ମହାକାଳପଡ଼ାର ମନର ମଣିଷ ଦୁର୍ଗାପ୍ରସନ୍ନ
ଦୁର୍ଗାପ୍ରସନ୍ନ ନାୟକ । ମହାକାଳପଡ଼ାର ମନର ମଣିଷ । ଲୋକଙ୍କ ଆପଣାର, ଦରଦୀ ଓ ନିଜର ନେତା । ଜଣେ ଓଡ଼ିଆ ରାଜନୀତିଜ୍ଞ ଭାବେ ସେ ଯେତିକି ପରିଚିତ, ମହାକାଳପଡ଼ାର ସେବକ ଭାବେ ସେତିକି ଚର୍ଚ୍ଚିତ । ୨୦୨୪ ବିଧାନସଭା ନିର୍ବାଚନରେ ମହାକାଳପଡ଼ାରୁ ବିଧାୟକ ଭାବେ ନିର୍ବାଚିତ ହୋଇ କେନ୍ଦ୍ରାପଡ଼ା ରାଜନୀତି ଇତିହାସରେ ପରିବର୍ତ୍ତନର ବାର୍ତ୍ତାବହକ ସାଜିଛନ୍ତି ଦୁର୍ଗାପ୍ରସନ୍ନ । ଏହାସହ ପ୍ରଥମଥର ପାଇଁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଲୋକଙ୍କ ସ୍ବର ସାଜିଛନ୍ତି ।
ଗତ ନିର୍ବାଚନରେ ରାଜ୍ୟର ଅନେକ ମନ୍ତ୍ରୀ ଓ ହେଭିୱେଟ୍ ମାଟି କାମୁଡ଼ିଛନ୍ତି । ଆଦୌ ବିଧାୟକ ବା ସାଂସଦ ହୋଇନଥିବା ଅନେକ ନବାଗତ ନେତା ହେଭିୱେଟ୍ଙ୍କୁ ପଛରେ ପକାଇ ଜିଆଣ୍ଟ କିଲର ସାଜିଛନ୍ତି । ସେମାନଙ୍କ ମଧ୍ଯରେ ଜଣେ ହେଲେ ଦୁର୍ଗାପ୍ରସନ୍ନ ନାୟକ । ମହାକାଳପଡ଼ାରେ ବିଜେଡିର ହେଭିୱେଟ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ନାକରେ ପାଣି ପିଆଇ ଦେଇଛନ୍ତି ଦୁର୍ଗାପ୍ରସନ୍ନ । ଏହାସହ ବିଜେଡି ଦୁର୍ଗକୁ ଛାରଖାର କରି ପ୍ରଥମଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଛନ୍ତି । ନିର୍ବାନରେ ଅତନୁଙ୍କୁ ୭୬,୧୨୭ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ୧,୦୯,୬୫୩ ଭୋଟ୍ ମିଳିଥିଲା ।
ଲୋକଙ୍କ ନେତା ହେଉଛନ୍ତି ଦୁର୍ଗାପ୍ରସନ୍ନ ନାୟକ । ଯେତେବେଳେ ମହାକାଳପଡ଼ାବାସୀ ଅସୁବିଧାରେ ପଡ଼ିଥାନ୍ତି ସେତେବେଳେ ପାଖରେ କେବଳ ଦୁର୍ଗାଙ୍କୁ ହିଁ ପାଇଥାନ୍ତି । ପ୍ରତି ବିପଦଆପଦ ସମୟରେ ପାଖେ ପାଖେ ରହିଥାନ୍ତି ଦୁର୍ଗାପ୍ରସନ୍ନ । ଯେଉଁଥିପାଇଁ ତାଙ୍କ ପ୍ରତି ଲୋକଙ୍କ ଭଲପାଇବା ବେଶ୍ ବାରି ହୋଇପଡ଼ିଥିଲା । ବିଜେପିରୁ ଟିକେଟ ପାଇଁ ବିଜେଡି ଦୁର୍ଗରେ ବିଜୟର ନକ୍ସା ଅଙ୍କନ କରିଥିଲେ ଦୁର୍ଗା । ରାଜ୍ଯରେ ମୋଦି ଲହର, ଓଡ଼ିଆ ଅସ୍ମିତାର ଉଦୟ ସାଙ୍ଗକୁ ନିଜର ସେବା ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇଥିଲେ । ବିଜେଡିର ଟାଣୁଆ ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ମାତ୍ ଦେବାକୁ ମଇଦାନରେ ଜାନ୍ ଲଗାଇଥିଲେ ।
ପୂର୍ବରୁ କ୍ରମାଗତ ଭାବେ ବିଜେପି ଭୋଟ୍ ମହାକାଳପଡାରେ ବଢିଥିଲା । ୨୦୧୪ରେ ଦଳୀୟ ପ୍ରାର୍ଥୀଙ୍କୁ ୫୭ହଜାର ଭୋଟ୍ ମିଳିଥିବା ବେଳେ ୨୦୧୯ରେ ୭୭ହଜାର ଭୋଟ୍ ମିଳିଥିଲା । ତେଣୁ ଏଥର ଅତନୁଙ୍କୁ ଘେରିବାକୁ ରଣନୀତି କରିଥିଲେ ଦୁର୍ଗା । ଦୁର୍ଗାପ୍ରସନ୍ନଙ୍କ ପାଇଁ ମୋଦି ଲହର ବଡ଼ ବଳ ହୋଇଥିଲା । ଶେଷରେ ଅସ୍ମିତାର ବିଜୟ ହୋଇ ଅତନୁଙ୍କ ଦୁର୍ଗକୁ ଧୂଳିସାତ କରିଦେଇଥିଲେ ଦୁର୍ଗାପ୍ରସନ୍ନ । ଏବେ ବିଧାନସଭାରେ ଲୋକଙ୍କ ସ୍ବର ହୋଇ ପ୍ରକୃତ ଜନନେତାର ପରିଚୟ ଦେଉଛନ୍ତି ।