ଝାଡ଼ଖଣ୍ଡ ନିର୍ବାଚନରେ ଜୋରଦାର୍ ଫାଇଟ୍
ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୩ ତାରିଖରେ ହେବ । ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଓ ଜେଏମଏମ୍ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ମଧ୍ୟରେ ହେଉଛି ଜୋରଦାର୍ ଫାଇଟ୍ । ପ୍ରଥମ ପର୍ଯ୍ୟାୟରେ ମତଦାନ ହେଉଥିବା ୪୩ଟି ବିଧାନସଭା ଆସନ ମଧ୍ୟରୁ ଜାମସେଦପୁର ଇଷ୍ଟ୍ ଆସନକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା । ଏହି କ୍ଷେତ୍ର ଉପରେ ରହିଛି ସାରା ରାଜ୍ୟର ନଜର । ଏହି ଆସନରେ ନିର୍ବାଚନ ଲଢୁଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୂର୍ଣ୍ଣିମା ସାହୁ ଓ ପୂର୍ବତନ ସାଂସଦ ତଥା ଓଡିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର । ପୂର୍ଣ୍ଣିମା ବିଜେପିରୁ ପ୍ରାର୍ଥୀ ହୋଇଥିଲା ବେଳେ ଅଜୟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ତେଣୁ ଏହା ଏବେ ହୋଇଛି ଝାଡଖଣ୍ଡର ସବୁଠୁ ହାଇପ୍ରୋଫାଇଲ୍ ଆସନ ।
ପୂର୍ବରୁ ସାମ୍ବାଦିକତାକୁ ନିଜର ପେସା ଭାବେ ଗ୍ରହଣ କରିଥିବା ପୂର୍ଣ୍ଣିମା ଏବେ ରାଜନେତା । ଏଥର ପ୍ରଥମ ଥର ପାଇଁ ରାଜନୀତିକୁ ଆସି ପ୍ରାର୍ଥୀ ହୋଇଛନ୍ତି । ପ୍ରଚାର ଅଭିଯାନକୁ ଶାଣିତ କରି ନିର୍ବାଚନମଣ୍ଡଳୀରେ ଘରକୁ ଘର ବୁଲୁଛନ୍ତି ପୂର୍ଣ୍ଣିମା । ବଡ ବଡ ରାଲିରେ ଯାଇ ସାଧାରଣ ଲୋକ ତଥା ଭୋଟରଙ୍କୁ ସମ୍ବୋଧିତ କରୁଛନ୍ତି । ବିଜେପିର ଆଭିମୁଖ୍ୟ ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି । ନୂଆ କରି ରାଜନୀତିରେ ପାଦ ଥାପିଥିବା ପୂର୍ଣ୍ଣିମାଙ୍କ ପାଇଁ ନୁହେଁ ବରଂ ତାଙ୍କ ପରିବାର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପାଇଁ ଏହା ସମ୍ମାନର ଲଢେଇ ହୋଇଛି ବୋଲି ଆଲୋଚନା ହେଉଛି । ଏହି ଆସନ ଥିଲା ବିଜେପିର ହସ୍ତମୁଦି ମାହାଲ୍ । ଏଇଠ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ରଘୁବର ଦାସ । ମୁଖ୍ୟମନ୍ତ୍ରୀ ବି ହୋଇଛନ୍ତି । କିନ୍ତୁ ଗତ ୨୦୧୯ ନିର୍ବାଚନରେ ଜାମସେଦପୁର ଇଷ୍ଟ ଆସନରେ ରଘୁବର ପରାଜିତ ହୋଇଥିଲେ । ତାଙ୍କୁ ପରାସ୍ତ କରିଥିଲେ ସ୍ୱାଧୀନ ଭାବେ ଲଢିଥିବା ବିଜେପିର ବିଦ୍ରୋହୀ ପ୍ରାର୍ଥୀ ସରଯୂ ରାୟ । ଏହି ନିର୍ବାଚନରେ ସରଯୂ ଏହି ଆସନ ଛାଡି ଜାମସେଦପୁର ୱେଷ୍ଟରେ ସଂଯୁକ୍ତ ଜନତା ଦଳର ପ୍ରାର୍ଥୀ ହୋଇଛନ୍ତି । ୧୯୯୦ ମସିହାରୁ ଜାମସେଦପୁର ଇଷ୍ଟରେ ସବୁବେଳେ ବିଜେପି ଜିତି ଆସୁଥିଲା ବେଳେ ୨୦୧୯ରେ କିନ୍ତୁ ଦଳ ଜିତି ପାରିନଥିଲା । ବିହାର ସହ ଥିଲା ବେଳେ ଥରେ ଓ ଝାଡଖଣ୍ଡ ହେଲା ପରେ ୪ ଥର ଏହି ଆସନରୁ ଜିତି ରେକର୍ଡ କରିଛନ୍ତି ରଘୁବର ଦାସ । ତେଣୁ ଏହି ଆସନରେ ତାଙ୍କର ଦବଦବା ବି ରହିଛି ।