ଗିନିଜ୍ ବିଶ୍ବ ରେକର୍ଡକଲା ପ୍ରୟାଗରାଜ ମହାକୁମ୍ଭ
ପ୍ରୟାଗରାଜ ମହାକୁମ୍ଭ କେବଳ ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ସମାଗମ ନୁହେଁ, ବିଶ୍ବ ରେକର୍ଡର ବି ଅଧିକାରୀ ହୋଇଛି । ତିନି ତିନିଟି ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ହୋଇଛି ୨୦୨୫ ମହାକୁମ୍ଭ । ଆଜି ଗିନିଜ୍ ୱାର୍ଲ୍ଡ ରେକର୍ଡର ଟିମ୍ ଏକ ସ୍ବତନ୍ତ୍ର ସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବିଧିବଦ୍ଧ ଭାବେ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି ।
ମହାକୁମ୍ଭରେ ୩ଟି କ୍ଷେତ୍ରରେ ବିଶ୍ବ ରେକର୍ଡ ହୋଇଛି । ସବୁଠୁ ଅଧିକ ଲୋକଙ୍କ ଦ୍ବାରା ଏକାଠି ନଦୀର ସଫେଇ ଅଭିଯାନ, ସବୁଠୁ ଅଧିକ ଲୋକଙ୍କ ଦ୍ବାରା ଏକାଠି ଗୋଟିଏ ସ୍ଥାନରେ ସଫେଇ ଏବଂ ୮ ଘଣ୍ଟାରେ ସବୁଠୁ ଅଧିକ ଲୋକଙ୍କ ଦ୍ବାରା ହ୍ୟାଣ୍ଡ୍ ପେଣ୍ଟିଂ ଭଳି ତିନିଟି ରେକର୍ଡ କରିଛି ମହାକୁମ୍ଭ । ସୂଚନା ଅନୁସାରେ, ୪୫ ଦିନ ଧରି ଚାଲିଥିବା ମହାକୁମ୍ଭ ବେଳେ, ପ୍ରୟାଗରାଜର ୩୨୯ଟି ସ୍ଥାନରେ ଗଙ୍ଗା ନଦୀର ସଫେଇ ହୋଇଥିଲା । ୧୯ହଜାର ଲୋକ ଏକାଠି ମହାକୁମ୍ଭରେ ଝାଡ଼ୁ ମାରିଥିଲେ । ଏଥିସହ ରେକର୍ଡ ସୃଷ୍ଟିକାରୀ ହ୍ୟାଣ୍ଡ୍ ପେଣ୍ଟିଂରେ ଏକାଠି ୧୦ ହଜାର ୧୦୨ ଜଣ ଲୋକ ସାମିଲ ହୋଇଥିଲେ ।