ଭୁଲ ହେୟାର୍ ଟ୍ରାନ୍ସପ୍ଲାଣ୍ଟ୍ କାରଣରୁ ଚାଲିଗଲା ଜୀବନ
ଉତ୍ତରପ୍ରଦେଶର କାନପୁରରେ ୨ ଜଣ ଇଞ୍ଜିନିୟରଙ୍କ ଜୀବନ ଭୁଲ ହେୟାର୍ ଟ୍ରାନ୍ସପ୍ଲାଣ୍ଟ୍ କାରଣରୁ ଚାଲିଗଲା । ସୂଚନା ଅନୁସାରେ କେଶ ପ୍ରତ୍ୟାରୋପଣ କରିବା ପରେ ଦୁହିଁଙ୍କ ମୁହଁ ଅଚାନକ ଫୁଲିବାକୁ ଲାଗିଲା ଏବଂ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଦୁହିଁଙ୍କ ଜୀବନ ଚାଲିଗଲା । ଏହି ମାମଲା ସାମ୍ନାକୁ ଆସିବା ପରେ ପୁଲିସ ଏବଂ ସ୍ବାସ୍ଥ୍ୟ ବିଭାଗ ଉଭୟ ଯାଞ୍ଚରେ ଲାଗି ପଡ଼ିଥିଲେ ।
କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି କି ଏହି ମାମଲାରେ ଅଭିଯୁକ୍ତ ଡାକ୍ତର ଅନୁଷ୍କା ତିୱାରୀଙ୍କୁ ଏଯାଏଁ ପୁଲିସ ଗିରଫ କରିବାରେ ସଫଳ ହୋଇପାରିନାହିଁ । ପାୱାର୍ ହାଉସରେ କାମ କରୁଥିବା ଇଞ୍ଜିନିୟର ବିପିନ ଦୁବେଙ୍କ ମୃତ୍ୟୁ ପରେ ସଂପର୍କୀୟଙ୍କ ଏତଲା ପରେ ପୁଲିସ ମେ’ ୮ ତାରିଖରେ ଡାକ୍ତର ଅନୁଷ୍କା ତିୱାରୀଙ୍କ ନାଁରେ ଏତଲା ଦାୟର କରିଥିଲେ । ଏହାର ୩ ଦିନ ପରେ ଫରୁଖାବାଦର ଇଞ୍ଜିନିୟର ମୟଙ୍କଙ୍କ ସଂପର୍କୀୟ ମଧ୍ୟ ଭୁଲ ଚିକିତ୍ସା କାରଣରୁ ତାଙ୍କ ପୁଅଙ୍କ ଜୀବନ ଚାଲିଯାଇଥିବାର ଅଭିଯୋଗ ଆଣିଥିଲେ । କିନ୍ତୁ ଏହି ମାମଲାରେ ମଧ୍ୟ ପୁଲିସର ହାତ ଖାଲି ରହିଛି ।
ଆଶ୍ଚର୍ଯ୍ୟର କଥା ହେଉଛି ଯେ ପ୍ଲାଷ୍ଟିକ୍ ସର୍ଜରୀ ଡିଗ୍ରି ବିନା ଡାକ୍ତର ଅନୁଷ୍କା ବିପିନଙ୍କ ହେୟାର୍ ଟ୍ରାନ୍ସପ୍ଲାଣ୍ଟ୍ କରିଥିଲେ । ମାର୍ଚ୍ଚ ୧୨ ତାରିଖରେ ତାଙ୍କର ହେୟାର୍ ଟ୍ରାନ୍ସପ୍ଲାଣ୍ଟ୍ ହେଲା ଏବଂ ଠିକ୍ ୩ ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିଲା । ଡାକ୍ତର ଅନୁଷ୍କା ଏବେ ସ୍ବାମୀଙ୍କ ସହ ଫେରାର ଥିବା ଜଣାପଡିଛି । ବାରମ୍ବାର ନମ୍ବର ବଦଳାଇବା ସହ ଲୋକେସନ୍ ମଧ୍ୟ ପରିବର୍ତ୍ତନ କରୁଛନ୍ତି ଏହି ଧ୍ରୁତ ଡାକ୍ତର ।
