ହେଉଛି ଯେ, ଆପଣଙ୍କ ପାଖରେ ପାକିସ୍ତାନ ସହିତ କ୍ରିକେଟ୍ ମ୍ୟାଚ୍ ଖେଳିବାକୁ ମନା କରିବାର ଶକ୍ତି ନାହିଁ, ଯେଉଁ ଦେଶରେ ଆଶ୍ରୟ ନେଇଥିବା ଆତଙ୍କବାଦୀ ପହଲଗାମରେ ଆମର ୨୬ ଜଣ ନାଗରିକଙ୍କୁ ସେମାନଙ୍କ ଧର୍ମ ପଚାରି ଗୁଳି କରିଥିଲେ ସେଭଳି ଦେଶ ସହିତ କ୍ରିକେଟ ଖେଳିବା କ’ଣ ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି।ଓୱାଇସି ପ୍ରଶ୍ନ କରିଛନ୍ତି, ଆମେ ପ୍ରଧାନମନ୍ତ୍ରୀଙ୍କୁ ପଚାରୁଛୁ ଯେ, ଯେତେବେଳେ ଆପଣ କହିଥିଲେ, ରକ୍ତ ଏବଂ ପାଣି ଏକାଠି ବହିପାରିବ ନାହିଁ, ଆଲୋଚନା ଏବଂ ଆତଙ୍କବାଦ ଏକାଠି ହୋଇପାରିବ ନାହିଁ, ତେବେ ବିସିସିଆଇ ଏକ କ୍ରିକେଟ ମ୍ୟାଚ୍‌ରୁ କେତେ ଟଙ୍କା ରୋଜଗାର କରିବ, ୨୦୦୦ କୋଟି?, ୩୦୦୦ କୋଟି? ବିଜେପି କହିବା ଉଚିତ୍ ଯେ, ଆମର ୨୬ ନାଗରିକଙ୍କ ଜୀବନ ଅଧିକ ମୂଲ୍ୟବାନ ନା ଟଙ୍କା। ଆମେ ଗତକାଲି ସେହି ୨୬ ନାଗରିକଙ୍କ ସହିତ ଛିଡ଼ା ହୋଇଥିଲୁ, ଆଜି ସେମାନଙ୍କ ସହିତ ଛିଡ଼ା ହୋଇଥିଲୁ ଏବଂ କାଲି ମଧ୍ୟ ସେମାନଙ୍କ ସହିତ ଛିଡ଼ା ହେବୁ।

କ୍ରିକେଟ୍ ମ୍ୟାଚ୍ ବିରୋଧରେ ପ୍ରତିବାଦ ଜଣାଇ ଆମ ଆଦମୀ ପାର୍ଟି ନିଜ କାର୍ଯ୍ୟାଳୟରେ ପାକିସ୍ତାନ କ୍ରିକେଟ୍ ଦଳର କୁଶପୁତ୍ତଳିକା ଦାହ କରିଛି । ଏହି ଅବସରରେ ଆମ ଆଦମୀ ପାର୍ଟିର ଦିଲ୍ଲୀ ଅଧ୍ୟକ୍ଷ ସୌରଭ ଭରଦ୍ୱାଜ, ବିଧାୟକ ସଞ୍ଜୀବ ଝା ଏବଂ କୁଲଦୀପ କୁମାର ଉପସ୍ଥିତ ଥିଲେ। ‌ସେମାନେ କହିଛନ୍ତି, ଆମେ ଏହି ମ୍ୟାଚ୍କୁ ବିରୋଧ କରୁଛୁ ଏବଂ କହିବାକୁ ଚାହୁଁଛୁ ଯେ, ଭାରତ ସରକାର ଏହି ମ୍ୟାଚ୍କୁ ତୁରନ୍ତ ବନ୍ଦ କରନ୍ତୁ।ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଆପ ନେତା ସୌରଭ ଭରଦ୍ୱାଜ କହିଛନ୍ତି, ଆଜି ପାକିସ୍ତାନ କ୍ରିକେଟ ଦଳର କୁଶପୁତ୍ତଳିକା ଦାହ କରାଯାଇଛି କାରଣ ଏମାନେ ସେହି ପାକିସ୍ତାନୀ କ୍ରିକେଟର ଯେଉଁମାନେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ସମର୍ଥନ କରି କହିଥିଲେ। ଭରଦ୍ୱାଜ କହିଛନ୍ତି, ରକ୍ତପାତ ଏବଂ କ୍ରିକେଟ ଏକାଠି ଚାଲିବ ନାହିଁ। ଆମ ଭଉଣୀମାନଙ୍କ ସିନ୍ଥିରୁ ସିନ୍ଦୁର ପୋଛି ଦେଇଥିବା ଲୋକଙ୍କ ସହିତ କ୍ରିକେଟ ମ୍ୟାଚ୍ ଖେଳିବାର ଆବଶ୍ୟକତା କ’ଣ? ଆମେ ଏହାକୁ ଦୃଢ଼ ବିରୋଧ ଏବଂ ବର୍ଜନ କରୁଛୁ।

