ମନୋରଞ୍ଜନ

ପ୍ରସିଦ୍ଧ ଅଭିନେତା ମନୋଜ କୁମାରଙ୍କ ପରଲୋକ

0
(0)

ବଲିଉଡ଼ ଜଗତରୁ ଦୁଃଖଦ ଖବର ଆସିଛି । ଆଉ ନାହାନ୍ତି ବଲିଉଡ଼ର ପ୍ରସିଦ୍ଧ ଅଭିନେତା ତଥା ଫିଲ୍ମ ନିର୍ଦ୍ଦେଶକ ମନୋଜ କୁମାର । ୮୭ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ପଦ୍ମଶ୍ରୀ ମନୋଜ କୁମାର । ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସପ୍ତାହ ହେବ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମନୋଜ । ମୁମ୍ବାଇର କୋକିଳାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାନରେ ଆଜି ତାଙ୍କର ଦେହାନ୍ତ ହୋଇଛି । ବଲିଉଡ଼ର ଜଣେ ଚମକୁଥିବା ତାରା ଥିଲେ ମନୋଜ । ଦେଶଭକ୍ତି ଫିଲ୍ମ ପାଇଁ ‘ଭାରତ କୁମାର’ ନାମରେ ଜଣାଶୁଣା ଥିଲେ । ୧୯୯୨ରେ ପଦ୍ମଶ୍ରୀ ଏବଂ ୨୦୧୫ରେ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମନୋଜଙ୍କ ଦେହାନ୍ତରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି (ଶନିବାର) ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବା ନେଇ ସୂଚନା ମିଳିଛି ।

ସେ ୧୯୩୭ ମସିହା ଜୁଲାଇ ୨୪ ତାରିଖରେ ପାକିସ୍ତାନରେ ମନୋଜ କୁମାର ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତନାମ ହରିକୃଷ୍ଣ ଗିରି ଗୋସ୍ବାମୀ । ଦେଶ ବିଭାଜନ ସମୟରେ ତାଙ୍କ ପରିବାର ଦିଲ୍ଲୀ ଚାଲି ଆସିଥିଲେ । ପିଲାଦିନୁ ଅଭିନୟ ପ୍ରତି ତାଙ୍କର ରୁଚି ରହିଥିଲା । ସମୟକ୍ରମେ ତାହା ନିଶାରେ ପରିଣତ ହୋଇଗଲା । ଫିଲ୍ମ ପାଇଁ ପାଗଳ ହୋଇଗଲେ ମନୋଜ । ୧୯୫୭ରେ ‘ଫ୍ୟାସନ୍’ ଫିଲ୍ମରୁ ଡେବ୍ୟୁ କରିଥିଲେ । ୧୯୬୫ ତାଙ୍କ କ୍ୟାରିୟରରେ ବଡ ଗେମ୍‌ଚେଞ୍ଜର ଥିଲା । ସେହି ବର୍ଷ ‘ଶହୀଦ୍’ ଫିଲ୍ମ ତାଙ୍କ କ୍ୟାରିୟରର ବଡ଼ ସଫଳତା ଥିଲା । ଏହା ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ଗୋଟିଏ ପରେ ଗୋଟିଏ ହିଟ୍ ସିନେମା ଦର୍ଶକଙ୍କୁ ଭେଟି ଦେଇଥିଲେ । ଯେକୌଣସି ଚରିତ୍ର ମିଳୁଥିଲା ତାକୁ ନିଖୁଣ ଭାବେ ତୁଲାଉଥିଲେ । ତାଙ୍କର କେବଳ ଫିଲ୍ମ ହିଟ୍ ହେଉନଥିଲା ତାଙ୍କ ଗୀତ ଗୁଡ଼ିକ ସୁପରହିଟ୍ ହୋଇଥିଲା । ‘କ୍ରାନ୍ତି’, ‘ଉପକାର’ ପରି ଦେଶଭକ୍ତି ସିନେମା ପାଇଁ ଜଣାଶୁଣା ଥିଲେ ମନୋଜ । ‘ଉପକାର’ ଚଳଚ୍ଚିତ୍ରର ‘ମେରେ ଦେଶ କି ଧରତୀ’…. ଗୀତ ଆଜି ବି ସମସ୍ତେ ଗୁଣୁଗୁଣାନ୍ତି । ଏହି ସିନେତା ପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ ।

୧୯୯୫ରେ ‘ମୈଦାନ-ଏ-ଜଙ୍ଗ’ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ୧୯୯୯ରେ ଫିଲ୍ମ ‘ଜୟ ହିନ୍ଦ’ ତାଙ୍କର ଶେଷ ଫିଲ୍ମ ଥିଲା । ତାଙ୍କ ପୁଅ କୁନାଲ ଗୋସ୍ୱାମୀ ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି ବକ୍ସ ଅଫିସ୍‌ରେ ଫ୍ଲପ୍ ହୋଇଥିଲା । ଅଭିନୟକୁ ବାଏ ବାଏ କହିବା ପରେ ରାଜନୀତି ମୈଦାନରେ ଏଣ୍ଟ୍ରୀ ମାରିଥିଲେ । ୨୦୦୪ରେ ବିଜେପିରେ ସାମିଲ ହୋଇଥିଲେ ।ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ମନୋଜ କୁମାରଙ୍କ ନିଧନ ନେଇ ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ”କିମ୍ବଦନ୍ତୀ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ, ମୋର ପ୍ରେରଣା ଏବଂ ଭାରତୀୟ ସିନେମାର ସିଂହ ଆଉ ଆମ ଗହଣରେ ନାହାନ୍ତି । ଏହା ଆମ ଇଣ୍ଡଷ୍ଟ୍ରି ପାଇଁ ଅପୂରଣୀୟ କ୍ଷତି । ସେ ସବୁବେଳେ ମନେ ରହିବେ ।” ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନୋଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

 

 

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE