ବିଧାୟକମାନେ ହେବେ ସ୍ମାର୍ଟ, ପଢିବେ ଟ୍ୟାବରେ
ବିଧାୟକମାନେ ହେବେ ସ୍ମାର୍ଟ । ବିଧାନସଭାରେ ପେପର ନୁହେଁ ଟ୍ୟାବରେ ପଢିବେ ବିଧାୟକ । ବିଧାନସଭାରେ ୧୪୭ ବିଧାୟକଙ୍କ ଆସନରେ ଲାଗିଲା ଟ୍ୟାବ । ଆଉ ପ୍ରଶ୍ନୋତ୍ତର କିମ୍ଭା କୌଣସି ପ୍ରସ୍ତାବ କାଗଜ ଜରିଆରେ କରିବେ ନାହିଁ ବିଧାୟକ। ନେଭା ତରଫରୁ ଏହି ବ୍ୟବସ୍ଥା କରାଯାଇଛି ।
ଅନ୍ୟପଟେ ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଫେବୃଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ପ୍ରଥମ ଏବଂ ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ । ଫେବୃଆରୀ ୧୭ରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।
ଏହି ଅଧିବେଶନ ୨୮ଦିନ ଚାଲିବାକୁ ଥିବାବେଳେ ଆଜି ବସିଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ସବୁ ଦଳର ବିଧାୟକ ବୈଠକରେ ସାମିଲ ହୋଇଛନ୍ତି ।
ସେହିପରି ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ବଜେଟ ଅଧିବେଶନ ପ୍ରଥମ ଦିନରେ ଅଭିଭାଷଣ ରଖିବେ ରାଜ୍ୟପାଳ। ରାଜ୍ୟର ବିକାଶ ଓ ଅଭିବୃଦ୍ଧିର ଚିତ୍ର ରଖିବେ ।