ଆପ ବିଧାୟକ ସଞ୍ଜୀବ ଝା କହିଛନ୍ତି, ମୁଁ ବିସିସିଆଇ ଏବଂ ଆଇସିସିରେ ବସିଥିବା ବରିଷ୍ଠ ବିଜେପି ନେତାମାନଙ୍କୁ ପଚାରିବାକୁ ଚାହୁଁଛି ଯେ, ଆପଣ ଏହି ଅପମାନକୁ ସହ୍ୟ କରିବେ କି? ଆପଣ ଥରେ କହିଥିଲେ, ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ, ତେଣୁ ରକ୍ତପାତ ଏବଂ କ୍ରିକେଟ କିପରି ଏକାଠି ଚାଲିପାରିବ? କାହିଁକି? କାରଣ ଏହା ବ୍ୟବସାୟ ଏବଂ କ୍ଷମତାର ବିଷୟ କି?
କଂଗ୍ରେସର ଇମ୍ରାନ ମାସୁଦ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ ଉପରେ ଏକ କଟାକ୍ଷ କରି କହିଛନ୍ତି, ସବୁଠାରେ ବ୍ୟବସାୟ ଜାରି ରହିବ। ଏହି ସରକାରଙ୍କ ଲକ୍ଷ୍ୟ ହେଉଛି ଯେ, ସରକାରଙ୍କର ବନ୍ଧୁମାନେ ବ୍ୟବସାୟ କରୁଥିବେ। ଏହା ଦେଖାଯାଉଛି ଯେପରି ଉଭୟ ଦେଶର ସେନା ଲଢ଼ୁଛନ୍ତି, ଭାରତ ଏବଂ ପାକିସ୍ତାନର ଦଳ ନୁହେଁ। ଏହି ଉତ୍ସାହରୁ ବହୁତ ଟଙ୍କା ରୋଜଗାର ହେଉଛି, କାରଣ ପ୍ରସାରଣରୁ ବହୁତ ଲାଭ ହେଉଛି।ସେ କହିଛନ୍ତି, ଆମ ଭଉଣୀମାନଙ୍କର ସିନ୍ଦୂର ପୋଛି ହୋଇଯାଇଛି, ସେମାନଙ୍କ ଲୁହ ଶୁଖିନାହିଁ ଏବଂ ଆପଣ ଏକ ମ୍ୟାଚ୍ ଖେଳୁଛନ୍ତି। ଯେଉଁଠାରେ ସାଂସ୍କୃତିକ ସମ୍ପର୍କ ଶେଷ ହୋଇଥିଲା, ଟିଭି ସିରିଏଲ୍ ବନ୍ଦ ହୋଇଯାଇଥିଲା, କିନ୍ତୁ କ୍ରିକେଟର ବ୍ୟବସାୟ ଚାଲିଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆଦିତ୍ୟ ଠାକରେ ଲେଖିଛନ୍ତି, ପହଲଗାମରେ ହୋଇଥିବା କାପୁରୁଷ ଆକ୍ରମଣକୁ ୬ମାସ ବିତିନାହିଁ। ଆତଙ୍କବାଦୀମାନେ କିପରି ପ୍ରବେଶ କଲେ ତାହା କେହି ଜାଣିନାହାନ୍ତି। ତା’ପରେ ‘ଅପରେସନ୍ ସିନ୍ଦୁର’ ଘଟିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ। ହଠାତ୍ ଯୁଦ୍ଧବିରତି ପରେ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଯେ ଅପରେସନ ସିନ୍ଦୂର
ବନ୍ଦ ହୋଇଯାଇଛି, ଏହା ଶେଷ ହୋଇନାହିଁ।

ଠାକରେ କହିଛନ୍ତି, ପାକିସ୍ତାନ ଭାରତରେ ଏସିଆ କପ୍ ହକିକୁ ବୟକଟ କରିଥିଲା। ଏହା ମଧ୍ୟ ଏକ ବହୁପକ୍ଷୀୟ ଟୁର୍ଣ୍ଣାମେଣ୍ଟ ଥିଲା, କିନ୍ତୁ ବିସିସିଆଇ ପାକିସ୍ତାନ ସହିତ ଖେଳିବାକୁ ବ୍ୟାକୁଳ। ବିସିସିଆଇ କ’ଣ ଏତେ ଶକ୍ତିଶାଳୀ ଯେ, ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀଙ୍କ କଥା ମାନିବ ନାହିଁ।
ଠାକରେ କ୍ରିକେଟ୍ ବୋର୍ଡକୁ ପଚାରିଲେ, ବିସିସିଆଇ କ’ଣ ଟିକିଏ ଲଜ୍ଜିତ ଅନୁଭବ କରୁ ନାହିଁ? ପହଲଗାମରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ କିମ୍ବା ଆମର ସଶସ୍ତ୍ର ବାହିନୀ ପାଇଁ କୌଣସି ଭାବନା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE